ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା ‘ବିକଶିତ ଭାରତ ଯୁବ କନେକ୍ଟ’ ଓ ‘ନିଶାମୁକ୍ତ ଯୁବ’ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର ଏନ୍.ଏସ୍.ଏସ୍. ବ୍ୟୁରୋ ପକ୍ଷରୁ ‘ବିକଶିତ ଭାରତ ଯୁବ କନେକ୍ଟ’ ଏବଂ ‘ନିଶାମୁକ୍ତ ଯୁବ – ବିକଶିତ ଭାରତ’ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ସଭାରେ ବିଶ୍ୱବିଦ୍ୟାଳୟର ପି.ଜି. କାଉନ୍ସିଲ୍ ଅଧ୍ୟକ୍ଷ ପ୍ରଫେସର ଜଗ୍ନେଶ୍ୱର ଦଣ୍ଡପାଟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ଜୀବନଶୈଳୀ ଆପଣେଇ କ୍ୟାରିୟର୍ ଗଢ଼ିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅଜିତ କୁମାର କୁଶୱାହା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ଵାରା ଆରମ୍ଭ କରାଯାଇଥିବା ‘ମାଇ ଭାରତ’ ଡିଜିଟାଲ ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ‘ୟୁଥ୍ ଆଇକନ୍’ ସ୍ପନ୍ଦନ କୁମାର ନନ୍ଦ ଯୁବପିଢ଼ିଙ୍କୁ ଭବିଷ୍ୟତର ନେତୃତ୍ୱ ନେବାକୁ ଉତ୍ସାହିତ କରିଥିବା ବେଳେ ‘ନିଶାମୁକ୍ତ ୱାରିଅର୍’ ରବି ନାରାୟଣ ନାୟକ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଧ୍ୟାନ ଓ ଶିଥିଳୀକରଣ କୌଶଳ ସମ୍ପର୍କରେ ବୁଝାଇଥିଲେ। ଏନ୍.ଏସ୍.ଏସ୍. ସମନ୍ୱୟକ ଡଃ ଶାନ୍ତି ସ୍ୱରୂପ ସାହୁ କାର୍ଯ୍ୟକ୍ରମର ପରିଚାଳନା ଓ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଭିଡିଓ ପ୍ରଦର୍ଶନ ସହ ‘ମାଇ ଭାରତ’ ପୋର୍ଟାଲ୍ ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀ ଅନଲାଇନ୍‌ରେ ‘ନିଶାମୁକ୍ତ ଭାରତ’ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପି.ଜି. ଏନ୍.ଏସ୍.ଏସ୍. ପ୍ରୋଗ୍ରାମ୍ ଅଫିସର ଡଃ କବିତା ଦାସ, ଡଃ ପରମାନନ୍ଦ ନାଏକ, ଡକ୍ଟର ରଞ୍ଜିତ ମହାପାତ୍ର ଏବଂ ଏନ୍.ଏସ୍.ଏସ୍. ବ୍ୟୁରୋ କର୍ମଚାରୀ ପ୍ରଶାନ୍ତ ମହାରାଣା, ମମତା, ଜିତୁ ଦାସ ଓ ସୁବାସ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ପ୍ରାୟ ୩୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିବା ଏହି ସଭା ଶେଷରେ ଡକ୍ଟର କବିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.