ପ୍ରଫେସର୍ ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ)ଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରେଭେନ୍ସା ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗ ଓ ସାହିତ୍ୟ ଅକାଦେମିର ମିଳିତ ଆନୁକୁଲ୍ୟରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ପରିସରସ୍ଥ ସେଭେନ୍ ପିଲାର୍ ଅଫ୍ ୱିଜ୍‌ଡମ (ଆନେକ୍ସ- ୧) ଠାରେ ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ) ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଅଛି। ଉଦ୍‌ଘାଟକ ଭାବରେ ସାହିତ୍ୟ ଅକାଦେମି ସଚିବ କେ.ଶ୍ରୀନିବାସ ରାଓ ଯୋଗ ଦେଇ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଆଲୋଚନାଚକ୍ରରେ ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ବିଜୟଲକ୍ଷ୍ମୀ ଦାଶ ଅତିଥି ପରିଚୟ ଓ ସ୍ଵାଗତ ଅଭିଭାଷଣ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଜାନକୀ ବଲ୍ଲଭ ମହାନ୍ତିଙ୍କ ପରିବାର ସଦସ୍ୟ ଜୀବନବଲ୍ଲଭ ମହାନ୍ତି ଯୋଗଦେଇ ଜାନକୀ ବଲ୍ଲଭ ମହାନ୍ତିଙ୍କ ସ୍ମୃତିଚରଣ କରିଥିଲେ।

ଆଲୋଚନାଚକ୍ରର ମୂଳ ବକ୍ତବ୍ୟ ରଖିଥିଲେ ବିଶିଷ୍ଟ ସମାଲୋଚକ ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ। ସଭାମୁଖ୍ୟ ଭାବରେ ଆବାହକ,ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ, ସାହିତ୍ୟ ଅକାଦେମୀ ଗୌରହରୀ ଦାସ ଜାନକୀ ବଲ୍ଲଭ ମହାନ୍ତିଙ୍କ ସାରସ୍ଵତ ଦିଗଉପରେ ଅଭିଭାଷଣ ରଖିଥିଲେ।

ସଭା ସଂଯୋଜନା କରିଥିଲେ ବିଭାଗର ଅଧ୍ୟାପକ ଡ ତ୍ରିଲୋଚନ ଜେନା।ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ଗବେଷିକା ବର୍ଷା ଦାସ ଓ ଅଧ୍ୟାୟୀ ଲଳିତ ମୋହନ।ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଭାରପ୍ରାପ୍ତ ଅଧିକାରୀ ,ସାହିତ୍ୟ ଅକାଦେମୀ ଡ କ୍ଷେତ୍ରବାସୀ ନାୟକ। 

      ଏହି ଆଲୋଚନାଚକ୍ରଟି ଦୁଇଟି ଅଧିବେଶନରେ ଆୟୋଜିତ କରାଯାଇଥିଲା। ପ୍ରଥମ ଅଧିବେଶନରେ ସଭାମୁଖ୍ୟ ଭାବରେ ଯୋଗଦେଇଥିଲେ ପ୍ରଫେସର୍ ବିଜୟ କୁମାର ଶତପଥୀ କହିଥିଲେ, “ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ) ଜଣେ ପଥଭୁଲା ରାଜହଂସ; ଆସିଥିଲେ କବି ହେବା ପାଇଁ ହେଇଗଲେ ଗବେଷକ ଦେଇଗଲେ ଅଜସ୍ର ଗବେଷଣାଧର୍ମୀ ଗ୍ରନ୍ଥ।”

ପ୍ରବନ୍ଧ ପାଠ କରିଥିଲେ ବିଭୂତି ମହାପାତ୍ର, ଶରତ ଚନ୍ଦ୍ର ରଥ ଓ ଜୟକୃଷ୍ଣ ମିଶ୍ର । ଦ୍ଵିତୀୟ ଅଧିବେଶନର ସଭାମୁଖ୍ୟ ଭାବେ ଡକ୍ଟର ବିଜୟଲକ୍ଷ୍ମୀ ଦାଶ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ପ୍ରବନ୍ଧ ପାଠ କରିଥିଲେ ଡ ରାଜା କୁମାର ନାଏକ, ଡ ସଂଘମିତ୍ରା ବେହେରା ଓ ଡ ଶିଶିର ବେହେରା। 

    ଏହି ଆଲୋଚନାଚକ୍ରରେ ଓଡ଼ିଆ ସାହିତ୍ୟର ମାନ୍ୟଗଣ୍ୟ ବ୍ୟକ୍ତି ଓ ଜାନକୀ ବଲ୍ଲଭ ମହାନ୍ତିଙ୍କ ପରିବାର ସଦସ୍ୟ ସମେତ ଓଡ଼ିଆ ବିଭାଗର ସମସ୍ତ ପ୍ରଧ୍ୟାପିକା / ପ୍ରଧ୍ୟାପକ ଡ ଜ୍ଞାନୀ ଦେବାଶିଷ ମିଶ୍ର,ଡ ଆଶିଷ କୁମାର ସାହୁ, ଡ ସାରଳା ସ୍ୱାଇଁ, ଡ ସୁଚିସ୍ମିତା ରାଉତରାୟ ଓ ସମସ୍ତ ଅଧ୍ୟାୟୀମାନେ ଆଲୋଚନାଚକ୍ରକୁ ସାଫଲ୍ୟମଣ୍ଡିତ କରିଥିଲେ।ଶେଷରେ ଅଧ୍ୟାପିକା ଶୁଭଦର୍ଶିନୀ ପରିଡ଼ା କୃତଜ୍ଞତା ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.