ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନ ପ୍ରସଙ୍ଗ: ସମାନ ଦିନରେ ବିଜ୍ଞପ୍ତି ପ୍ରକାଶ କଲା ଉଚ୍ଚଶିକ୍ଷା ବିଭାଗ

• ରିଟ ପିଟିସନର ଶୁଣାଣି କରି ହାଇକୋର୍ଟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ

• ବିଧାନସଭାରେ ବିଧାୟିକାଙ୍କ ପ୍ରସଙ୍ଗ ଉତ୍ଥାପନ ପରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଜାରି କଲେ ଚିଠି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସ୍କୁଲରେ ନାବାଳିକା ଗର୍ଭବତୀ ହେବା, କାନ୍ଥ ପଡି ବିଦ୍ଯାଳୟ ପରିସରରେ ଛାତ୍ରଛାତ୍ରୀଙ୍କର ମୃତ୍ଯୁ ହେବା ଭଳି ଖବର ଆସୁଥିବା ସମୟରେ ବିଧାନସଭାରେ ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କର ଏକ ସମ୍ବେଦନଶୀଳ ପ୍ରଶ୍ନ ଉତଥାପନ ପରେ ରାଜ୍ଯ ସରକାର ସକ୍ରିୟ ହୋଇ ଉଠିଥିବା ଜଣା ପଡିଛି। ବିଧାୟିକା ଶ୍ରୀମତୀ ଜେନା ଗତ ଶୁକ୍ରବାର ଦିନ ଗୃହରେ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଭିତ୍ତିଭୂମି ସୁରକ୍ଷା ସମୀକ୍ଷା କମିଟି ଗଠନ ହୋଇଛି କି ନାହିଁ ଓ ଏ କମିଟି ପ୍ରତିବର୍ଷ ଜୁନ ମାସରେ ରିପୋର୍ଟ ପ୍ରଦାନ କରୁଛି କି ନାହିଁ ବୋଲି ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ। କାରଣ ଏକ ରିଟ୍ ପିଟିସନର ଶୁଣାଣୀ କରି ମାନ୍ଯବର ଓଡିଶା ହାଇକୋର୍ଟ ୨୦୨୪ ମସିହା ଜୁନ ମାସରେ ଏହି କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।କମିଟିରେ ଜିଲ୍ଲା ଶିକ୍ଷା ଅଧିକାରୀ, ପୂର୍ତ୍ତ ଓ ଗ୍ରାମ୍ଯ ଉନ୍ନୟନ ବିଭାଗର କାର୍ଯନିର୍ବାହୀ ଯନ୍ତ୍ରୀ, ମ୍ୟୁନସିପାଲଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ, ବିଡିଓ, ବ୍ଲକ ଶିକ୍ଷା ଅଧିକାରୀ ଓ ସ୍ଥାନୀୟ ଅନୁଷ୍ଠାନର ମୂଖ୍ଯ ସଦସ୍ଯ ରହିବେ। କମିଟିର ବୈଠକ ବର୍ଷକୁ ଅତି କମରେ ଦୁଇଥର ବସିବ ଏବଂ ବିଦ୍ଯାଳୟରେ କୌଣସି ଅଘଟଣ ପାଇଁ ପ୍ରଧାନ ଶିକ୍ଷକ ଓ ବ୍ଲକ ଶିକ୍ଷା ଅଧିକାରୀ ଦାୟୀ ରହିବେ। ରାଜ୍ଯର ବିଭିନ୍ନ ଅଞ୍ଚଳରୁ ସ୍କୁଲର ଦୁର୍ବଳ ଭିତ୍ତିଭୂମି ଯୋଗୁଁ ଛାତ୍ରଛାତ୍ରୀଙ୍କ ମୃତ୍ଯୁଖବର ଆସିବା ପରେ ବିଧାୟିକା ସୁବାସିନୀ ଜେନା କ୍ଷୋଭ ପ୍ରକାଶ କରିଥିଲେ। ବିଭିନ୍ନ ଗଣ ସଂଗଠନ ମଧ୍ଯ ସରକାରଙ୍କୁ ଘେରିଥିଲେ। ଏହି ସମୟରେ କୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ସମଗ୍ର ରାଜ୍ଯରେ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା। ତେବେ ଗତ ୯ ମାସ ଧରି ଚୁପ ବସିଥିବା ରାଜ୍ଯ ସରକାର ବିଧାନସଭାରେ ପ୍ରସଙ୍ଗ ଉଠିବା ପରେ ସମାନ ଦିନରେ ତରବରିଆ ଭାବେ ପଦକ୍ଷେପ ନେଇଛନ୍ତି। ରାଜ୍ଯ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ରାଜ୍ଯର ସବୁ ମହାବିଦ୍ଯାଳୟକୁ ଜରୁରୀ ଭାବେ ପତ୍ର ଲେଖି ସେମାନଙ୍କ ଅନୁଷ୍ଠାନରେ ଥିବା ଶ୍ରେଣୀଗୃହ, ପରୀକ୍ଷାଗାର, ଅଫିସ ବିଲଡିଂ, ପାଇଖାନା ଭଳି ଭିତ୍ତିଭୂମିର ସ୍ଥିତି ଯେତେଶୀଘ୍ର ସମ୍ଭବ ଆକଳନ କରି ଜଣାଇବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.