ଓଡ଼ିଆ ବାର୍ତ୍ତା/ କାଶୀପୁର (ଆଲାରାମ ଭାତ୍ରା): କାଶୀପୁର ବ୍ଲକରୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ସାମ୍ନାକୁ ଆସିଛି। ଗତ ୬/୭ ଦିନ ହେଲା ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତକାଲି ରାତିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ପୂର୍ବରୁ ଡୁଡୁକା ବାହାଲ ଗ୍ରାମର ସବିତା ନାୟକଙ୍କ ମୃତ୍ୟୁ ହୋଇଥିଲା ପରେ ଟିକିରିର ୨ଜଣଙ୍ଟ ମୃତ୍ୟୁ ହୋଇଥିବା ବେଳେ ଗତ ରାତିରେ ଟିକିରି ସ୍ଥିତ ଝଡ଼ିଆ ସାହିରେ ୩ ଜଣଙ୍କ ମୃତ୍ୟୁହୋଇଥିବା ଜଣାପଡ଼ିଛି। ମୃତକମାନେ ହେଲେ କଞ୍ଜ ଝଡ଼ିଆ, ଉଲୁଡି ଝାଡିଆ ଓ ଜଣେ ୧୫ ବର୍ଷୀୟ ବାଳକ ଧବା ନାୟକ। ପୂର୍ବରୁ ୧୨ରୁ ଅଧିକ କାଶୀପୁର ଓ ଟିକିରି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅନେକ ଲୋକେ ଗାଁରେ ଅକ୍ରାନ୍ତ ହୋଇ ପଡ଼ିଛନ୍ତି। ଏପରି ସ୍ଥଳେ ସ୍ଵାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଅଧିକାରୀ ଉକ୍ତ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ଲୋକଙ୍କୁ ସଚେତନ ସୃଷ୍ଟି କରିବା ସହ ସବୁ ଗାଁ ମାନଙ୍କରେ ବ୍ଲିଚିଂ ପାଣିର ମିଶ୍ରଣକୁ ସିଞ୍ଚନ କରାଯାଇଛି।

ଅନ୍ୟପଟେ ମୃତ୍ୟୁ ଓ ଅକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଶଙ୍କରଡ଼ା ପଞ୍ଚାୟତର ଗୋବରିଘାଟି ଗ୍ରାମରେ ୪ଜଣ, ମାଇକଞ୍ଚ ପଞ୍ଚାୟତର କାକିରି ପଦର ଗ୍ରାମର ଦୁଇଜଣ ଓ ଟିକିରିସ୍ଥିତ ବନ୍ଧସାହିର ଜଣେ ଏପରି ୧୨ରୁ ଅଧିକ ଗୁରୁତର ଆକ୍ରାନ୍ତ କାଶୀପୁର ଓ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି। ସେହିପରି କାଶୀପୁର ଓ ରାୟଗଡା ଜିଲ୍ଲା ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆଜି ବିଳମ୍ବିତ ରାତିରେ ସଙ୍କରଡ଼ା ପଞ୍ଚାୟତର ଗୋବରି ଘାଟିର କହ୍ନେଇ ମାଝୀ(୫୦)ଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତର ପଦକ୍ଷେପ ନେଇ ଟିକିରି ସ୍ଵାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ତେବେ ପରିସ୍ଥିତିକୁ ଶିଘ୍ର ନିୟନ୍ତ୍ରଣ କରାଯିବା ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।





