ରୁପ୍ରାରୋଡ ଦେବସର ଧାମ ଚୈତ୍ର ନବରାତ୍ର ଓ ୭୨ ପ୍ରହର ନାମ ଯଜ୍ଞ ପାଇଁ କଳସ ଯାତ୍ରା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ  ରୁପ୍ରାରୋଡ ସ୍ଥିତ ଦେବସର ଧାମ ଦୁର୍ଗା ମନ୍ଦିରରେ ଚୈତ୍ର ନବରାତ୍ର ଓ ୭୨ ପ୍ରହର ନାମ ଯଜ୍ଞ ପାଇଁ ଶନିବାର ସନ୍ଧ୍ୟାରେ ଏକ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସାନ୍ଦୁଲ ନଦୀରୁ ୨୧୦୦ କଳସରେ ଜଳ ଧରି ମହିଳାମାନେ ଯଜ୍ଞ ମଣ୍ଡପକୁ ଆସିଥିଲେ। କୁନି କୁନି ପୁଅଝିଅ ମାନେ ବିଭିନ୍ନ ପୌରାଣିକ ଚରିତ୍ରରେ ସୁସଜ୍ଜିତ ହୋଇ କଳସ ଯାତ୍ରାରେ ସାମିଲ ହୋଇଥିଲେ। ମହିଳା ସଂକିର୍ତ୍ତନ୍ୟ ଏହି ଭବ୍ୟ କଳସ ଯାତ୍ରାର ଶୋଭାକୁ ବହୁଗୁଣିତ କରି ଗଢ଼ି ତୋଳିଥିଲା। ଏଥିରେ ଲାଖଗୁଡା, ରୁପ୍ରାରୋଡ, ବଲବସପୁର, ବରଗାଁ, ବିଲାଟ, ଛତାମହୁଲ ସମେତ ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ ମହିଳାମାନେ ଯୋଗ ଦେଇଥିଲେ। ୩୦ ମାର୍ଚ୍ଚ ରବିବାର ଠାରୁ ରୁପ୍ରାରୋଡ ସ୍ଥିତ ଦେବସର ଧାମ ଦୁର୍ଗା ମନ୍ଦିରରେ ଚୈତ୍ର ନବରାତ୍ର, ବିଶ୍ଵଶାନ୍ତି ଯଜ୍ଞ ଓ ୭୨ ପ୍ରହର ନାମ ଯଜ୍ଞ ଆରମ୍ଭ ହେବ। ଏହା ଅପ୍ରେଲ ୮ ତାରିଖ ପର୍ଯ୍ୟନ୍ତ ନିରବିଚ୍ଛିନ୍ନ ଭାବେ ଚାଲିବ। ମାର୍ଚ୍ଚ ୨୯ ଶନିବାର ଦିନ ଅଧିବାସ ଓ ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ରବିବାର ସକାଳୁ ଚୈତ୍ର ନବରାତ୍ର ଆରମ୍ଭ ହେବାସହ ଅଖଣ୍ଡ ନାମ ଯଜ୍ଞ ମଧ୍ୟ ଆରମ୍ଭ ହେବ। ଦେବସର ଧାମ ଟ୍ରଷ୍ଟ ଅଧ୍ୟକ୍ଷ ମୁଲଚନ୍ଦ ଅଗ୍ରୱାଲ, ଅଧ୍ୟକ୍ଷ ଗୋବିନ୍ଦ ରାମ ଅଗ୍ରୱାଲ, କମିଟିର ଉପାଧ୍ୟକ୍ଷ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ପାଦକ ପ୍ରଦୀପ କୁମାର ଅଗ୍ରୱାଲ, ସହ ସମ୍ପାଦକ ଶ୍ୟାମସୁନ୍ଦର ଶର୍ମା ପ୍ରମୁଖଙ୍କ ତତ୍ବାବଧାନ ଏବଂ ରୁପ୍ରାରୋଡ ଗ୍ରାମବାସୀଙ୍କ ସହଯୋଗରେ ଏହି ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପଣ୍ଡିତ ଉପେନ୍ଦ୍ର କୁମାର ପଣ୍ଡା ୭୨ ପ୍ରହର ନାମ ଯଜ୍ଞର ମୁଖ୍ୟ ପୂଜକ ଦାଇତ୍ୱ ନିର୍ବାହ କରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.