ଏ ମାଟି କଥା କହେ ବୀରତ୍ୱର ଅମର ଗାଥା କହେ,
ବାଣପୁରର ବୀର ପାଇକର ଅବିସ୍ମରଣୀୟ ତ୍ୟାଗ କହେ।
ଘୋଡ଼ା ଖୁରର ଧ୍ୱନିରେ ଯେ ମାଟି ଥରିଥିଲା ଦିନେ,
ତଲୱାରର ଝଲକରେ ସ୍ୱାଭିମାନ ଜାଗିଥିଲା ଯାହାର ବକ୍ଷେ।
ଏଇ ମାଟିର ପାଇକ ଥିଲେ ସ୍ୱାଭିମାନର ପ୍ରତୀକ,
ମାତୃଭୂମି ପାଇଁ ତ୍ୟାଗ ଥିଲା ତାଙ୍କ ଜୀବନର ସଂକଳ୍ପ।
ଅନ୍ୟାୟ ଓ ଅତ୍ୟାଚାର ଆଗରେ ନ ନୁଆଇଲେ ମଥା,
ରକ୍ତର ପ୍ରତିଟି ବିନ୍ଦୁରେ ଲେଖିଗଲେ ସଂଗ୍ରାମର ଗାଥା।
ଆଜି ବି ବାଣପୁର ପବନେ ଶୁଭେ ସେହି ରଣହୁଙ୍କାର,
ପାହାଡ଼-ପ୍ରାନ୍ତରେ ଗୁଞ୍ଜିଉଠେ ବୀର ପାଇକର ଜୟକାର।
ଚିଲିକାର ଢେଉରେ ଆଜି ବି ଜୀବନ୍ତ ତାଙ୍କର ବଳିଦାନ,
ଏ ମାଟିର ପ୍ରତି କଣିକାରେ ଅମର ତାଙ୍କର ସମ୍ମାନ।
ଏ ମାଟି କହେ, “ମୁଁ ବୀରଙ୍କ ପବିତ୍ର ଜନନୀ,
ମୋ ଇତିହାସ ମୋର ଗୌରବ, ମୋ ତ୍ୟାଗ ମୋର ଅମର କାହାଣୀ।”
ପାଇକର ରକ୍ତେ ଆଜି ବି ଜାଗେ ଓଡ଼ିଆ ଅସ୍ମିତାର ଶିଖା,
ବାଣପୁରର ମାଟି କହେ “ତ୍ୟାଗ ମୋର ଶକ୍ତି, ସ୍ୱାଭିମାନ ମୋର ପରିଚୟ।”
କବି: ବିଶ୍ବବିଜୟୀ ଦାଶ
ପ୍ରତିଷ୍ଠାତା ତଥା ସମ୍ପାଦକ
ବ୍ରଜବିଳାସ ସାହିତ୍ୟ ପତ୍ରିକା
ଅଧ୍ୟାପକ, ରସାୟନ ବିଜ୍ଞାନ ବିଭାଗ
ବାଲୁଗାଁ ମହାବିଦ୍ୟାଳୟ, ବାଲୁଗାଁ
ଫୋନ୍ ନଂ: ୬୩୭୦୨୦୮୪୨୮





