କଥା ରଖିଲେ ରେଳବାଇ କତ୍ତୃପକ୍ଷ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ଦୁଇଟି ଗୁରୁତ୍ବପୂର୍ଣ୍ଣ ରେଳ ଷ୍ଟେସନ ନର୍ଲାରୋଡ ଓ ରୁପ୍ରାରୋଡରେ ଏଣିକି ସମତା ସୁପରଫାଷ୍ଟ ଓ କୋରବା- ବିଶାଖାପାଟନମ ଏକ୍ସପ୍ରେସ ଟ୍ରେନ ରହିବ । ନର୍ଲାରୋଡରେ ହାୱଡା- ଜଗଦଲପୁର ଏକ୍ସପ୍ରେସ ଟ୍ରେନ ରହିବ ବୋଲି ରେଳ ବିଭାଗରୁ ଚିଠି ପହଞ୍ଚିବା ପରେ ନର୍ଲା ଓ ରୁପ୍ରାରୋଡ ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଛି । ରୁପ୍ରାରୋଡ ଷ୍ଟେସନରେ ଦୁଇଗୋଟି ଓ ନର୍ଲାରୋଡ ଷ୍ଟେସନରେ ତିନିଗୋଟି ଏକ୍ସପ୍ରେସ୍ ଟ୍ରେନ ରହିବ । ନର୍ଲାରୋଡ ଓ ରୁପ୍ରାରୋଡ ରେଳ ଷ୍ଟେସନରେ କରୋନା ପୂର୍ବରୁ ରହୁଥିବା ଏକ୍ସପ୍ରେସ ଟ୍ରେନ ଗୁଡିକର ଷ୍ଟପେଜ ନେଇ କରୋନା ଦ୍ୱିତୀୟ ଲହରର ଲକଡାଉନ ଖୋଲିବା ପରେ ପରେ ଏଥିପାଇଁ ଅନେକ ଦାବୀ ହେଉଥିଲା । କେନ୍ଦ୍ର ସରକାର, ନେତା , ମନ୍ତ୍ରୀ ମଧ୍ୟ ଟ୍ରେନ ଷ୍ଟପେଜ ନେଇ କୌଣସୀ ପଦକ୍ଷେପ ନନେବା ଯୋଗୁଁ ଅଞ୍ଚଳବାସୀ ଅତିଷ୍ଠ ହୋଇ ରେଳରୋକ ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଲେ । ନିଷ୍ପତି ନିଆଗଲା ରୁପ୍ରାରୋଡ ଷ୍ଟେସନରେ ଅପ୍ରେଲ ୧୦ ଓ ନର୍ଲାରୋଡ ଷ୍ଟେସନରେ ଅପ୍ରେଲ ୧୧ ରେ ରେଳରୋକ ଆନ୍ଦୋଳନ କରାଯିବ । ରେଳବାଇ ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ଅନେକ ବୁଝାସୁଝା ପରେ ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତି ଆନ୍ଦୋଳନରୁ ଓହରିବେ ଓ ମାସଟେ ସମୟ ଦେବେ ବୋଲି ମାନିଗଲେ । ହେଲେ ରୁପ୍ରାରୋଡ ରେଳ ଷ୍ଟେସନରେ ପୂର୍ବ ନିଷ୍ପତି ଅନୁଯାୟୀ ଅପ୍ରେଲ ୧୦ ରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ରେଳରୋକ ଆନ୍ଦୋଳନ ହେଲା । ରେଳ ବିଭାଗ କତ୍ତୃପକ୍ଷ ଆନ୍ଦୋଳନ ସମୟରେ ଜବାବ୍ ମଧ୍ୟ ଦେଲେ ମାସକ ମଧ୍ୟରେ ଏହି ଦୁଇ ଷ୍ଟେସନରେ ଟ୍ରେନ ଷ୍ଟପଜ କରାଇବେ ବୋଲି । ଜବାବ୍ ରଖିଲେ ରେଳବାଇ ବିଭାଗ । ମାସକ ମଧ୍ୟରେ ଅଞ୍ଚଳବାସୀଙ୍କ ଦାବୀ ରହିଥିବା ଉପରୋକ୍ତ ଏକ୍ସପ୍ରେସ୍ ଟ୍ରେନ ଗୁଡିକ ରହିବ ବୋଲି ଚିଠି ଆସିଲା । ଏବେ ଅଞ୍ଚଳବାସୀ ବହୁତ ଆନନ୍ଦିତ । ଏଥିପାଇଁ କରୋନା ସଂକ୍ରମଣ ହେବା ପୂର୍ବରୁ ବିଶାଖାପାଟନମ- ନିଜାମୁଦଦିନ ସମତା ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ, ଏଲେପି- ଧାନବାଦ, କୋରବା – ବିଶାଖାପାଟନମ ଲିଙ୍କ୍ ଏକ୍ସପ୍ରେସ ଟ୍ରେନ, ପୁରୀ- ଅହମଦାବାଦ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଗୁଡିକ ନର୍ଲାରୋଡ ଓ ରୁପ୍ରାରୋଡ ଷ୍ଟେସନରେ ରହଣୀ ରହିଥିଲା । ନର୍ଲା, ମ.ରାମପୁର ଓ ଲାଞ୍ଜିଗଡ ବ୍ଲକର ୧୮ ରୁ ଉର୍ଦ୍ଧ୍ବ ଗାଁର ଲୋକେ ବିଭିନ୍ନ ସ୍ଥାନକୁ ଯାତ୍ରା ନିମନ୍ତେ ନର୍ଲାରୋଡ ଓ ରୁପ୍ରାରୋଡ ରେଳ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି ସମତା ଏକ୍ସପ୍ରେସରେ ରାଜଧାନୀ ଦିଲ୍ଲୀ ଯିବାର ସୁବିଧା ରହିଥିବା ବେଳେ ସମତା ଓ କୋରବା ଏକ୍ସପ୍ରେସରେ ଏଠାକାର ଲୋକେ ବିଭିନ୍ନ ରୋଗରେ ପିଡିତ ମାନଙ୍କୁ ନେଇ ଚିକିତ୍ସା ନିମନ୍ତେ ବିଶାଖାପାଟନମ ଯାଇଥାନ୍ତି । କରୋନା ଲକଡାଉନ ଯୋଗୁଁ ଗତ ଅପ୍ରେଲ ୨୦୨୦ରୁ ଟ୍ରେନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ଖୋଲିବା ପରେ ଗତ ଅଗଷ୍ଟ ୨୦୨୧ ରୁ ସ୍ୱତନ୍ତ୍ର ଟ୍ରେନ ଭାବରେ ସମତା, କୋରବା, ଏଲେପି-ଧାନବାଦ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଆଗରୁ ଷ୍ଟପେଜ ରହିଥିବା ଷ୍ଟେସନ ଗୁଡିକ ନର୍ଲାରୋଡ, ରୁପ୍ରାରୋଡ ରେ ଆଉ ଉପରୋକ୍ତ ଟ୍ରେନ ଗୁଡିକର ଷ୍ଟପେଜ ଦିଆଯାଇ ନଥିଲା । କଳାହାଣ୍ଡି ଜିଲ୍ଲାର କେବଳ କେସିଙ୍ଗା ଗୋଟିଏ ଷ୍ଟେସନରେ ହିଁ ଷ୍ଟପେଜ ରହିଥିଲା । ଯାହା ଫଳରେ ନର୍ଲା ଅଞ୍ଚଳର ଲୋକେ ଦିଲ୍ଲୀ, ବିଶାଖାପାଟନମ ଯିବା ନିମନ୍ତେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଥିଲା । ଦାବୀ ହୋଇ ଆସୁଥିବା ଟ୍ରେନ ଗୁଡିକର ପୁନଃ ରହଣୀ କରାଯାଇଥିବାରୁ ରେଳ କତ୍ତୃପକ୍ଷ ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ରୁପାରୋଡ ଓ ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତି ।