ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ମହାବିଦ୍ୟାଳୟଗୁଡ଼ିକର ଅଧ୍ୟକ୍ଷ ମାନଙ୍କ ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ (ପ୍ରିନସିପାଲ) ମାନଙ୍କୁ ନେଇ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସମ୍ମିଳନୀକ କ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ଆୟୋଜିତ ହୋଇଯାଇଛି।ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ଯ ଅତିଥି ଭାବେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ଼କ୍ଟର ହେମନ୍ତ କୁମାର ଘଡେଇ ଓ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ବିଶିଷ୍ଟ ସଦସ୍ଯ ପ୍ରଫେସର ଡ଼କ୍ଟର ସୁସ୍ମିତ ପ୍ରସାଦ ପାଣି ଯୋଗ ଦେଇଥିଲେ।

ଏହି ସମ୍ମିଳନୀର ପ୍ରମୁଖ ଉଦ୍ଦେଶ୍ଯ, ଜାତୀୟ ଶିକ୍ଷା ନୀତି -୨୦୨୦ ଉପରେ ଆଲୋଚନା ସହ ଏହାର କାର୍ଯ୍ୟକାରିତା ଓ ପ୍ରଣାଳୀଗତ ନୀତିନିୟମ ସଂପର୍କରେ ଅବଗତ କରିବା, ସ୍ବୟଂମ, ଏବିସି ଆଇ.ଡି, ଏପିଏଆର ଆଇ.ଡି, ଅନଲାଇନ ମାଇଗ୍ରେସନ, ଇ-ଆଫିଲିଏସନ ଇତ୍ୟାଦି କାର୍ଯ୍ୟକ୍ରମ ଓ ଏଥିରେ ଆସୁଥିବା ପ୍ରତିବନ୍ଧକ ନେଇ ସବିଶେଷ ଆଲୋଚନା କରାଯାଇଥିଲା।

କୁଳପତି ପ୍ରଫେସର ତ୍ରିପାଠୀ ନିଜ ଉଦବୋଧନରେ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କୁ ନାକ୍ ଓ ଏନଆଇଆରଏଫର ମାନ୍ୟତା ଓ ମୂଲ୍ୟାଙ୍କନ ପ୍ରକ୍ରିୟାରେ ନିଜନିଜ ମହାବିଦ୍ୟାଳୟକୁ ସାମିଲ କରିବାକୁ ଅନୁରୋଧ କରିଥିଲେ। ଏଥିସହ ଜାତୀୟ ଶିକ୍ଷାନୀତି-୨୦୨୦କୁ ଶତ ପ୍ରତିଶତ କାର୍ଯ୍ୟକ୍ଷମ କରାଯିବାକୁ ନେଇ ଦୃଢ ସମର୍ଥନ କରିଥିଲେ। ପ୍ରଫେସର ଡ଼କ୍ଟର ସୁସ୍ମିତ ପ୍ରସାଦ ପାଣି ନିଜ ଅଭିଭାଷଣରେ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡିକ ପୂରଣ ଓ ଆଗାମୀବର୍ଷ ମାନଙ୍କରେ ଶିକ୍ଷାର ଗୁଣାତ୍ମକମାନ ଆସିବାକୁ ଥିବା ପରିବର୍ତ୍ତନ ପ୍ରତି ସକାରାତ୍ମକ ମନୋଭାବ ପୋଷଣ କରିଥିଲେ। ଏହି ଅବସରରେ ଡ଼କ୍ଟର ହେମନ୍ତ କୁମାର ଘଡେଇ ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରଣୟନର ଉଦ୍ଦେଶ୍ଯ ସଂପର୍କରେ ଆଲୋକପାତ କରିଥିଲେ।

ବିଶ୍ବବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ମହାବିଦ୍ୟାଳୟ ବିକାଶ ପରିଷଦର ନିର୍ଦ୍ଦେଶକ ଡ଼କ୍ଟର ସନ୍ତୋଷ କୁମାର ଅଗ୍ରୱାଲ, ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ରାୟ, ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ରଣୀନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ହୋଇ ଏହି ସମ୍ମିଳନୀରେ ନିଜର ମୂଲ୍ୟବାନ ବକ୍ତବ୍ଯ ପ୍ରଦାନ କରିଥିଲେ।

ଏଥିସହିତ ସମ୍ମିଳନୀରେ ବିଶ୍ବବିଦ୍ୟାଳୟ ଅଧିନସ୍ଥ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟକ୍ଷ ମାନଙ୍କ ପ୍ରତିନିଧିଙ୍କ ସକ୍ରିୟ ସହଭାଗୀତା କରି ନିଜର ସମସ୍ୟା ବିଷୟରେ ଆଲୋଚନା କରିବା ସହ ବିଭିନ୍ନ ପ୍ରସଙ୍ଗରେ ମତାମତ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମକୁ ଡ଼କ୍ଟର ରାଜଶ୍ରୀ ଦତ୍ତ ପରିଚାଳନା କରିଥିଲେ ଓ ପ୍ରଫେସର ପଙ୍କଜ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.