ଏବିଭିପିର ଅନଧିକୃତ ପ୍ରବେଶ ଓ ଲାଉଡସ୍ପିକର ବ୍ୟବହାରକୁ ନେଇ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିନ୍ଦା; କାର୍ଯ୍ୟାନୁଷ୍ଠାନ ଦାବି

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲାପାଳଙ୍କ ଚିଠି ଅନୁଯାଇ ଅଗଷ୍ଟ ୧୩ ତାରିଖରେ ଜିଲ୍ଲା ପ୍ରଶାସନ ତରଫରୁ ‘ହର ଘର ତ୍ରିରଙ୍ଗା’ ଶୋଭାଯାତ୍ରା କରାଯିବାର କାର୍ଯ୍ୟକ୍ରମ ରହିଛି। ଏନେଇ ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ କତୃପକ୍ଷ ମଧ୍ୟ ସରକାରୀ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଯୋଗଦେବା ପାଇଁ ଚିଠି କରିଛନ୍ତି। କିନ୍ତୁ ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଠାରେ କାର୍ଯ୍ୟକ୍ରମର ଠିକ୍ ଗୋଟିଏ ଦିନ ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କିଛି ଛାତ୍ର ଓ ଅଣଛାତ୍ର କର୍ମକର୍ତ୍ତା ବିନା ଅନୁମତିରେ ଶୃଙ୍ଖଳା ଭଙ୍ଗ ସହ ଅନଧିକୃତ କାର୍ଯ୍ୟକ୍ରମ କରିବାର ଅଭିଯୋଗ ହୋଇଛି। ଏନେଇ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଲିଖିତ ଭାବରେ କୂଳସଚିବ ଡଃ ଗୁଣନିଧି ନାୟକଙ୍କ ପାଖରେ ଫେରାଦ ହୋଇଛନ୍ତି। ବିନା ଅନୁମତିରେ ପାଠପଢା ଚାଲିଥିବା ସମୟରେ କିଭଳି ଏକ ଛାତ୍ର ସଂଗଠନ ନିଜର ବ୍ୟାନର, ପତାକା ଓ ସାଉଣ୍ଡ ସିଷ୍ଟମ ବ୍ୟବହାର କରି ବିଶ୍ବବିଦ୍ୟାଳୟ ଭିତରେ ହୋ ହାଲ୍ଲା କଲେ ବୋଲି ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପୂର୍ବରୁ ବିଶ୍ୱବିଦ୍ୟାଳୟ ପରିସରରେ ଅଣ ଛାତ୍ରମାନେ ପ୍ରବେଶ କରିବା ସହ ବିଶ୍ବବିଦ୍ୟାଳୟ ଛାତ୍ରମାନଙ୍କୁ ତାଲିବାନୀ ଓ ପାକିସ୍ତାନୀ କହିଥିବା ଅଭିଯୋଗ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ଏକ ଇଣ୍ଡିଆନ ଗ୍ୟାସ ଏଜେନ୍ସୀର ଗାଡ଼ିରେ ଏବିଭିପି ପତାକା ସହ ଲାଉଡସ୍ପିକର ବ୍ୟବହାରକୁ ମଧ୍ୟ ନିନ୍ଦା କରାଯାଇଛି। କଲେଜ ପାଠପଢ଼ା ସମୟରେ କ୍ୟାମ୍ପସ ଭିତରେ ଶୃଙ୍ଖଳା ଉଲ୍ଲଂଘନ ଏବଂ ଅସଦାଚରଣ ପାଇଁ ତିନି ଜଣ ଛାତ୍ର ଏବଂ ଜଣେ ଅଣଛାତ୍ରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଅଣଛାତ୍ରଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମଧ୍ୟ ଦାବି କରାଯାଇଛି। ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ କତୃପକ୍ଷ ଯଦି ଏହା ଉପରେ ବିହିତ ପଦକ୍ଷେପ ନନେଲେ ଖୁବ୍ ଶୀଘ୍ର ଆନ୍ଦୋଳନ କରାଯିବ ବୋଲି ଛାତ୍ର ଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଛାତ୍ର ନେତା ମୁରଲୀଧର ସାହୁ, ସିଦ୍ଧାର୍ଥ ନାଏକ, କଲ୍ୟାଣ ସାହୁ, ସାସ୍ୱତ ପାଢ଼ୀ,ବିଶ୍ବ ବିଶି, ସୁରଜ ହରପାଲ ପ୍ରମୁଖ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.