ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବୁଢିପଦର ଗୌନ୍ତିଆ ପଡ଼ା ସ୍ଥିତ ମାଁ ତାରିଣୀ ପୀଠରେ ତାରିଣୀ ଯାତ୍ରା ଓ ପଣା ସଂକ୍ରାନ୍ତି ମହାସମାରୋହରେ ପାଳିତ ହୋଇଯାଇଛି। ରବିବାର କଳସଯାତ୍ରା ପରେ ପୂଜାରମ୍ଭ ହୋଇଥିଲା। ସୋମବାର ଦେବୀଙ୍କ ପୂଜା ଆରମ୍ଭ ସହ ପୁରାଣପାଠ ହୋଇଥିଲା। ସେହିଦିନ ରାତିରେ ଜୁନାଗଡ଼ ବାମନିଗୁଡାର ସାମାଜିକ ନାଟକ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ହୋମ ଯଜ୍ଞ, ପଣା ସଂକ୍ରାନ୍ତି ଏବଂ ରାତିରେ ବଲାଙ୍ଗୀର ମଧୁପୁରର ବିଣାପାଣି ମହିଳା ମହିଳା ଦଣ୍ଡ ନୃତ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନୂତନ ତାରିଣୀ ମନ୍ଦିର ନିର୍ମାଣ ପାଇଁ ଦାନ ଗ୍ରହଣର ଶୁଭାରମ୍ଭ କରାଯାଇଥିଲା। ଏଥିରେ ପୂଜକ ଭାବେ ଗଜେନ୍ଦ୍ର ମାଝୀ ଓ କାନ୍ତ ମାଝୀ, ଦେବେନ୍ଦ୍ର ମାଝୀ, ହରି ଧଙ୍ଗଡାମାଝୀ କାର୍ଯ୍ୟ ସଂପାଦନ କରିଥିଲେ। ଆୟୋଜକ ମାଁ ତାରିଣୀ ସାଂସ୍କୃତିକ ଅନୁଷ୍ଠାନର ସଭାପତି କ୍ଷିରାବ୍ଧି ମାଝୀ, ସାଧାରଣ ସମ୍ପାଦକ ବ୍ରଜ ଗଉଡଙ୍କ ସମେତ କାର୍ଯ୍ୟକର୍ତ୍ତା ଓ ସଦସ୍ୟବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମାଁ ତାରିଣୀଙ୍କ ଦର୍ଶନ ପାଇଁ ପୀଠରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା।





