‘ହର ଘର ତିରଙ୍ଗା’ ଓ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’କୁ ନେଇ ବାଲେଶ୍ଵରରେ ଆରମ୍ଭ ହେଲା ଚାରି ଦିନିଆ ଚିତ୍ରକଳା-ଭାସ୍କର୍ଯ୍ୟ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): “ହର ଘର ତିରଙ୍ଗା–୨୦୨୬” ଏବଂ “ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍‌ର ୧୫୦ତମ ବର୍ଷପୂର୍ତ୍ତି ଅଭିଯାନ” ଅବସରରେ ବାଲେଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ ମହାବିଦ୍ୟାଳୟ ପରିସରରେ “ହର ଘର ତିରଙ୍ଗା–୨୦୨୬” ଏବଂ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ବିଷୟବସ୍ତୁକୁ ଆଧାର କରି ଏକ ଚିତ୍ରକଳା ଓ ଭାସ୍କର୍ଯ୍ୟ କର୍ମଶାଳା ମଙ୍ଗଳବାର ଦିନ ଉଦ୍‌ଘାଟିତ ହୋଇଯାଇଛି।

ପୂର୍ବାହ୍ନ ୧୦.୪୫ ଘଟିକାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶାସକ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ କର୍ମଶାଳାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରବୋଧ କୁମାର ମଲ୍ଲିକ, ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ୱିନୀ ରାଉତ ଏବଂ ବାଲେଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ ମହାବିଦ୍ୟାଳୟର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ ଉପସ୍ଥିତ ଥିଲେ।

ଅତିଥିମାନେ ନିଜ ଅଭିଭାଷଣରେ ଦେଶପ୍ରେମ, ଜାତୀୟ ଏକତା ଏବଂ ସ୍ୱାଧୀନତା ସଂଗ୍ରାମର ସ୍ମୃତିକୁ ନୂତନ ପିଢ଼ି ମଧ୍ୟରେ ପହଞ୍ଚାଇବାରେ କଳା ଓ ସଂସ୍କୃତିର ଭୂମିକା ଉପରେ ଆଲୋକପାତ କରିଥିଲେ। କର୍ମଶାଳା ମାଧ୍ୟମରେ ଶିଳ୍ପୀମାନେ ନିଜ ସୃଜନଶୀଳତା ଦ୍ୱାରା ଦେଶଭକ୍ତି ଓ ଇତିହାସର ବିଭିନ୍ନ ଦିଗକୁ ଚିତ୍ର ଓ ଭାସ୍କର୍ଯ୍ୟରେ ରୂପାୟିତ କରିବେ ବୋଲି କୁହାଯାଇଥିଲା। ଆସନ୍ତା ୧୪ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କର୍ମଶାଳାରେ ବିଭିନ୍ନ ଶିଳ୍ପୀ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରୁଛନ୍ତି। କର୍ମଶାଳାରେ ପ୍ରସ୍ତୁତ ଚିତ୍ରକଳା ଓ ଭାସ୍କର୍ଯ୍ୟଗୁଡ଼ିକୁ ସ୍ୱାଧୀନତା ଦିବସ ଅବସରରେ ଆସନ୍ତା ୧୫ ଅଗଷ୍ଟରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ମାଧ୍ୟମରେ ଜନସାଧାରଣଙ୍କ ପାଇଁ ପ୍ରଦର୍ଶିତ କରାଯିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.