୧୦ରୁ ସାମୁହିକ ଛୁଟିରେ ଯିବାକୁ ଚେତାବନୀ
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବିଭିନ୍ନ ଦାବି ପୂରଣ ଦାବିରେ କୋକସରା ବ୍ଲକ ଯୋଗାଣ ସହାୟକ ସଂଘ ଆସନ୍ତା ୧୦ ତାରିଖରୁ ସାମୂହିକ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି। ଏନେଇ ସଂଘ ପକ୍ଷରୁ ମଙ୍ଗଳବାର କୋକସରା ବିଡ଼ିଓ ଡ଼ଃ ହିମାଞ୍ଚଳ ମାଝୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଯୋଗାଣ ସହାୟକମାନଙ୍କ ନ୍ୟାୟୋଚିତ ଦାବି ପ୍ରତି ସରକାର ଏଯାବତ୍ କର୍ଣ୍ଣପାତ କରୁନାହାନ୍ତି। ତେଣୁ ବାଧ୍ୟ ହୋଇ ଚଳିତ ମାସ ୧୦ ତାରିଖରୁ ସମସ୍ତେ ସାମୂହିକ ଛୁଟିରେ ଯିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଜୁଲାଇ ଓ ଅଗଷ୍ଟ ମାସର ରାସନ ବଣ୍ଟନ ପାଇଁ ପ୍ରଶାସନ ଚାପ ପକାଉଥିବା ବେଳେ ସଂଘ ପକ୍ଷରୁ ଏହାକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରାଯାଇଛି। ସଂଘ ଆହୁରି କହିଛି ଯେ’ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ତଥା ପଞ୍ଚାୟତ କର୍ତ୍ତୃପକ୍ଷ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଚାପପ୍ରୟୋଗ ନକରିବାକୁ କହିଛି। ପୂର୍ବରୁ ମଧ୍ୟ ସଂଘ ପକ୍ଷରୁ ସରକାରଙ୍କୁ ଦାବି ଜଣାଇସାରିଛୁ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଏପରି ନିଷ୍ପତ୍ତି ନେବାକୁ ପଡ଼ିଛି। ଆବଶ୍ୟକ ପଡ଼ିଲେ ଆମେ ବୃହତ୍ତର ଆନ୍ଦୋଳନକୁ ମଧ୍ୟ ଯିବୁ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ଏହି ଦାବିପତ୍ର ପ୍ରଦନ ସମୟରେ ଯୋଗାଣ ସହାୟକ ବିକ୍ରମ କୁମାର ସାହୁ, ଟିକେଶ୍ବର ବାଗ, ଦୟାନିଧି ଶବର, ପ୍ରକାଶ ନାଗ, ଧର୍ମେନ୍ଦ୍ର କୁମାର ଦାସ, ପ୍ରଶାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।





