ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶବ୍ୟାପୀ ପାଳିତ ହେଉଛି “ହର ଘର ତ୍ରିରଙ୍ଗା” ଅଭିଯାନ। ଏହି ଅବସରେ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ସ୍ଥିତ ଜଗନ୍ନାଥ ମନ୍ଦିରରୁ ଲାଞ୍ଜିଗଡ଼ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ହାତରେ ଜାତୀୟ ପତାକା ଧରି ହଜାର ହଜାର ଯୁବକ, ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ଏହି ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। “ଭାରତ ମାତା କି ଜୟ” ଓ “ବନ୍ଦେ ମାତରମ୍” ଧ୍ୱନିରେ ଗଗନ ପବନ କମ୍ପିଉଠିଥିଲା। ଏହି ଶୋଭାଯାତ୍ରାରେ ବ୍ଲକର ବିଭିନ୍ନ ପ୍ରମୁଖ ରାସ୍ତା ଦେଇ ପରିକ୍ରମା କରିବା ସହ ଅଞ୍ଚଳବାସୀଙ୍କ ମନରେ ଦେଶପ୍ରେମର ନୂତନ ଶିହରଣ ସୃଷ୍ଟି କରିଥିଲା। ଏହି ବାଇକ୍ ରାଲିରେ ରାଜନୀତି କିମ୍ବା ଭେଦଭାବ ନରଖି ସମସ୍ତେ ଏକତ୍ରିତ ହୋଇଥିଲେ। ଜାତୀୟ ପତାକା ତଳେ ସମସ୍ତେ ଏକ ହୋଇ ଏହି ଅଭିଯାନକୁ ସଫଳ କରିବା ସହ “ହର ଘର ତ୍ରିରଙ୍ଗା”ର ସନ୍ଦେଶକୁ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇ ପାଳନ କରିବାକୁ ବାର୍ତ୍ତା ଦେଇଥିଲେ। ଏହି ଶୋଭାଯାତ୍ରାରେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାପତି ରମେଶ ମାଝୀ, ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର, ଲାଞ୍ଜିଗଡ଼ ତହସିଲଦାର ଡ଼ଃ ବନମାଳୀ ମେହେର, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଂଜୀବ ନାୟକ, ବ୍ଲକ ଯୋଗାଣ ଅଧିକାରୀ ଦିଲ୍ଲୀପ ନାୟକ, ବିଏସ୍ଏସ୍ଓ ଅରବିନ୍ଦ ମହାପାତ୍ର, ଆଞ୍ଚଳିକ ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଧର ପେସେନିଆ ପ୍ରମୁଖ ଯୋଗଦେଇଥିଲେ। ସମିତିସଭ୍ୟ ମନହର ହରପାଲ, ପ୍ରଦୀପ ମାଝୀ, ଜଗଦିଶ ବେନିଆ, ସରପଞ୍ଚ ସରସ୍ବତୀ ମୁଣ୍ଡା, ସମାଜସେବୀ ସୁବାଷ ଅଗ୍ରୱାଲ, ତୁଳସୀ ମାଝୀ, ନରେନ୍ଦ୍ର ବେହେରାଙ୍କ ସମେତ ଲାଞ୍ଜିଗଡ଼ ଆଶ୍ରମ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ ଓ ଅଞ୍ଚଳବାସୀଙ୍କ ଅଭୂତପୂର୍ବ ସହଯୋଗ ଯୋଗୁଁ ଏହି ତ୍ରିରଙ୍ଗା ଯାତ୍ରା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ସଫଳତାର ସହ ସମ୍ପନ୍ନ ହୋଇଥିଲା।






