ସିନ୍ଦୁର ପାହାଡ଼ର ଆଉ ଏକ ଅନାଲୋଚିତ ପ୍ରସଙ୍ଗ: ପାହାଡ଼ ଶିଖରରେ ରହସ୍ୟମୟ ସିମେଣ୍ଟ ଚାନ୍ଦିନୀ

କଳାହାଣ୍ଡିରେ ପ୍ରକୃତିର କୋଳ ମଣ୍ଡନ କରିଛି ଅନେକ ଶୋଭାରାଜି । ଗିରି, କାନନରେ ବିଭୂଷିତା କଳାହାଣ୍ଡି ତାର ପ୍ରାକୃତିକ ବୈଭବ ପାଇଁ ସୃଷ୍ଟି କରିଛି ନିଜର ଏକ ସ୍ୱତନ୍ତ୍ର ପରିଚିତି । ଆଜି ବି ଅନେକ ଅନାଲୋଚିତ ଅଧ୍ୟାୟ ରହିଛି, ଯାହାକି ଲୋକଦୃଷ୍ଟିର ଖୁବ ଆଢୁଆଳରେ ରହିଯାଇଛି । ସଭ୍ୟତାର କ୍ରମବିକାଶ ପରେ ଧୀରେ ଧୀରେ ଏହାରି କୋଳରେ ଥିବା ଅନେକ କଥା ସାମ୍ନାକୁ ଆସିବାରେ ଲାଗିଛି । ଗତବର୍ଷ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ପାହାଡ଼ୀ ଇଲାକା ମାଣିକେରା ନିକଟରେ ଥିବା ସିନ୍ଦୁର ପାହାଡ଼ରେ ଥିବା ମୁଖୀପଟା ଜଳପ୍ରପାତ ବି ଅନାଲୋଚିତ ହେଇ ରହିଯାଇଥିଲା, ଯାହାକୁ ପ୍ରଥମେ ଲୋକଲୋଚନକୁ ଆଣିଥିଲୁ, ଏହି ଜଳପ୍ରପାତକୁ ନେଇ କ୍ରମଶଃ ଲୋକଙ୍କ ମଧ୍ୟରେ ଗ୍ରହଣୀୟତା ବଢିବା ସହିତ ବିଧାନସଭା ଯାଏଁ ମୁଖୀପଟା ତାର ସ୍ଥିତିକୁ ଜାହିର କରିଥିଲା ।

ଏବେ ସେହି ସିନ୍ଦୁର ପାହାଡ଼ର ଆଉ ଏକ ଅନାଲୋଚିତ ପ୍ରସଙ୍ଗ ଦୃଷ୍ଟିକୁ ଆସିଛି । ପାହାଡ଼ ଶିଖର (ପ୍ରାୟ ତିନିହଜାର ଫୁଟ ଉଚ୍ଚ)ରେ ରହିଛି ଏକ ସିମେଣ୍ଟ ଚାନ୍ଦିନୀ । ଏହି ସିମେଣ୍ଟ ଚାନ୍ଦିନୀର ରହସ୍ୟ ଉନ୍ମୋଚନର ପ୍ରୟାସରେ ଓଡ଼ିଆ ବାର୍ତ୍ତା ପ୍ରଥମ ଗଣମାଧ୍ୟମ ଭାବରେ ଏହି ପାହାଡ଼ ଶିଖରକୁ ପହଂଚିଥିଲା । ଏହି ସିମେଣ୍ଟ ଚାନ୍ଦିିନୀକୁ ନେଇ ନେଇ ଅନେକ କଥା ଲୋକମୁଖରେ ଶୁଣିବାକୁ ମିଳୁଛି । ସତ୍ୟାସତ୍ୟ ତଦନ୍ତ ସାପେକ୍ଷ । ଏହି ଚାନ୍ଦିନୀଟିକୁ ବିଦେଶୀ ଲୋକେ ବର୍ଷକୁ ଥରେ ବିଭିନ୍ନ ସାମଗ୍ରୀ(ବାକ୍ସ) ଧରି ମାଣିକେରାଠାରୁ ଭାରରେ ସାମଗ୍ରୀ ଉପରକୁ ନେଉଥିଲେ । ସେହି ସାମଗ୍ରୀ ସବୁ ପାହାଡ଼ ଉପରକୁ ପହଂଚେଇଲା ପରେ ଯୋଉ ଲୋକମାନଙ୍କ ସାହାଯ୍ୟରେ ବାକ୍ସ ଉପରକୁ ଯାଉଥିଲା, ସେମାନଙ୍କୁ ସେହି ସ୍ଥାନରୁ ଦୂରକୁ ଯିବାକୁ କୁହାଯାଉଥିଲା । ପରେ ପ୍ରାୟ ଚାରି ପାଂଚଘଂଟା ପରେ ପୁଣିଥରେ ସେହି ବାକ୍ସକୁ ଧରି ସେହି ଲୋକଙ୍କ ସହାୟତାରେ ମାଣିକେରାକୁ ଆସି ସେମାନେ ଫେରିଯାଉଥିଲେ ।

