ଅଧାରୁ ଛାଡ଼ିଥିବା ପାଠ ପୁଣି ଆରମ୍ଭ, ଲାଞ୍ଜିଗଡ଼ରେ ୧୦୩ ଜଣଙ୍କ ନୂଆ ଆଶା

ରାଜ୍ୟ ଓ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ନାମଲେଖା ପାଇଁ ବ୍ଲକସ୍ତରୀୟ ବିଶାଳ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶିକ୍ଷାରୁ ବଞ୍ଚିତ ହୋଇଥିବା ଏବଂ ବିଭିନ୍ନ କାରଣରୁ ଅଧାରୁ ପାଠପଢ଼ା ଛାଡ଼ିଥିବା ଯୁବକଯୁବତୀଙ୍କୁ ପୁନର୍ବାର ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ବୁଧବାର ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ଏକ ବିଶାଳ ନାମଲେଖା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ ଓ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ ମାଧ୍ୟମରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ନାମଲେଖା ପାଇଁ ଏହି ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯାଇଥିଲା।ଏହି ଅଭିଯାନ ମାଧ୍ୟମରେ କୌଣସି କାରଣବଶତଃ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ନାମ ଲେଖାଇବାରୁ ବଞ୍ଚିତ ହୋଇଥିବା, ପାଠପଢ଼ା ଅଧାରୁ ଛାଡ଼ିଥିବା ତଥା ନିଜର ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି କରିବାକୁ ଇଚ୍ଛୁକ ଶିକ୍ଷାର୍ଥୀମାନଙ୍କୁ ଏକ ନୂତନ ସୁଯୋଗ ପ୍ରଦାନ କରାଯାଇଥିଲା। ଶିବିରରେ ମୋଟ ୧୦୩ ଜଣ ଶିକ୍ଷାର୍ଥୀ ଉତ୍ସାହର ସହ ଯୋଗଦେଇ ନିଜ ନିଜର ନାମ ପଞ୍ଜୀକରଣ କରିଥିଲେ। ସେଥିମଧ୍ୟରୁ ଦଶମ ଶ୍ରେଣୀ ପାଇଁ ୪୫ ଜଣ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ୫୮ ଜଣ ଶିକ୍ଷାର୍ଥୀ ପଞ୍ଜୀକୃତ ହୋଇଥିଲେ। ଏହି ସଂଖ୍ୟା ଲାଞ୍ଜିଗଡ଼ ବ୍ଲକରେ ଶିକ୍ଷା ପ୍ରତି ସଚେତନତା ଓ ଆଗ୍ରହ ବୃଦ୍ଧି ପାଉଥିବାର ଏକ ସକାରାତ୍ମକ ଦିଗକୁ ପ୍ରତିଫଳିତ କରିଛି।ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନେତୃତ୍ୱରେ ଏହି ଶିବିର ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଂଜୀବ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଲକ୍ଷ୍ମୀଧର ସନ୍ତୋଷରାୟ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼ଃ ହୃଷୀକେଶ ନାଏକ, ସାମ୍ବାଦିକ ଗୋପାଳଦାସ ମହାନନ୍ଦ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଗାରିମା ବୃଦ୍ଧି କରିଥିଲେ। ଉପସ୍ଥିତ ଅତିଥିମାନେ ନବନାମାଙ୍କିତ ଶିକ୍ଷାର୍ଥୀମାନଙ୍କୁ ସ୍ୱାଗତ ଜଣାଇବା ସହ ଶିକ୍ଷାର ମହତ୍ତ୍ୱ ଓ ଆବଶ୍ୟକତା ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ। ଏକ ସୁସ୍ଥ, ସୁଶିକ୍ଷିତ ଓ ସମୃଦ୍ଧ ସମାଜ ଗଠନରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଜୀବନରେ କୌଣସି ପରିସ୍ଥିତିରେ ହାର ନମାନି ନିଜର ଅଧୁରା ଶିକ୍ଷାକୁ ପୁନର୍ବାର ଆରମ୍ଭ କରିବା ସହ ଉଚ୍ଚଶିକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଆଗେଇ ଆସିବାକୁ ସେମାନେ ଶିକ୍ଷାର୍ଥୀମାନଙ୍କୁ ଆହ୍ୱାନ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଲାଞ୍ଜିଗଡ଼ ବ୍ଲକରେ ଶିକ୍ଷାର ପ୍ରସାର ଓ ପାଠ ଛାଡ଼ିଥିବା ଶିକ୍ଷାର୍ଥୀମାନଙ୍କୁ ପୁନର୍ବାର ପାଠପଢ଼ାରେ ସାମିଲ କରିବା ଦିଗରେ ଗତବର୍ଷ ମଧ୍ୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମେହେରଙ୍କ ପ୍ରୟାସରେ ଏକ ସଫଳ ଅଭିଯାନ ହାତକୁ ନିଆଯାଇଥିଲା। ଏହାଦ୍ୱାରା ୧୨୨ ଜଣ ଶିକ୍ଷାର୍ଥୀ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ନାମ ଲେଖାଇ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରିଥିଲେ। ଗତବର୍ଷର ଏହି ସଫଳତାକୁ ଆଧାର କରି ଚଳିତ ବର୍ଷ ମଧ୍ୟ ଏହି ଅଭିଯାନକୁ ଅଧିକ ବ୍ୟାପକ କରାଯାଇଛି। ଚଳିତ ବର୍ଷ ୧୦୩ ଜଣ ଶିକ୍ଷାର୍ଥୀଙ୍କ ପଞ୍ଜୀକରଣ ଏହି ପ୍ରୟାସର ଏକ ଉଲ୍ଲେଖନୀୟ ସଫଳତା ଭାବେ ଦେଖାଯାଉଛି।ଏହି ବିଶାଳ ନାମଲେଖା ଶିବିରର ସଫଳ ଆୟୋଜନ ଓ ପରିଚାଳନାରେ ଲାଞ୍ଜିଗଡ଼ ବ୍ଲକର ୧୩ଟି କ୍ଲଷ୍ଟରର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଏବଂ ଆୟୋଜକ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେମାନଙ୍କ ସମନ୍ୱିତ ପ୍ରୟାସ ଓ ସହଯୋଗ ଯୋଗୁଁ ଶିବିରଟି ସଫଳତାର ସହ ସମ୍ପନ୍ନ ହୋଇଛି। କାର୍ଯ୍ୟକ୍ରମ ଶେଷରେ ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.