କୋକସରା, (ହିରଣ୍ୟ ବେହେରା): ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ବିଭିନ୍ନ ପ୍ରାର୍ଥୀମାନଙ୍କ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଗ୍ରାମ ପଞ୍ଚାୟତରେ ମଧ୍ୟ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ମୋଟେର ଗ୍ରାମ ପଞ୍ଚାୟତ କୁସୁମଖୁଣ୍ଟି ଗ୍ରାମର ଉଦୀୟମାନ ମହିଳା ନେତ୍ରୀ ଟୀକାନ୍ତି ବାଗ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଚଳିତ ବର୍ଷ ବହୁ ଯୁବ ଗୋଷ୍ଠୀମାନେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡମେମ୍ବର ହେବା ଆଶାରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଉତ୍ସାହ ପ୍ରକାଶ କରୁଥିବା ଏକ ସର୍ଭେକ୍ଷଣରୁ ଜଣାଯାଇଛି । ଜଣେ ଉଦିୟମାନ ନାରୀ ନେତ୍ରୀ ଏବେ ରାଜନୀତିରେ ପଦାର୍ପଣ କରିବାକୁ ପାଦଥାପିଛନ୍ତି । ଆଜି ମୋଟେର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଗ୍ରାମପଞ୍ଚାୟତ ପକ୍ଷରୁ ସେ ସରପଞ୍ଚ ଭାବେ ପ୍ରତିଦ୍ବନ୍ଦୀତା କରିବାକୁ ବାହାରିଛନ୍ତି । ନିଜ ଗ୍ରାମ ଓ ଅଞ୍ଚଳରେ ବହୁବିଧ ଅଦ୍ଭାବ, ଅସୁବିଧା, ବହୁଳ ସମସ୍ୟାକୁ ଦୃଷ୍ଟିରେ ରଖି ସର୍ବାଙ୍ଗୀନ ଉନ୍ନତି କରିବାକୁ ଅଣ୍ଟାଭିଡି ରାଜନେତ୍ରୀ ଭାବେ ଅବତୀର୍ଣ୍ଣ ହେବାକୁ ବାହାରିଛନ୍ତି । ଟୀକାନ୍ତିଙ୍କ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ବହୁ ବୃଦ୍ଧିଜୀବୀଙ୍କୁ ଚକିତ କରିଛି । ଏହି ଅଞ୍ଚଳରେ ଆଉ କିଛି ଶିକ୍ଷିତ ବର୍ଗର କମ୍ ବୟସର ବୋହୂ ତଥା ଗୃହିଣୀମାନେ ମଧ୍ୟ ଏହି ନାମାଙ୍କନ ପାଇଁ ଟୀକାନ୍ତିଙ୍କୁ ବିଶେଷ ସହଯୋଗ କରୁଥିବା ଜଣାପଡିଛି । ପ୍ରାର୍ଥୀପତ୍ର ଦାଖଲର ସମୟ ଶେଷ ହେବା ପରେ ଆଗକୁ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ସରଗରମର ବୃତ୍ତାନ୍ତ ଏବଂ ଘମାଘୋଟ ଲଢ଼େଇ ଜୋର ସୋରରେ ତେଜିଉଠିବ ବୋଲି ଜଣାପଡଛି । ଶ୍ରୀମତୀ ବାଗ କହିଛନ୍ତି ଯେ ତୃଣମୂଳ ସ୍ତରରେ ଲୋକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ପାଇପାରିବେ ଏବଂ ବିନା କୌଣସି ଦୁର୍ନୀତିରେ ନିଜ ଅଞ୍ଚଳର ପ୍ରକୃତିକ ପରିବେଷରେ ଲୋକେ ବେଶୀ ଲାଭବାନ ହେବେ, ସରକାରୀ ସହାୟତା ଓ ପଞ୍ଚାୟତର ସମସ୍ତ ଗ୍ରାମର ସୁବିଧା ସାଙ୍ଗକୁ ସୈାନ୍ଦର୍ଯ୍ୟକରଣ ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି ।