ପିବିବିଏମୱାଇଓ ପକ୍ଷରୁ ୧୧୬ତମ ଶିକ୍ଷା ଚେତନା ଅଭିଯାନ ଓ ଅମୃତ ପାଠ୍ୟ ସେବା କାର୍ଯ୍ୟକ୍ରମ ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ (ପିବିବିଏମୱାଇଓ), ମୁଣ୍ଡରାଗୁଡ଼ା ତରଫରୁ ଭବାନୀପାଟଣା ସ୍ଥିତ ସହର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୧୧୬ତମ ଶିକ୍ଷା ଚେତନା ଅଭିଯାନ-୨୦୨୫ ଏବଂ ଅମୃତ ପାଠ୍ୟ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଦଣ୍ଡପାଟ ଯୁବ ସେବା ସଂଗଠନ, ନେତାଜୀ ସେବା ସଂଗଠନ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଭବାନୀପାଟଣା ତଥା ପ୍ରମେୟ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରକାଶ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଉଦଘାଟକ ଭାବେ ସମାଜସେବୀ ହରକିଶନ ଜୈନ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ସନ୍ତୋଷ କୁମାର ପଣ୍ଡା ଏବଂ ସମ୍ମାନୀତ ଅତିଥି ଭାବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭବାନୀପାଟଣାର ଆଞ୍ଚଳିକ ପରିଚାଳକ ଆର୍ ଗଙ୍ଗାଧର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ ଏବଂ ବିଶିଷ୍ଟ ସଂଗଠକ ଚିନ୍ମୟ ବେହେରା ଯୋଗଦେଇଥିଲେ।

ସଂପାଦକ ଅବିନାଶ ମୁଣ୍ଡ ପରିଚାଳନା କରିଥିବା ବେଳେ ଯୁଗ୍ମ ସଂପାଦକ ରଜତ ବଂଶଲ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ‘ଶିକ୍ଷା ଚେତନା ଅଭିଯାନ’ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା, ସାହିତ୍ୟ, ମହାପୁରୁଷଙ୍କ ଜୀବନୀ, ବିଜ୍ଞାନ, ଇତିହାସ, ସ୍ୱାଧୀନତା ସଂଗ୍ରାମ ଏବଂ ପର୍ବପର୍ବାଣୀ ସମ୍ବନ୍ଧରେ ସଚେତନ କରାଯାଇଥିଲା।

ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀମାନେ ନିଜର ଜ୍ଞାନ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହା ସହିତ ‘ଅମୃତ ପାଠ୍ୟ ସେବା’ କାର୍ଯ୍ୟକ୍ରମ ଅଧୀନରେ ଗରିବ, ଅସହାୟ ପଛୁଆ ବର୍ଗର ଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ବଣ୍ଟନ କରାଯାଇଥିଲା, ଯାହା ସେମାନଙ୍କ ଶିକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଶିକ୍ଷା ଚେତନା ଅଭିଯାନର ଉଦ୍ଦେଶ୍ୟ ଓ ଏହାର ସାମାଜିକ ପ୍ରଭାବ ଉପରେ ଆଲୋଚନା କରି ଏହାକୁ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଅଭିହିତ କରିଥିଲେ।

ମୁଖ୍ୟ ବକ୍ତା ସନ୍ତୋଷ କୁମାର ପଣ୍ଡା ନିଜ ବକ୍ତବ୍ୟରେ ଶିକ୍ଷାର ଗୁରୁତ୍ୱ ଏବଂ ଏହା ମାଧ୍ୟମରେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଶିକ୍ଷା କେବଳ ଜ୍ଞାନ ଆହରଣ ନୁହେଁ, ବରଂ ଏହା ନୈତିକ ମୂଲ୍ୟବୋଧ ଓ ସଂସ୍କୃତିର ସଂରକ୍ଷଣ ଏବଂ ବିକାଶର ମାଧ୍ୟମ।

ସମାଜସେବୀ ହରକିଶନ ଜୈନ ଛାତ୍ରୀଙ୍କୁ ନିଜର ସଂସ୍କୃତି ଓ ଐତିହ୍ୟ ପ୍ରତି ଗର୍ବିତ ହୋଇ ଏହାକୁ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ। ଅନ୍ୟ ଅତିଥିମାନେ ମଧ୍ୟ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇବା ସହ ଛାତ୍ରୀ ମାନଙ୍କୁ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ସଂଗଠନ ସଭାପତି ବିରଜା ପ୍ରସାଦ ପଣ୍ଡା, ସଂଜୀବ ଠାକୁର, ବେଦ ପ୍ରକାଶ ପଣ୍ଡା ସହଯୋଗ କରିଥିଲେ। ପରିଶେଷରେ ଲଲିତ କୁମାର ବିଶି ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.