ବାଲେଶ୍ଵରରେ ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନା ସମ୍ପର୍କିତ ଜିଲ୍ଲାସ୍ତରୀୟ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଜିଲ୍ଲାପାଳଙ୍କ ଅଡିଟୋରିୟମ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ତପନ କୁମାର ଖୁଣ୍ଟିଆ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ନାରୀ ସଶକ୍ତିକରଣ ଓ କିଶୋରୀ ବାଳିକାମାନଙ୍କ ସୁରକ୍ଷିତ ଭବିଷ୍ୟତ ଦିଗରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ମିଳିତ ପଦକ୍ଷେପକୁ ସ୍ୱାଗତ ଜଣାଇ ଥିଲେ। କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ପ୍ରୋଟେକ୍ସନ କମ୍ ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ଯୁଥିକାରାଣୀ ରାୟ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ଗିରିବାଲା ମହନ୍ତ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ପ୍ରଶିକ୍ଷକ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଓକିଲ ଅମ୍ବୁଜା ଦାସ, ପ୍ରଶିକ୍ଷକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିବ୍ୟଜ୍ୟୋତି ଦାସ, ପ୍ରଶିକ୍ଷକ ଲିଡ୍ ବ୍ୟାଙ୍କ୍ ଅଧିକାରୀ ମୋହିତ କୁମାର ସା ପ୍ରମୁଖ ମଞ୍ଚାସୀନ ହୋଇ କିଶୋରୀ ବାଳିକା ମାନଙ୍କର ଉଜ୍ଜ୍ୱଳ ଏବଂ ସୁରକ୍ଷିତ ଭବିଷ୍ୟତ ପାଇଁ ବିଭିନ୍ନ ପ୍ରକାରର ଦକ୍ଷତା ବିକାଶର ଆବଶ୍ୟକତା ରହିଛି ବୋଲି ଦର୍ଶାଇଥିଲେ। ଭଲ ସୂଚନା ଗୁଡ଼ିକ ନିଜେ ଜାଣିବା ସହିତ ଅନ୍ୟ ମାନଙ୍କୁ ଜଣାଇବା ଆବଶ୍ୟକ ବୋଲି କିଶୋରୀ ବାଳିକାମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କର୍ମଶାଳାରେ ଆଇନ, ପୋଲିସ ବ୍ୟାଙ୍କ୍ ସଂସ୍ଥାରୁ ଉପସ୍ଥିତ ଥିବା ୩ଜଣ ପ୍ରଶିକ୍ଷକଙ୍କ ଦ୍ଵାରା ମୌଳିକ କମ୍ପ୍ୟୁଟର ଶିକ୍ଷା, ଇଣ୍ଟରନେଟ ବ୍ୟବହାର, ଇମେଲ ସେଟ୍ଅପ୍, ସୁରକ୍ଷିତ ଡିଜିଟାଲ ଅଭ୍ୟାସ, ପ୍ରଭାବଶାଳୀ ଯୋଗାଯୋଗ ଦକ୍ଷତା, ଦଳଗତ କାର୍ଯ୍ୟ ଓ ବୃତ୍ତିଗତ ଶିଷ୍ଟାଚାର, ବୃତ୍ତିଗତ ଦକ୍ଷତା, ଉନ୍ନତ କୌଶଳ ସହିତ ବ୍ୟବହାରିକ ତାଲିମ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। କିଶୋରୀ ବାଳିକାମାନଙ୍କୁ ଅଧିକ ଉତ୍ସାହିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଜଣ ଚାମ୍ପିଅନ କିଶୋରୀଙ୍କୁ ନଗଦ ଅର୍ଥ ରାଶି ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। କର୍ମଶାଳାକୁ ଅଧିକ ସାରସ୍ୱତ କରିବା ନିମନ୍ତେ ଜିଲ୍ଲାର ସମସ୍ତ ଶିଶୁ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର, ଶିକ୍ଷକ/ଶିକ୍ଷିକା, ପ୍ରାୟ ୭୦ ଜଣରୁ ଉର୍ଦ୍ଧ କିଶୋରୀ ବାଳିକା, ପିଆରଆଇ ସଭ୍ୟ/ସଭ୍ୟା, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ଜିଲ୍ଲା ମହିଳା ସଶକ୍ତିକରଣ କାର୍ଯ୍ୟାଳୟର କର୍ମକର୍ତ୍ତାଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀ ସକ୍ରିୟ ଅଂଶଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ। ସମାଜ ମଙ୍ଗଳ କାର୍ଯ୍ୟାଳୟର ଜିଲ୍ଲା ପ୍ରୋଗ୍ରାମ ସଂଯୋଜକ(ମମତା) ବାମଦେବ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ମହିଳା ସଶକ୍ତିକରଣ କାର୍ଯ୍ୟାଳୟର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ପାଳ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରି କର୍ମଶାଳାକୁ ଉଦଯାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.