ଲୋକମତରେ ସେହି ଚାନ୍ଦିନୀରେ ଏକ ଛିଦ୍ର ରହିଥିଲା, ଯେଉଁଠି ବାଉଁଶ ଖଣ୍ଡଟିଏ ଭିତରକୁ ଗଳେଇ ଦଉଥିଲା ତ ବହୁତ ସମୟଧରି ସେଇଠି ଏକ ଶବ୍ଦ ଗୁଂଜରଣ ହେଉଥିଲା । ଆହୁରି ବି ଶୁଣାଯାଉଥିଲା, ଏହି ଚାନ୍ଦିନୀ ଉପର ଦେଇ ଉଡ଼ାଜାହାଜ ଯାଇପାରୁନଥିଲା, ଲୋକେ କହନ୍ତି ଏବେ ବି ଏହି ଚାନ୍ଦିନୀ ଉପର ଦେଇ ଉଡ଼ାଯାହାଜ ଯାଏ ନାହିଁ । ଏହି ପାହାଡ଼ ଶିଖରକୁ ବିିଭିନ୍ନ ସମୟରେ ଭିନ୍ନ ଭିନ୍ନ ଲୋକଙ୍କ ଆଗମନ ହେଉଥିଲା। ଏମିତି ବି ଶୁଣିବାକୁ ମିଳେ, ଯୋଉମାନେ କିଛି ଦିନ ରହୁଥିଲେ ସେମାନେ ଦେଢଶୂଳୀର ଏକ ନିର୍ଦ୍ଧିଷ୍ଠ କୂଅର ପାଣି ଆଣି ପିଉଥିଲେ । ଗତ କିିଛି ବର୍ଷ ତଳେ ଛତିଶଗଡ଼ରୁ ଏକ ଦମ୍ପତି ମାଣିକେରାଠାରୁ ଟ୍ରାକ୍ଟର ଭଡ଼ା କରି ରୁବେଟ ଗ୍ରାମର ଜୈନେକ ବ୍ୟକ୍ତିଙ୍କ ସହାୟତାରେ ଏହି ପାହଡ଼ ଶିଖରରେ ଥିବା ଚାନ୍ଦିନୀକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ଅଂଚଳବାସୀଙ୍କୁ ଏହି ପାହଡ଼ ଶିଖରରେ ଏକ ମନ୍ଦିର କରିବା, ରାସ୍ତା କରିବା, ଯାହା ଖର୍ଚ୍ଚ ହେବ ସବୁ ମୁଁ କରିବି ବୋଲି କହିଥିବାର କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ ।

