ଡିବିଟି ବ୍ୟବସ୍ଥାରେ ଅଟକିଛି ସହାୟତା ରାଶି, ଦୁର୍ଦ୍ଦଶାରେ ଅସହାୟ ମୂକ-ବଧିର ବ୍ୟକ୍ତି
ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ସରକାର ଭିନ୍ନକ୍ଷମ ଓ ଅସହାୟ ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ଦାବି କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ପ୍ରଶାସନିକ ଅବହେଳା ନା ବୈଷୟିକ ତ୍ରୁଟି,କାହିଁକି ଜଣେ ଭିନ୍ନକ୍ଷମ ହିତାଧିକାରୀ ଦୀର୍ଘ ୪ ମାସ ଧରି ଭତ୍ତାରୁ ବଞ୍ଚିତ ହୋଇଛନ୍ତି,ତାହାକୁ ନେଇ ପ୍ରଶ୍ନ ଉଠିଛି । ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ସାହାଡ଼ା ଗ୍ରାମପଞ୍ଚାୟତ ଅଞ୍ଚଳର ଜଣେ ଅସହାୟ ବାକ୍-ଶ୍ରବଣ ବାଧିତ ବ୍ୟକ୍ତି ଭତ୍ତା ଟଙ୍କା ନ ପାଇ ଆର୍ଥିକ ସମସ୍ୟାରେ ଦିନ କାଟୁଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ସାହାଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦିଲୀପ ବିଡ଼ିକା ଭିନ୍ନକ୍ଷମ ବ୍ୟକ୍ତି ପୂର୍ବରୁ ନିୟମିତ ଭାବେ ସରକାରୀ ଭତ୍ତା ପାଉଥିଲେ । କିନ୍ତୁ ଗତ ୪ ମାସ ହେବ ତାଙ୍କୁ ଭତ୍ତା ଟଙ୍କା ମିଳିବା ବନ୍ଦ ହୋଇଯାଇଛି । ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଏହି ଭତ୍ତା ରାଶି ତାଙ୍କ ଜୀବନଧାରଣର ଏକ ପ୍ରମୁଖ ସାହାରା ଥିଲା । କିନ୍ତୁ ଦୀର୍ଘଦିନ ଧରି ସହାୟତା ରାଶି ନ ମିଳିବାରୁ ଦୈନନ୍ଦିନ ଖର୍ଚ୍ଚ ଓ ଜୀବିକା ନିର୍ବାହ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । ଏହି ସମସ୍ୟାର ସମାଧାନ ପାଇଁ ସେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଓ ପଞ୍ଚାୟତ ପ୍ରଶାସନଙ୍କ ନିକଟରେ ଗୁହାରି କରିଥିବା ସତ୍ତ୍ୱେ ଏଯାଏଁ କୌଣସି ଠୋସ୍ ସମାଧାନ ହୋଇନଥିବା ଅଭିଯୋଗ ରହିଛି । ଫଳରେ ଜଣେ ଅସହାୟ ଭିନ୍ନକ୍ଷମ ବ୍ୟକ୍ତି ସରକାରୀ ସହାୟତା ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି । ଏ ସମ୍ପର୍କରେ ସାହାଡ଼ା ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,ପୂର୍ବରୁ ସମ୍ପୃକ୍ତ ହିତାଧିକାରୀଙ୍କୁ ପଞ୍ଚାୟତ ମାଧ୍ୟମରେ ସିଧାସଳଖ ଭତ୍ତା ପ୍ରଦାନ କରାଯାଉଥିଲା । ବର୍ତ୍ତମାନ ଡିବିଟି (DBT) ବ୍ୟବସ୍ଥାରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଯାଉଥିବାରୁ ଏହି ସମସ୍ୟା ଦେଖାଦେଇଛି । ଏନେଇ ବ୍ଲକ୍ କାର୍ଯ୍ୟାଳୟରେ ଆଲୋଚନା ହୋଇଛି ଏବଂ ଶୀଘ୍ର ତାଙ୍କ ବ୍ୟାଙ୍କ ଖାତାକୁ ଭତ୍ତା ଟଙ୍କା ଜମା ହେବ ବୋଲି ସେ ଆଶ୍ୱାସନା ଦେଇଛନ୍ତି । ତେବେ ଚାରି ମାସ ଧରି ଭତ୍ତା ବନ୍ଦ ରହିବାର ପ୍ରକୃତ କାରଣ କ’ଣ ଏବଂ କେବେ ସୁଦ୍ଧା ଅଟକି ରହିଥିବା ଟଙ୍କା ମିଳିବ,ତାହା ଏବେ ମୁଖ୍ୟ ପ୍ରଶ୍ନ ସୃଷ୍ଟି ହୋଉଛି ତେବେ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ଯାଞ୍ଚ କରିବା ସହ ବକେୟା ଭତ୍ତା ପ୍ରଦାନ ଓ ନିୟମିତ ସହାୟତା ସୁନିଶ୍ଚିତ କରିବାକୁ ସ୍ଥାନୀୟ ମହଲରେ ଦାବି ହୋଇଛି ।





