• ଉତ୍ତର ଓଡ଼ିଶାରେ ସବୁଜ ନିଯୁକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ରୋଜଗାର ଓ ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହନ
• ୪,୩୦୦ ବ୍ୟକ୍ତି ଦକ୍ଷତା ବିକାଶରେ ପ୍ରଶିକ୍ଷିତ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଟିପି ନର୍ଦ୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ଏବଂ ଟାଟା ପାୱାର ସ୍କିଲ୍ ଡେଭଲପମେଣ୍ଟ ଇନ୍ଷ୍ଟିଚ୍ୟୁଟ୍ର ମିଳିତ ସହଯୋଗରେ ପରିଚାଳିତ ‘ସବୁଜ ନିଯୁକ୍ତି ତାଲିମ କାର୍ଯ୍ୟକ୍ରମ’ର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ସମାପ୍ତ କରିଥିବା ୧୨୦ ଜଣ ଗ୍ରାମୀଣ ଯୁବକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସୌର ଶକ୍ତି କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ସହ ଗ୍ରାମୀଣ ଯୁବକମାନଙ୍କୁ ଆବଶ୍ୟକ ବୈଷୟିକ ଦକ୍ଷତା ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। କମ୍ପାନୀର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର୍) କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ ଯୁବକମାନଙ୍କୁ ଶିଳ୍ପ କ୍ଷେତ୍ରର ଆବଶ୍ୟକତା ଅନୁଯାୟୀ ବୈଷୟିକ ତାଲିମ ପ୍ରଦାନ କରାଯାଉଛି। ଏହାଦ୍ୱାରା ଅକ୍ଷୟ ଶକ୍ତି କ୍ଷେତ୍ରରେ ସେମାନଙ୍କ ନିଯୁକ୍ତି ସମ୍ଭାବନା ବୃଦ୍ଧି ପାଇବ। ପ୍ରଥମ ପର୍ଯ୍ୟାୟରେ ଆଠଟି ଦଳରେ ଦୁଇଟି ବିଷୟରେ ତାଲିମ ଦିଆଯାଇଥିଲା। ସେଗୁଡ଼ିକ ହେଉଛି ସୌରଶକ୍ତି ପର୍ଯ୍ୟବେକ୍ଷକ ଏବଂ ସୌରଶକ୍ତି ସହାୟକ କର୍ମୀ ତଥା ସହକାରୀ ବୈଷୟିକ କର୍ମଚାରୀ। ପ୍ରଶିକ୍ଷାର୍ଥୀମାନଙ୍କୁ ବ୍ୟବହାରିକ ଓ ଶିଳ୍ପଭିତ୍ତିକ ତାଲିମ ପ୍ରଦାନ କରାଯାଇଥିଲା। ତାଲିମ ସଫଳତାର ସହ ସମାପ୍ତ କରିଥିବା ଯୁବକମାନଙ୍କୁ ଭାରତ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ପ୍ରମାଣପତ୍ର ଦିଆଯାଇଥିଲା। ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସମାରୋହରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଦୁଷ୍ୟନ୍ତ କୁମାର ତ୍ୟାଗୀ, ପରିଚାଳନା ସେବା ବିଭାଗର ମୁଖ୍ୟ ନିଲେଶ ପୋତଫୋଡେ, ପ୍ରକଳ୍ପ ବିଭାଗର ମୁଖ୍ୟ ପ୍ରଦୀପ କୁମାର ମହାନ୍ତି, ସୌରୀକରଣ ବିଭାଗର ମୁଖ୍ୟ ଯନ୍ତ୍ରୀ ରାଜୀବ କୁମାର ନାୟକ ଏବଂ ସାମାଜିକ ଦାୟିତ୍ୱବୋଧ ବିଭାଗର ମୁଖ୍ୟ ରଞ୍ଜନ ଶର୍ମା ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ଏହି ଅବସରରେ ଉଭୟ ସଂସ୍ଥାର ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। କମ୍ପାନୀର ଅଧିକାରୀମାନେ ପ୍ରଶିକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ ଅକ୍ଷୟ ଶକ୍ତି କ୍ଷେତ୍ରରେ ଉପଲବ୍ଧ ସୁଯୋଗର ସଦୁପଯୋଗ କରିବାକୁ ଉତ୍ସାହିତ କରିଥିଲେ। ଏହି ଅବସରରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଥିଲେ ଯେ, ସ୍ୱଚ୍ଛ ଶକ୍ତି କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ସହ ଗ୍ରାମୀଣ ଯୁବକମାନଙ୍କୁ ଆବଶ୍ୟକ ଦକ୍ଷତା ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ। ଏହାଦ୍ୱାରା ସେମାନେ ନୂତନ ନିଯୁକ୍ତି ସୁଯୋଗର ଲାଭ ଉଠାଇପାରିବେ। ସବୁଜ ନିଯୁକ୍ତି ଓ ବୃତ୍ତିଗତ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନୀ ଯୁବକମାନଙ୍କ ନିଯୁକ୍ତି କ୍ଷମତା ବୃଦ୍ଧି, ସ୍ଥାୟୀ ଜୀବିକା ସୃଷ୍ଟି ଏବଂ ଓଡ଼ିଶା ସମେତ ସମଗ୍ର ଦେଶର ବିକାଶରେ ସେମାନଙ୍କ ଅବଦାନକୁ ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରୁଛି ବୋଲି ସେ କହିଥିଲେ।

ସ୍ୱତନ୍ତ୍ର ସବୁଜ ନିଯୁକ୍ତି ତାଲିମ ସହିତ କମ୍ପାନୀ ନିଜର ଅନୁମୋଦିତ କାର୍ଯ୍ୟକ୍ଷେତ୍ର ମଧ୍ୟରେ ବାଲେଶ୍ୱର, ଯାଜପୁର, କେନ୍ଦୁଝର, କପ୍ତିପଦା, ବହଳଦା ଓ ଛଡ଼େଇପାହାଡ଼ିଠାରେ ଛଅଟି ବୃତ୍ତିଗତ ତାଲିମ କେନ୍ଦ୍ର ପରିଚାଳନା କରୁଛି। ଏହି କେନ୍ଦ୍ରଗୁଡ଼ିକରେ ଯୁବକମାନଙ୍କୁ ନିଯୁକ୍ତିଭିତ୍ତିକ ତାଲିମ ଦିଆଯାଇ ସେମାନଙ୍କ ରୋଜଗାର ସମ୍ଭାବନା ବୃଦ୍ଧି ସହ ସ୍ଥାନୀୟ ଅଞ୍ଚଳରେ ଜୀବିକାର ସୁଯୋଗ ବିସ୍ତାର କରାଯାଉଛି। ଏହି ତାଲିମ କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଏପର୍ଯ୍ୟନ୍ତ ୪,୩୦୦ରୁ ଅଧିକ ବ୍ୟକ୍ତିଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇଥିବାବେଳେ ଅନ୍ୟ କେତେକ ନିଜ ଅଞ୍ଚଳରେ ସ୍ୱାବଲମ୍ବୀ ହୋଇ ନିଜସ୍ୱ ବ୍ୟବସାୟ ଓ ପ୍ରତିଷ୍ଠାନ ଆରମ୍ଭ କରିଛନ୍ତି।କମ୍ପାନୀର ସବୁଜ ନିଯୁକ୍ତି ତାଲିମ କାର୍ଯ୍ୟକ୍ରମ ଓ ବୃତ୍ତିଗତ ତାଲିମ କେନ୍ଦ୍ରଗୁଡ଼ିକ ଦକ୍ଷତା ବିକାଶ, ନିଯୁକ୍ତି ଓ ଉଦ୍ୟୋଗ ପ୍ରତିଷ୍ଠାକୁ ପ୍ରୋତ୍ସାହନ ଦେବା ନିମନ୍ତେ ଚାଲିଥିବା ନିରନ୍ତର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମର ଅଂଶବିଶେଷ। ଏହି ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ ଯୁବକମାନଙ୍କୁ ଭବିଷ୍ୟତର ନିଯୁକ୍ତି ସୁଯୋଗ ପାଇଁ ପ୍ରସ୍ତୁତ କରିବା ସହ ବିଶେଷକରି ଅକ୍ଷୟ ଶକ୍ତି କ୍ଷେତ୍ରରେ ସ୍ଥାୟୀ ଜୀବିକା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଉଛି।





