ବାତ୍ୟାରେ ଉଜୁଡ଼ି ଗଲା ଧାନ ଚାଷ; ଚିନ୍ତାରେ ଚାଷୀ

କ୍ଷୟକ୍ଷତି ଆକଳନ ସହ କ୍ଷତିପୂରଣ ପାଇଁ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମନ୍ଥା ବାତ୍ୟାର ଭୀଷଣ ତାଣ୍ଡବରେ କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡିଛି। ସଦର ବ୍ଲକ ଅନ୍ତର୍ଗତ କଲମ ଗ୍ରାମ ପଞ୍ଚାୟତର ଅନେକ ଚାଷୀଙ୍କ କ୍ଷେତ ଉଜୁଡି ଯିବାରୁ ସମ୍ପୂର୍ଣ୍ଣ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି।

ଭୀଷଣ ବର୍ଷା ଏବଂ ଝଡ଼ପବନ ଯୋଗୁଁ ପାଚିଥିବା ଏବଂ ବାହାରୁଥିବା ଧାନ କ୍ଷେତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ଯାହା ଫଳରେ ଅନେକ ଚାଷୀଙ୍କର ଜୀବନଯାପନର ଏକମାତ୍ର ଅବଲମ୍ବନ ଦୋହଲି ଯାଇଛି।

ବର୍ଷା ସହ ପ୍ରଚଣ୍ଡ ଝଡ଼ପବନ କୃଷକଙ୍କ ଆଶା ଓ ଆଶ୍ରୟକୁ ଧ୍ୱଂସ କରିଦେଇଛି। ଚାନ୍ଦୋପଲା ଗ୍ରାମର ଚାଷୀ ତୀର୍ଥ ଭୋଇ, କୁନ୍ତଳା ଭୋଇ ଏବଂ ଧର୍ମୁ ମାଝୀଙ୍କ ଭଳି କୃଷକମାନେ ସେମାନଙ୍କର ସମ୍ପୂର୍ଣ୍ଣ ଫସଲ ହରାଇଛନ୍ତି। ମନ୍ଥା ବାତ୍ୟାର ବେଗବାନ ପବନ ଓ ବର୍ଷା ସେମାନଙ୍କର ଶ୍ରମ ଓ ପୁଞ୍ଜିକୁ ମାଟିରେ ମିଶାଇ ଦେଇଛି।

ଏହି ସଙ୍କଟ ସମୟରେ ସ୍ଥାନୀୟ ଚାଷୀଙ୍କ ତରଫରୁ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କୁ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତିର ତ୍ଵରିତ ଆକଳନ କରିବା ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି ହେଉଛି। 

ଏହି ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ମଧ୍ୟରେ ଗଭୀର ଚିନ୍ତା ଓ ଅନିଶ୍ଚିତତା ସୃଷ୍ଟି କରିଛି। ସରକାରୀ ସହାୟତା ନ ମିଳିଲେ ସେମାନଙ୍କ ପରିବାରର ଭବିଷ୍ୟତ ଅନ୍ଧକାରମୟ ହୋଇଯିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରୁଛନ୍ତି।

ଏଭଳି ସଙ୍କଟପୂର୍ଣ୍ଣ ସମୟରେ ପ୍ରଶାସନିକ ସହାୟତା ହିଁ ସେମାନଙ୍କ ପାଇଁ ଏକମାତ୍ର ଆଶାର କିରଣ ବୋଲି ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.