ଫକୀରମୋହନ ବିଶ୍ବବିଦ୍ୟାଳୟରେ ପାଳିତ ହେଲା ବସନ୍ତ ଉତ୍ସବ ‘ଫଗୁଣରେ ଫଗୁଣ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବସନ୍ତ ଋତୁର ଆଗମନରେ ରଙ୍ଗର ଉତ୍ସବ ହୋଲିପର୍ବକୁ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆଡମ୍ବର ସହିତ ହର୍ଷୋଲ୍ଲାସରେ ପାଳନ କରାଯାଇଛି। ଭଲର ମନ୍ଦ ଉପରେ ବିଜୟର ପ୍ରତୀକ ତଥା ଫାଲ୍‌ଗୁନ ପୂର୍ଣ୍ଣିମା ଦିନରେ ପାଳିତ ଏହି ଉତ୍ସବକୁ “ବସନ୍ତ ଉତ୍ସବ : ଫଗୁଣରେ ଫଗୁଣ” ନାମରେ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଥାଏ।

ଚଳିତବର୍ଷ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷକ-ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀଗଣ ଓ ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ ପାରମ୍ପରିକ ରୀତିରେ ଦହିହାଣ୍ଡି ଭାଙ୍ଗି ପର୍ବର ଶୁଭାରମ୍ଭ କରିଥିଲେ। ଏଥିସହିତ ସଂଗୀତ ଓ କବିତା ଆସର ଏକ ଭିନ୍ନ ଖୁସିର ପରିବେଶ ଆଣିଥିଲା।

ଉଲ୍ଲେଖଯୋଗ୍ଯ, କ୍ଷତିକାରକ ରାସାୟନିକ ପଦାର୍ଥ ଯୁକ୍ତ ରଙ୍ଗ ଶରୀର ପ୍ରତି ବିପଜ୍ଜନକ ହୋଇଥିବା ଯୋଗୁଁ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗ ଦ୍ବାରା ପ୍ରସ୍ତୁତ ଜୈବିକ ରଙ୍ଗ ବ୍ୟବହାର କରି ହୋଲି ଉତ୍ସବ ପାଳିତ ହୋଇଥିଲା।ପ୍ରେମ ଏବଂ ଏକତାକୁ ବହନ କରୁଥିବା ଏହି ପର୍ବ ବିଶ୍ୱବିଦ୍ୟାଳୟର ସମସ୍ତଙ୍କ ମଧ୍ୟରେ ଆନନ୍ଦ ଓ ପବିତ୍ରର ଭାବ ଭରିଦେଇଛି।

ପରସ୍ପରକୁ ମିଠା ଖୁଆଇ ରଙ୍ଗ ଲଗାଇ ଗୀତ ନୃତ୍ଯ ଦ୍ବାରା ଛାତ୍ରଛାତ୍ରୀମାନେ ହୋଲିପର୍ବକୁ ଉପଭୋଗ କରିଥିଲେ। ବିଶ୍ୱବିଦ୍ୟାଳୟ ପରିସର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ଦୋଳ ପୂର୍ଣ୍ଣମୀର ମେଲଣ ଅନୁଷ୍ଠିତ ହେବା ନେଇ ସୂଚୀତ କରାଯାଇଛି। ଏହି ଅବସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସମସ୍ତଙ୍କୁ ଦୋଳଉତ୍ସବ ଓ ହୋଲିପର୍ବର ଶୁଭେଚ୍ଛା ଜ୍ଞାପନ ସହ ସୁରକ୍ଷା ଅବଲମ୍ବନ କରିବା ନେଇ ଉପଦେଶ ପ୍ରଦାନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.