ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍-୬ ସ୍ଥିତ ସମାଜବାଦୀ ପାର୍ଟିର ରାଜ୍ୟ କାର୍ଯ୍ୟାଳୟ ପରିସରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ସଭାପତି ଶ୍ରୀ ଶିବ ହାତୀ ଯାଦବ ମୁଖ୍ୟାଳୟ ବାହାରେ ଥିବାରୁ ଉକ୍ତ ଉତ୍ସବରେ ରାଜ୍ୟ ଉପ-ସଭାପତି ଶ୍ରୀ ନିର୍ମଳ ଯତି ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ସଭାକୁ ସମ୍ବୋଧିତ କରିଥିଲେ। ଶ୍ରୀ ଯତି କହିଥିଲେ ଯେ, ସ୍ୱାଧୀନତାର ୮୦ ବର୍ଷ ବିତିଯାଇଥିଲେ ମଧ୍ୟ ସମାଜର ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ଏପର୍ଯ୍ୟନ୍ତ ଉପାନ୍ତ ଅଞ୍ଚଳଗୁଡ଼ିକରେ ପହଞ୍ଚି ପାରିନାହିଁ। ଫଳସ୍ୱରୂପ, ରାଜ୍ୟରେ ବେକାରୀ ଓ ଦାଦନ ସମସ୍ୟା ବଢ଼ିଚାଲିଛି। ସରକାରଙ୍କ ବିଭିନ୍ନ ମାଗଣା ଯୋଜନା ଯୋଗୁଁ ମଧ୍ୟବିତ୍ତ ପରିବାରଗୁଡ଼ିକର ଆର୍ଥିକ ସ୍ଥିତିରେ ଆଶାନୁରୂପ ଉନ୍ନତି ହୋଇପାରିନାହିଁ। ଲୋକମାନଙ୍କୁ ଦୀର୍ଘମିଆଦିରେ ଆତ୍ମନିର୍ଭରଶୀଳ କରିବା ଏବଂ ସେମାନଙ୍କ ଆର୍ଥିକ ମାନଦଣ୍ଡର ଉନ୍ନତି ପାଇଁ ପ୍ରଭାବଶାଳୀ ପଦକ୍ଷେପ ନିଆଯାଉ ନଥିବା ଦୁଃଖର ବିଷୟ ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ ଯେ, ୧୯୩୧ ମସିହା ପରଠାରୁ ଆଜିପର୍ଯ୍ୟନ୍ତ ଦେଶରେ ଜାତିଗତ ଜନଗଣନା ହୋଇପାରିନାହିଁ। ଫଳରେ ସମାଜର ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆବଶ୍ୟକ ନୀତି ଓ ଯୋଜନା ପ୍ରସ୍ତୁତ କରିବାରେ ସରକାର ବିଫଳ ହୋଇଛନ୍ତିl ଏଣୁ କେନ୍ଦ୍ର ସରକାର ଲୋକସଭାରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଚଳିତ ଜନଗଣନା ସହିତ ଯଥାଶୀଘ୍ର ଜାତିଗତ ଜନଗଣନା କରିବାକୁ ସମାଜବାଦୀ ପାର୍ଟି, ଓଡ଼ିଶା ପ୍ରଦେଶ ପକ୍ଷରୁ ଦୃଢ଼ ଦାବି କରାଯାଇଛି।ଶ୍ରୀ ଯତି କହିଥିଲେ ଯେ, ଜାତିଗତ ଜନଗଣନା ବିନା ପଛୁଆ ବର୍ଗ ସମେତ ଦଳିତ ଓ ଆଦିବାସୀମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଜନସଂଖ୍ୟା ଅନୁପାତରେ ଉଚିତ ସଂରକ୍ଷଣ ଦେବା ସମ୍ଭବ ହେବ ନାହିଁ।ବର୍ତ୍ତମାନ ସମାଜରେ ସାଧାରଣ ବର୍ଗର ଜନସଂଖ୍ୟା ୪ ଶତକଡ଼ା ଥିବା ବେଳେ ସେମାନଙ୍କୁ ୧୦ ଶତକଡ଼ା EWS ସଂରକ୍ଷଣ ଦିଆଯାଇଥିବା ସହିତ ସାଧାରଣ ବର୍ଗ ୫୦ ଶତକଡ଼ା ସଂରକ୍ଷଣର ମଧ୍ୟ ଲାଭ ପାଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଏଥିସହ ସମାଜରୁ ଏପର୍ଯ୍ୟନ୍ତ ଜାତିବାଦ ସମ୍ପୂର୍ଣ୍ଣ ଦୂର ହୋଇନାହିଁ। ଆଜି ମଧ୍ୟ ଦଳିତ ଓ ଆଦିବାସୀମାନେ ସାମାଜିକ ଭେଦଭାବ ଓ ନିଷ୍ପେସିତର ଶିକାର ହେଉଛନ୍ତି। ଏହି ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ବିଜେପି ସରକାର ତୁରନ୍ତ ଜାତିଗତ ଜନଗଣନା କରାଇବାକୁ ସେ ଦାବି କରିଥିଲେ।ଜାତିଗତ ଜନଗଣନା ହେଲେ ପ୍ରକୃତ ଜନସଂଖ୍ୟାର ଚିତ୍ର ସ୍ପଷ୍ଟ ହେବ ଏବଂ ଦୁଧ୍ କା ଦୁଧ୍ ଓ ପାନି କା ପାନି ଜଣାପଡ଼ିଯିବl ସର୍ବଶେଷରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଯତି କହିଥିଲେ ଯେ, ଯାହାର ସଂଖ୍ୟା ଯେତେ ତା’ର ଭାଗ ସେତେl ଉକ୍ତ ଉତ୍ସବକୁ ରାଜ୍ୟ ମହାସଚିବ ଶ୍ରୀଯୁକ୍ତ ପ୍ରତାପ କିଶୋର ବାରିକ ପରିଚାଳନା କରିଥିଲେ ଓ ବରିଷ୍ଠ ସମାଜବାଦୀ ନେତା ବିକ୍ରମସେନ ବେହେରା, ନୟାଗଡ ସଭାପତି ହୁଳ୍ଳାସ ବାରିକ, ନବରଙ୍ଗପୁର ସଭାପତି ପୁରୁଷୋତ୍ତମ ପୂଝାରୀ, କୃଷକ ସେଲ୍ ରାଜ୍ୟ ସଭାପତି ବିଜୟ ବେହେରା, ରାଜ୍ୟ ଯୁବସଭା ସମ୍ପାଦକ ରମାକାନ୍ତ ହାତୀ, ସନ୍ତୋଷ କୁମାର ବାଗ, କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ପାତ୍ର ଓ ନାରୀ ନେତ୍ରୀ ଶାନ୍ତିଲତା ଶତପଥି ପ୍ରମୁଖ ଆଲୋଚନାରେ ଭାଗ ନେଇ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସ୍ମରଣ କରିଥିଲେ।





