କବି ଭବାନୀ ଶଙ୍କର ନିଆଲ ୱାର୍ଲଡ଼ ନେସନ୍ ରାଇଟର ୟୁନିଅନ୍ କାଜଖାସ୍ଥାନ ର ସଦସ୍ୟ ଭାବେ ମନୋନୀତ

ଭୁବନେଶ୍ୱର: ଆନ୍ତର୍ଜାତିକ ସ୍ତରରେ କବିତା କ୍ଷେତ୍ରରେ ଏଇ କିଛିଦିନ ଧରି ଚହଳ ପକାଇଥିବା କବି ଭବାନୀ ଶଙ୍କର ନିଆଲଙ୍କୁ ୱାର୍ଲଡ଼ ନେସନ୍ ରାଇଟର ୟୁନିଅନ୍, କାଜାଖାସ୍ଥାନର ସଦସ୍ୟ ଭାବରେ ମନୋନୀତ କରାଯାଇଛି ବୋଲି ଜାତିସଂଘ ର ସ୍ୱତନ୍ତ୍ର ପ୍ରତିନିଧି ରାଷ୍ଟ୍ରଦୂତ ତଥା ବିଶ୍ୱ ମାନବିକ ଅଧିକାରର ପର୍ଯ୍ୟବେକ୍ଷକ ମହମ୍ମଦ ଶାନଜର ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମହମ୍ମଦ ଶାନଜର ମଧ୍ୟ ଏହି ସଂସ୍ଥାର ପ୍ରଥମ ଉପସଭାପତି ଅଟନ୍ତି। ସୂଚନା ଯୋଗ୍ୟ ଯେ, ଉକ୍ତ ୱାର୍ଲଡ଼ ନେସନ୍ ରାଇଟର ୟୁନିଅନ୍ ଅନୁଷ୍ଠାନର ଅଧ୍ୟକ୍ଷ ଗୁଲହାନ ଆଇଟକିନକିଜି, ସହ ସଭାପତି ସିଜୁ ଏଚ. ପାଳିଥାଜହେଥ ଏବଂ ମିଳିତ ଜାତିସଂଘର ଜେନେରାଲ୍ ସେକ୍ରେଟାରୀ ଡ଼କ୍ଟର କୋଫି ଆନନ୍ ଅଟନ୍ତି।

ଦୀର୍ଘ ତିନି ଦଶନ୍ଧିରୁ ଉଭୟ ହିନ୍ଦୀ ଓ ଓଡ଼ିଆ କବିତାରେ ସକ୍ରିୟ ରହିବା ସହ ଏକାଧିକ ପୁସ୍ତକର ଲେଖକ ତଥା ମହୁରି ପତ୍ରିକାର ମୁଖ୍ୟ ସମ୍ପାଦକ କବି ଭବାନୀଶଙ୍କର ନିଆଲଙ୍କ କବିତା କ୍ରମାଗତ ଭାବେ ଇଂରାଜୀ, ଇଟାଲୀ, ସର୍ବିଆ, ରୁଷ, ଚୀନ, ଫ୍ରାନ୍ସ ଭାଷାରେ ଅନୂଦିତ ହେବା ଏକ ଗୌରବର ବିଷୟ। ଉକ୍ତ କବିତା ଗୁଡିକୁ ଇଂରାଜୀରେ ଅଧ୍ୟାପକ ବଙ୍କିମ ମୁଣ୍ଡ ଏବଂ ଗୋବିନ୍ଦ ସାହୁ, ଇଟାଲୀରେ କବି ଇମାନୁଏଲା ରିଜୋ, ସର୍ବିଆରେ ପ୍ରଖ୍ୟାତ କବି ତଥା ଅଧ୍ୟାପିକା ସୋଭା ସୋଭକା ସୋଭିକ, ଚୀନ ଭାଷାରେ କବି ଲାଉ ଫୁ, ରୁଷ ଭାଷାରେ ପ୍ରଖ୍ୟାତ ରୁଷ ଲେଖିକା ଏଲିନା ଡାନିସିନା ଏବଂ ଫ୍ରାନ୍ସ ଭାଷାରେ ଫ୍ରାନ୍ସସିୟ କବି ତଥା ଚୀନ ଭାଷା ଓ ସଂସ୍କୃତିର ବିଦ୍ୱାନ ଏଲିଜା ବେଥ ପ୍ଲେନାଟୋ କରିଥିବା ବେଳେ ପୋଲିସ ଭାଷାରେ ପ୍ରସିଦ୍ଧ ପୋଲାଣ୍ଡ କବି ଜିଜନିଉ ମାଇରୋସ୍ଲୋୱସ୍କି ଅନୁବାଦ କରିଛନ୍ତି। କବିଙ୍କ ଏହି ସଫଳତାରେ ରାଜ୍ୟ ଓ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.