ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦିର୍ଘ ଦୁଇ ଦଶନ୍ଧି ର ଦାବୀପରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାବାସୀଙ୍କ ଗୁହାରୀ ଶୁଣି ସରକାର ଗୋତମୁଣ୍ଡା-ଡାହିମାଲା ରାସ୍ତା ପାଇଁ ଅର୍ଥମଞ୍ଜୁର କରି ରାସ୍ତା କାର୍ଯ୍ୟ ହେଉଛି। ହେଲେ ଅତ୍ୟନ୍ତ ନିମ୍ନମାନର କାମ ହେଉଥିବା ଅଭିଯୋଗ ରାସ୍ତା ଆରମ୍ବରୁ ସଚେତନ ନାଗରିକ, ଯାତ୍ରୀ ମାନେ ପ୍ରଶାସନ ଓ ଗଣମାଧ୍ୟମ ପାଖରେ କରିଛନ୍ତି। ହେଲେ ପ୍ରଭାବ ଶାଳୀ ଠିକାଦାରଙ୍କ ପ୍ରଭାବରେ ପ୍ରଶାସନ ଚୁପ ବସିବା ଭଳି ମନେ ହେଉଛି। ଠିକା ସଂସ୍ଥା ରାତାରାତି କାମ ସାରି ଦେଉଛି ଯାହା ଫଳରେ ରାସ୍ତା କାମ ନ ସରୁଣୁ ରାସ୍ତା ସ୍ୱାହା ହେବାରେ ଲାଗିଛି। ସୂଚନା ମୂତାବକ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ପ୍ରାୟ ୮ କିଲୋମିଟର ବିଶିଷ୍ଟ ଏହି ନୂତନ ରାସ୍ତା ନିମନ୍ତେ ୭ କୋଟି ୫୧ ଲକ୍ଷ ୩୨ ହଜାର ୮୨୧ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ହେଲେ ଏହି ରାସ୍ତାର ଟେଣ୍ଡର ପାଇଥିବା ମୂଳ ସଂସ୍ଥା କାର୍ଯ୍ୟ କରୁ ନଥିବା ବେଳେ ଲଡୁଗାଁର ଜଣେ ଛାୟା ଠିକାଦାର (ସବ୍ କଣ୍ଟାକଟର) କୁ କାମ ଟେକି ଦେଇଥିବା ଜଣାପଡିଛି। ଏହି ଠିକାଦାର ଜଣକ ମୋରମ ସ୍ଥାନରେ ନାଲି ମାଟି ବ୍ୟବହାର କରିବା ସହ ଅତି ନିମ୍ନମାନର ମେଟାଲ, ଚିପ୍ ବ୍ୟବହାର କରିଥିବା ଜଣାପଡିଛି। ଏଣେ ପିଚୁ କାମ ଏତେ ନିମ୍ନମାନର ଯେ’ ସାମାନ୍ୟ ଚାରିଚକିଆ ଯାନ ଟିଏ ରାସ୍ତାରେ ଚାଲିଲେ ପିଚୁ ଉଠି ଯାଉଛି। ବର୍ତ୍ତମାନ କଂକ୍ରିଟ କାମ ଚାଲିଥିବା ବେଳେ ତାହା ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି। ଏଣେ କାର୍ଯ୍ୟ ସ୍ଥଳରେ କୌଣସି ବିଭାଗୀୟ ଅଧିକାରୀ ମଧ୍ୟ ରହୁ ନାହାନ୍ତି। ଯାହାର ଫାଇଦା ନେଇ ଠିକାଦାର ଜଣକ ନିଜର ମନମାନି ଚଳାଇ ରାସ୍ତା କାମ କରି ଚାଲିଛନ୍ତି। ବର୍ତ୍ତମାନ ରାସ୍ତାର ଏକାଧିକ ସ୍ଥାନରେ ପିଚୁ ଉଠିଯାଇ ମାଟି ଦେଖା ଦେଲାଣି। ଏସବୁକୁ ନେଇ ବାରମ୍ବାର ଅଞ୍ଚଳବାସୀ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଅଞ୍ଚଳର ଜଣେ ସଚେତନ ବ୍ୟକ୍ତି ନିମ୍ନମାନର କାର୍ଯ୍ୟ କୁ ନେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଅଭିଯୋଗ ଦେଇଥିବା ଜଣାପଡିଛି। ଏହା ସତ୍ତ୍ୱେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରୁ ନାହାନ୍ତି। ଯାହା ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଣୁ ରାଜ୍ୟ ସରକାର ପୂର୍ବରୁ ସମ୍ପୃକ୍ତ ଠିକା ସଂସ୍ଥା କୁ କଳା ତାଲିକା ଭୁକ୍ତ କରିବା ପାଇଁ ଦାବି ହୋଇଛି । ସୂଚନା ଥାଉ କି ଏହି ରାସ୍ତା କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା କୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ଅଟେ, ଏହି ରାସ୍ତାରେ ୨୫ ଗୋଟି ଗ୍ରାମ ପଞ୍ଚାୟତର ୫୫ ଗୋଟି ଗ୍ରାମର ଲୋକଙ୍କ ସହିତ ଅଞ୍ଚଳର ହଜାର ହଜାର ଲୋକ ନିର୍ଭର କରୁଛନ୍ତି। ଏନେଇ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାରୁ ଅତି ହାଲୁକା ଭାବରେ ଉତ୍ତର ଦେଇଥିବା ବେଳେ ନିମ୍ନମାନର କାର୍ଯ୍ୟ ଯଦି ହେଉଛି ତା ହେଲେ ଆମେ ତଦାରଖ କରିବୁ ବୋଲି କଥାକୁ ଏଡ଼ାଇ ଦେଇଥିଲେ।





