ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ସ୍କୁଲଗୁଡିକର ଭିତ୍ତିଭୂମି ଯାଞ୍ଚ କରିବା ଉଦ୍ଦେଶ୍ୟରେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେର ଦୁର୍ଗମ ଲାଞ୍ଜି ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟ ଗସ୍ତ କରିଛନ୍ତି। ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମେହେର ମୂଷାନାଳ ପଞ୍ଚାୟତ ହାଇସ୍କୁଲ, ତେନ୍ତୁଳିପଙ୍ଗା ପ୍ରାଥମିକ ବିଦ୍ୟାଳୟ ଓ ଦାଣ୍ଡିଗୁଡା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଶିକ୍ଷାଧିକାରୀ ଶ୍ରୀ ମେହେର ସ୍କୁଲର ବିଭିନ୍ନ ଶ୍ରେଣୀ ଗୃହକୁ ଯାଇ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। କେବଳ ଯାଞ୍ଚ ନୁହେଁ, ସେ ନିଜେ କିଛି ସମୟ ପାଇଁ ପିଲାମାନଙ୍କୁ ପାଠ ମଧ୍ୟ ପଢ଼ାଇଥିଲେ। ଶିକ୍ଷାଧିକାରୀଙ୍କୁ ନିଜ ଗହଣରେ ପାଇ ଏବଂ ତାଙ୍କ ପାଠ ପଢ଼ାଇବା ଶୈଳୀକୁ ଦେଖି ବିଦ୍ୟାଳୟର କୋମଳମତି ଛାତ୍ରଛାତ୍ରୀମାନେ ବେଶ ଉତ୍ସାହିତ ହୋଇଥିଲେ। ଏହାସହିତ ବିଦ୍ୟାଳୟରେ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ମଧ୍ୟ ସମୀକ୍ଷା କରିଥିଲେ। ସେ ନିଜେ ମଧ୍ୟାହ୍ନ ଭୋଜନର ରୋଷେଇ ଶାଳକୁ ଯାଇ ଖାଦ୍ୟର ଗୁଣବତ୍ତା ଏବଂ ସ୍ୱଚ୍ଛତା ପରୀକ୍ଷା କରିଥିଲେ। ପିଲାମାନଙ୍କୁ ଦିଆଯାଉଥିବା ଖାଦ୍ୟ ଯେପରି ସୁଷମ ଏବଂ ସ୍ୱାସ୍ଥ୍ୟକର ହେବ, ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ସେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ପାଚିକାମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଏଭଳି ସ୍ୱତଃପ୍ରବୃତ୍ତ ପରିଦର୍ଶନ ଏବଂ ସ୍କୁଲ ପିଲାଙ୍କୁ ପାଠ ପଢ଼ାଇବା କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଅଭିଭାବକମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଏହା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବ ବୋଲି ସେମାନେ ମତ ଦେଇଛନ୍ତି।






