ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ସରସ୍ୱତୀ ଶିଶୁମନ୍ଦିର ବ୍ରଜବିହାର ପରିସରରେ କଳାହାଣ୍ଡି ପତଞ୍ଜଳି ଯୋଗସମିତି ପକ୍ଷରୁ ଦ୍ୱାଦଶ ଆନ୍ତର୍ଜାତିକ ଯୋଗଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳେ ଏକ ସାମୂହିକ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯୋଗ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହ ଏକ ସୁସ୍ଥ ସମାଜ ଗଠନର ମହତ୍ ଉଦ୍ଦେଶ୍ୟ ନିମିତ୍ତ ଏହି ଯୋଗ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଚଳିତ ବର୍ଷର ପ୍ରସଙ୍ଗ ଥିଲା : ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ। ସାମ୍ପ୍ରତିକ ସମୟରେ ଉପଯୁକ୍ତ ଯତ୍ନ ଅଭାବରୁ ବାର୍ଦ୍ଧକ୍ୟ ଉପନୀତ ହେବା ଆଗରୁ ଅନେକ ଶାରୀରିକ ସମସ୍ୟା ଦେଖାଦେଉଛି। ଯାହା ବାର୍ଦ୍ଧକ୍ୟ ସମୟରେ ଆହୁରି ଶାରୀରିକ ଅବନତି ଘଟଉଛି। ତେବେ କିଭଳି ଭାବେ ବାର୍ଦ୍ଧକ୍ୟ ସମୟରେ ମଧ୍ୟ ସୁସ୍ଥତାକୁ ବଜାୟ ରଖାଯାଇପାରିବ ଏବଂ ଏଥିପାଇଁ ଯୋଗ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପତଞ୍ଜଳି ଜିଲ୍ଲା ଯୋଗ ସମିତି ପ୍ରଭାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବାର୍ ଏସୋସିଏସନ ସଭାପତି ସନ୍ତୋଷ କୁମାର ପଣ୍ଡା, ମୁଖ୍ୟବକ୍ତା ବିଶିଷ୍ଟ କବି ସ୍ନେହଲତା ଷଡ଼ଙ୍ଗୀ ଯୋଗଦେଇ ବର୍ତ୍ତମାନ ସମୟରେ ଯୋଗର ଆବଶ୍ୟକତା ଉପରେ ମତପ୍ରକାଶ କରିଥିଲେ । ଯୋଗ କାର୍ଯ୍ୟକ୍ରମକୁ ଭାରତ ସ୍ୱାଭିମାନ ଟ୍ରଷ୍ଟ ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମୁଣ୍ଡ ମହିଳା ଯୋଗ ପ୍ରଭାରୀ ନିବେଦିତା ମିଶ୍ର ଓ ଯୁବ ପ୍ରଭାରୀ ଶୁଭ୍ରାଂଶୁ ନନ୍ଦ ପରିଚାଳନା କରିଥିଲେ । ଜିଲ୍ଲା ମହାମନ୍ତ୍ରୀ ଗଜେନ୍ଦ୍ର ପ୍ରସାଦ ପାଢ଼ୀ, ଜିଲ୍ଲା ଯୋଗ ସହପ୍ରଭାରୀ ଶୁଭ୍ରାଂଶୁ ଶେଖର ସାହୁ, ଉପପ୍ରଭାରି ହେମନ୍ତ ମିଶ୍ର , ମିଡିଆ ପ୍ରଭାରୀ ଜିତେନ୍ଦ୍ର କୁମାର ମୁଣ୍ଡ, କୃଷକ ମୋର୍ଚ୍ଚା ପ୍ରଭାରୀ ନାରାୟଣ ମୁଣ୍ଡ, କୋଷାଧକ୍ଷ ରମାକାନ୍ତ ପାଢ଼ୀ, ନଗର ପ୍ରଭାରୀ ଶିବରାମ ନାୟକ ତଥା ଭବାନୀପାଟଣା ସହରର ବିଭିନ୍ନ ଯୋଗ କ୍ଲାସର ଶିକ୍ଷକ /ଶିକ୍ଷୟତ୍ରୀ, ଶତାଧିକ ଯୋଗୀ ଭାଇଭଉଣୀମାନେ ଉପସ୍ଥିତ ରହି ଯୋଗ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ବରିଷ୍ଠ ଯୋଗୀ ହରେକୃଷ୍ଣ ସାହୁ ଧନ୍ୟବାଦ ଦେଇଥିଲେ।ସୂଚନାଯୋଗ୍ୟ ଯେ ପତଞ୍ଜଳି ଯୋଗସମିତି କଳାହାଣ୍ଡି ପକ୍ଷରୁ ବର୍ଷ ତମାମ୍ ଯୋଗର ଉପକାରିତା ଓ ସଚେତନତା ନେଇ ଅନେକ କାର୍ଯ୍ୟକ୍ରମ ହେଉଛି।