ଲୋକମତ ଯାହା ଥାଉ ନା କାହିଁକି, ଆଜି ବି ଯୋଉ ରୁବେଟ ଅଂଚଳ ଦୁର୍ଗମ, ଗତ ଦଶ ବର୍ଷ ଦଳେ ସିମେଂଟ ବସ୍ତାଟିଏ ନେବାକୁ ହେଲେ ମାଣିକେରାରୁ ଲୋକ ଲଗାଇ ନେବାକୁ ପଡ଼ୁଥିଲା ସେହି ଅଂଚଳରେ ଥିବା ଏହି ସିନ୍ଦୁର ପାହାଡ଼ରେ ଆଜକୁ ପ୍ରାୟ ଦୁଇଶହ ବର୍ଷ ତଳେ କେମିତି ଭାବରେ ସିମେଂଟ ଯାଇଥିଲା ଏବଂ ଏହି ପାହାଡ଼ ଶିଖରର କୋଉ ବିଶେଷତ୍ୱ ଯୋଗୁଁ ସିମେଣ୍ଟର କୂଅ ଆକାରରେ ଏକ ଚାନ୍ଦିନୀ କରାଯାଇଥିଲା, ତାହା ଆଜିବି ଅଂଚଳବାସୀଙ୍କ ମନରେ ଏକ ଅଭେଦ୍ୟ ରହସ୍ୟ ହେଇ ରହିଯାଇଛି । ତେବେ ପାହାଡ଼ ଶିଖରରେ ଥିବା ପଥର ସବୁ ବକ୍ସାଇଟ ପଥର ଏଣୁ ଏହି ପଥରକୁ ବାଡ଼େଇଲେ ଏକ ଭିନ୍ନ ପ୍ରକାରର ଗଂଜରଣ ସୃଷ୍ଟି ହେଉଥିବା ଦେଖାଯାଇଛି । ନବେ ଦଶକରେ ଏହି ପାହାଡ଼ ଚାରିପାଖରେ ପ୍ରାୟ ତିନିଦିନ ଧରି ଏକ ହେଲିକେପ୍ଟର ବାରମ୍ବାର ଘୁରିବୁଲୁଥିବା ଦେଖାଯାଇଥିଲା ।


କେବେଳ ଏହି ପାହାଡ଼ ନୁହେଁ ଏହି ଇଲାକାରେ ଥିବା କୁମରି ପାହାଡ଼, ମେଡ଼ିଆଡ଼ୁଟି ପାହାଡ଼, କମା ପାହାଡ଼, ପଟାଙ୍ଗଡ଼ାକା, ପୁକି ପାହାଡ଼, କାଢାକୁପା ପାହାଡ଼, ବୁଚକା ପାହାଡ଼, ମାସାବାଲି ପାହାଡ଼, ପୋଖାରି ପାହାଡ଼, ସିକେଲପାଟ ପାହାଡ଼, ବାଦୁରବାହାଲି, ସିକୋଲି ପାହାଡ଼ ଗୁଡ଼ିକ ଦେଇ ଏହି ହେଲିକେପ୍ଟରଟି ଘୁରିବୁଲୁଥିଲା । ତାହା ବି ରସହ୍ୟ ହେଇରହିଗଲା । ତେବେ ବର୍ତ୍ତମାନ କିନ୍ତୁ ଚାନ୍ଦିନୀର ଅଧାରୁ ଅଧିକ ଅଂଶ ଭାଙ୍ଗିସାରିଲାଣି, ଭିତରେ ଥିବା ଛିଦ୍ରଟି ପୋତି ହେଇଗଲାଣି, କିନ୍ତୁ ଅର୍ଦ୍ଧଭଗ୍ନ ଏହି ଚାନ୍ଦିନୀ ଉପରୁ କିନ୍ତୁ ରହସ୍ୟର ପରଦା ହଟି ପାରିନି । ଏହି ସିନ୍ଦୁର ପାହାଡ଼ଉପର ଚାନ୍ଦିନୀକୁ ନେଇ ପ୍ରତ୍ନତାତ୍ତ୍ୱିକ ଗବେଷଣା କଲେ ଅନେକ କିଛି ଜଣାପଡ଼ିବ ବୋଲି ଅଧ୍ୟାପକ କୌତୁକ ପନ୍ଦର, ଶିକ୍ଷକ ସୁବାସ ମାଝୀଙ୍କ ସମେତ ଅଂଚଳବାସୀ ପ୍ରକାଶ କରିଛନ୍ତି ।

ଉପସ୍ଥାପନା: ହେମନ୍ତ ସାହୁ
ମ.ରାମପୁର, କଳାହାଣ୍ଡି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.