ଲାଞ୍ଜିଗଡ଼/ଥୁଆମୂଲ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର ପଞ୍ଚାୟତ ଅଧିନସ୍ଥ ପୋଇଗୁଡା ଗ୍ରାମରେ ଏକ ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ଉଦଘାଟିତ ହୋଇଯାଇଛି । ଏହି ଗ୍ରାମବାସୀ ଦୀର୍ଘ ୫୪୦୦ ଫୁଟ ଦୂର କୋସଲାମସ୍କା ପାହାଡ଼ ମଧ୍ୟରୁ ଝରୁଥିବା ପାଣିକୁ ପାଇପ ମଧ୍ୟରେ ରାସ୍ତା ଦେଖାଇ ଗାଁ ପର୍ଯ୍ୟନ୍ତ ଆଣିପାରିଛନ୍ତି । ଏହା ଫଳରେ ଗ୍ରାମର ୬୦ ଘର ୨୦ ଏକର ଜମିରେ ବର୍ଷ ସାରା ଜଳସେଚନ କରିପାରିବେ । ଏହି ସୁନ୍ଦର ପ୍ରକଳ୍ପକୁ ଆଜି କଳାହାଣ୍ଡିର ବିଶିଷ୍ଟ ଶିକ୍ଷାବିତ ତଥା ମାଁ ମାଣିକେଶ୍ଵରୀ ପଞ୍ଚାୟତ ସମିତି କଲେଜ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ଉଦଘାଟନ କରିଛନ୍ତି । ଏହାପରେ ନିକଟସ୍ଥ କାଞ୍ଜିଗୁଡ଼ା ଗ୍ରାମରେ ମଧ୍ୟ ଅନୁରୂପ ଡ.ବି.ଆଇ. ପ୍ରକଳ୍ପ ଉଦ୍ଘାଟନ କରାଗଲା । କାଞ୍ଜିଗୁଡା ଗ୍ରାମର ୫୭ ଘର ୧୭ ଏକର ଚାଷ କରିବା ବ୍ୟବସ୍ଥା କରାଯାଇଛି । ଡି.ବି.ଆଇ. ପ୍ରକଳ୍ପ ଝରଣାରେ ବୋହି ଯାଉଥିବା ବଲକା ପାଣିକୁ ଦିଗ ପରିବର୍ତ୍ତନ କରି ଏଚବିପିଇ ପାଇପ ମଧ୍ୟରେ ଗାଁ ପାଖରେ ଥିବା ଚାଷ ଜମିକୁ ଜଳସେଚନ ନିମନ୍ତେ ଅଣାଯାଏ ।
ଏହି ପ୍ରକଳ୍ପ ଲିଭୋଲିଙ୍କ୍ ଫାଉଣ୍ଡେସନ ସଂସ୍ଥା ଓ ଗ୍ରାମବାସୀଙ୍କ ସହଯୋଗରେ ସମ୍ପାଦନ କରିଛି । ଟାଟା ଟ୍ରଷ୍ଟ ଓ ଇଣ୍ଡସ ଇଣ୍ଡ ବ୍ୟାଙ୍କର ଅନୁଦାନରେ ଏହା ସଫଳ ହେଇଛି । ଆଗାମୀ ଦିନରେ ଆହୁରି ୫୦ ଗ୍ରାମରେ ଏପରି ପ୍ରକଳ୍ପ କରିବାର ଯୋଜନା ଅଛି । ଆଜିର ଉତ୍ସବକୁ ଲିଭୋଲିଙ୍କ ଫାଉଣ୍ଡେସନର ଜିଲ୍ଲା ସଂଯୋଜକ ପ୍ରଦିପ ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଣ୍ଡା, କାର୍ଯ୍ୟକାରୀ ଅଧିକାରୀ ସଞ୍ଜୀବ ଖଣ୍ଡଗିରି ଓ ସତ୍ୟଭାମା ସୁନାନୀ ଉପସ୍ଥିତ ରହି ସମ୍ପାଦନା କରିଥିଲେ ।
ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଥୁଆମୂଲ ରାମପୁରରୁ ଦୁର୍ଗା କୀର୍ତ୍ତିଙ୍କ ରିପୋର୍ଟ OdiaBarta.in