‘ଏକତ୍ର ବାଲେଶ୍ୱର’ ମହାସଭାରେ ଉପମୁଖ୍ୟ ସଚେତକ କଲେ ଘୋଷଣା, ଆମ ବାଲେଶ୍ୱର ହେବ ଏକ ନମ୍ବର ଜିଲ୍ଲା

– ନାଇପର ପ୍ରତିଷ୍ଠା ଦାବି ଶାଣିତ ହେଲା
– ଆଲୋଚନା ହୋଇ ଦାବି ପୂରଣ ହେବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଆମେ ଆରଟିଓରେ ଏକ ନମ୍ବର ଜିଲ୍ଲା। ତେଣୁ ବାଲେଶ୍ୱର ଜିଲ୍ଲାକୁ ଆମେ ଏକ ନମ୍ୱର କରିବୁ। ବାଲେଶ୍ୱରର ଉନ୍ନତି ପାଇଁ ଯାହା ପ୍ରସ୍ତାବ ଆସିବ, ରାଜ୍ୟ ସରକାରଙ୍କ ନିକଟରେ କହି ପୂରଣ କରିବୁ। ବାଲେଶ୍ୱରର ତ୍ରିବେଣୀ ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖାକୁ ସଂଯୋଗ କରି ପର୍ଯ୍ୟଟନ ସର୍କିଟ ହେବ ବୋଲି ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ କହିଛନ୍ତି।

ଭୁବନେଶ୍ଵରର ବୁଦ୍ଧ ମନ୍ଦିରରେ ‘ଏକତ୍ର ବାଲେଶ୍ୱର’ ମହାସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉପମୁଖ୍ୟ ସଚେତକ ଶ୍ରୀ ଦାସ କହିଥିଲେ, ତ୍ରିବେଣୀ ଯୋଜନାରେ ବାଲେଶ୍ୱରର ନଦୀଗୁଡିକୁ ସଂଯୋଗ କରାଯିବ। ଆଗାମୀ ଦିନରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ପଦକ୍ଷେପ ନିଆଯିବ।

ସେହିପରି ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ଅତିଥି ଭାବେ ଯୋଗ ଦେଇ ଜଳପଥ ବିକାଶ ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟ ମହିଳା କମିଶନ ଅଧକ୍ଷା ଶୋଭନା ମହାନ୍ତି, ବାଲେଶ୍ୱରର ମହାନ ସଂସ୍କୃତି ସମ୍ପର୍କରେ କହିଥିଲେ।

ସମ୍ମାନିତ ଅତିଥି ଭାବେ ଡ଼ଃ ଅଦୈତ ପାତ୍ର, ଓଡିଶୀ ନୃତ୍ୟାଙ୍ଗନା ସୁଜାତା ମହାପାତ୍ର, ଫକୀର ମୋହନ ସେନାପତିଙ୍କ ଅଣ ନାତୁଣୀ ମୋନିକା ଦାସ, ପୂର୍ବତନ ପ୍ରଶାସକ ନିରଞ୍ଜନ ସାହୁ, ସ୍ତମ୍ଭକାର ସୁଦର୍ଶନ ଦାସ ପ୍ରମୁଖ ଏହି ଅବସରରେ ବକ୍ତବ୍ୟ ରଖିଥିଲେ। ‘ଏକତ୍ର ବାଲେଶ୍ୱର’ର ସଭାପତି ନିରଞ୍ଜନ ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଉପ ସଭାପତି କେଶୁ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାମଜୀବନ ଗୋଛାୟତ ସ୍ୱାଗତ ଭାଷଣ ଦେଇଥିଲେ।

ସାଧାରଣ ସମ୍ପାଦକ ସରୋଜ କୁମାର ଦାଶ ବିବରଣୀ ପାଠ କରିବା ସହ ବାଲେଶ୍ୱରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସୁ୍ଟିକାଲ ଏଜୁକେସନ ଆଣ୍ଡ୍ ରିସର୍ଚ୍ଚ(ନାଇପର)ପ୍ରତିଷ୍ଠା ପାଇଁ ଦାବି ରଖିଥିଲେ। ଉପସଭାପତି ବିରୋଜ ରାଉତ କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ପାଓ୍ଵାର ପଏଣ୍ଟ ପ୍ରେଜେଣ୍ଟେସନ କରିଥିବା ବେଳେ ସହ ସମ୍ପାଦିକା ସ୍ବାତୀ ବିଶ୍ବାଳ ଓ ସ୍ନିଗ୍ଧା ଆର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ। ସଚିନ୍ଦ୍ର ମାଝୀ, ବିଭୂପଦ ଦାସ, ସୁଧାକର ସେଠୀ କାର୍ଯ୍ୟକ୍ରମ ସଂଚାଳନା କରିଥିବା ବେଳେ ଉପସଭାପତି ଜୟନ୍ତ ଦାସ ଧନ୍ୟବାଦ ଦେଇଥିଲେ।

ଏହି ସଭାରେ କଟକ, ପୁରୀ, ଖୋର୍ଦ୍ଧା ସହ ଭୁବନେଶ୍ୱରରେ ବସବାସ କରୁଥିବା ଅବସରପ୍ରାପ୍ତ ଅଧିକାରୀ, ଶିକ୍ଷାବିତ, ସାହିତ୍ୟିକ, ଗବେଷକ, ପ୍ରଶାସନିକ ଅଧିକାରୀ, ଯୁବ ସଂଗଠକ ୧୦୦ରୁ ଊର୍ଦ୍ଧ୍ବ ପ୍ରବାସୀ ବାଲେଶ୍ଵରୀଆ ଯୋଗ ଦେଇଥିଲେ। ଆଗାମୀ ଡିସେମ୍ବରରେ ଭୁବନେଶ୍ୱରରେ ବାଲେଶ୍ଵର ମହୋତ୍ସବ ଆୟୋଜନ କରାଯାଇ ନିଚ୍ଛକ ବାଲେଶ୍ଵରକୁ ପ୍ରଦର୍ଶନ କରାଯିବ ବୋଲି କର୍ମକର୍ତ୍ତା ମାନେ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.