ଉତ୍କଳର ଦ୍ୱିତୀୟ ଶତାବ୍ଦୀର ରୋଡ୍‌ମ୍ୟାପ୍ ଉନ୍ମୋଚିତ : ପ୍ରକାଶ ପାଇଲା ‘ହ୍ୱାଇଟ୍ ପେପର୍ ୨୦୨୬’

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ଆକଳନ ପ୍ରକୋଷ୍ଠ ପକ୍ଷରୁ ଆୟୋଜିତ ‘ରିରାଇଟିଂ ଉତ୍କଳ: ସ୍କ୍ରିପ୍ଟିଂ ଏ ନ୍ୟୁ ଗ୍ରାମାର୍ ଫର୍ ଦି ୟୁନିଭରସିଟି’ ଶୀର୍ଷକ ଏକ ଦିବସୀୟ କର୍ମଶାଳାରେ ‘ହ୍ୱାଇଟ୍ ପେପର୍ ୨୦୨୬’ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଏକାଡେମିକ୍ ଅଡିଟ୍ ରିପୋର୍ଟ ଏବଂ ଓଏସଡି ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ଶ୍ୱେତପତ୍ରର ଦୃଷ୍ଟିକୋଣ ଓ ପ୍ରମୁଖ ବିଷୟବସ୍ତୁ ଉପରେ ଆଧାରିତ ଏକ ସଂକ୍ଷିପ୍ତ ସୂଚନାମୂଳକ ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା। କର୍ମଶାଳାର ପ୍ରଥମ ଅଧିବେଶନରେ IQAC ଏବଂ ଗବେଷଣା ଓ ବିକାଶ ପ୍ରକୋଷ୍ଠର ନିର୍ଦ୍ଦେଶକମାନେ ଶ୍ୱେତପତ୍ରର ପରିକଳ୍ପନା, ଉଦ୍ଦେଶ୍ୟ ଓ ଦୀର୍ଘମିଆଦୀ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ଅଧ୍ୟାପକମାନେ ଏ ନେଇ ବିସ୍ତୃତ ଆଲୋଚନା କରି ଗଠନମୂଳକ ମତାମତ ଓ ପରାମର୍ଶ ଦେଇଥିଲେ।

ଦ୍ୱିତୀୟ ଅଧିବେଶନରେ ଏକାଡେମିକ୍ ଅଡିଟ୍ ରିପୋର୍ଟ ଏବଂ OSD ରିପୋର୍ଟ ଉପସ୍ଥାପିତ ହୋଇ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ଓ ପ୍ରଶାସନିକ ଗୁଣାତ୍ମକ ଉନ୍ନତି ଉପରେ ଆଲୋଚନା ହୋଇଥିଲା। ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ, ୨୦୪୩ରେ ଉତ୍କଳ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଏବଂ ୨୦୪୭ର ‘ବିକଶିତ ଭାରତ’ ଲକ୍ଷ୍ୟକୁ ଆଧାର କରି ପ୍ରସ୍ତୁତ ଏହି ଶ୍ୱେତପତ୍ରେ ୨୦୨୬ରୁ ୨୦୪୩ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଶୈକ୍ଷିକ, ଗବେଷଣା, ପ୍ରଶାସନିକ ଓ ଅନୁଷ୍ଠାନିକ ରୂପାନ୍ତରଣ ପାଇଁ ଏକ ସୁଦୂରପ୍ରସାରୀ ରୋଡ୍‌ମ୍ୟାପ୍ ରହିଛି। ଏହା ବିଶ୍ୱବିଦ୍ୟାଳୟକୁ ଏକ ଭବିଷ୍ୟତମୁଖୀ ଜ୍ଞାନକେନ୍ଦ୍ର ଭାବେ ଗଢ଼ିତୋଳିବାରେ ଦିଗଦର୍ଶନ ପ୍ରଦାନ କରିବ।

କର୍ମଶାଳାର ଉଦ୍‌ଯାପନୀ ସଭାରେ କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଶ୍ୱେତପତ୍ରକୁ ବିଶ୍ୱବିଦ୍ୟାଳୟର ଆତ୍ମସମୀକ୍ଷା, ନବୀକରଣ ଓ ରୂପାନ୍ତରଣର ଏକ ଦୀର୍ଘମିଆଦୀ ନୀତିପତ୍ର ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଏହା କେବଳ ଏକ ଦସ୍ତାବିଜ ନୁହେଁ, ବରଂ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ଶତାବ୍ଦୀ ପାଇଁ ଏକ ସାମୂହିକ ଦୃଷ୍ଟିକୋଣ। ଅଧ୍ୟାପକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତାଙ୍କୁ ଶ୍ୱେତପତ୍ରକୁ ଅଧ୍ୟୟନ କରି ଗଠନମୂଳକ ମତାମତ ଓ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିବାକୁ ସେ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମର ଶେଷରେ ଗବେଷଣା ଓ ବିକାଶ ପ୍ରକୋଷ୍ଠର ନିର୍ଦ୍ଦେଶକ ପ୍ରଫେସର ପ୍ରସନ୍ନ ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.