ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପଂଚାୟତ ହାଇସ୍କୁଲ, ସରିଆଁର ମିଳିତ ସହଯୋଗରେ ଗୁରୁବାର “ହର ଘର ତ୍ରିରଙ୍ଗା “ଅଭିଯାନ ଅବସରରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ସାହା ଓ ପଂଚାୟତ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ଶତପଥିଙ୍କ ନେତୃତ୍ୱରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ଳର ସଦସ୍ୟମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ। ବିଦ୍ୟାଳୟ ପରିସରରୁ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରାଯାଇଥିଲା। ଶୋଭାଯାତ୍ରା ସମୟରେ ଜୟହିନ୍ଦ, ଭାରତ ମାତା କି ଜୟ, ବନ୍ଦେ ମାତରଂ ଧ୍ୱନିରେ ପରିବେଶ ମୁଖରିତ ହୋଇଥିଲା। ଏହା ମାଧ୍ୟମରେ ଛାତ୍ର ଛାତ୍ରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଦେଶପ୍ରେମ ଓ ମାତୃଭୂମି ପ୍ରତି ଶ୍ରଦ୍ଧାର ବାର୍ତ୍ତା ପହଂଚି ପାରିଥିଲା। ଦୁଇ ବିଦ୍ୟାଳୟର ଖେଳ ଶିକ୍ଷକ ସୁଧୀର କୁମାର ରାଉତ ଓ ଉମାକାନ୍ତ ଭୋଇ ଶୋଭାଯାତ୍ରାକୁ ଶାନ୍ତି, ଶୃଙ୍ଖଳାର ସହ ପରିଚାଳନା କରିଥିଲେ। ଏହି ଜାତୀୟ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଓମପ୍ରକାଶ ଛତ୍ରିଆ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସମସ୍ତଙ୍କୁ ପ୍ରଂଶସା ସହ ଧନ୍ୟବାଦ ଜଣାଇଥିଲେ। ଉକ୍ତ ଶୋଭାଯାତ୍ରାରେ ପଂଚାୟତ ହାଇସ୍କୁଲ ସରିଆଁର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଗଙ୍ଗା ନାରାୟଣ ଦାସ, ବରିଷ୍ଠ ଶିକ୍ଷକ କୈଳାଶ ଚନ୍ଦ୍ର ଭୋଇ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବଳଭଦ୍ର ହରିଜନ, କିଶୋର ଚନ୍ଦ୍ର ତ୍ରିପାଠୀ, ବାସୁଦେବ ବାଗ, ବାବୁ ପାଢ଼ୀ, ମଞ୍ଜୁଲତା ମୁର୍ମୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।





