ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ବିଶିଷ୍ଟ ନାଟ୍ୟକାର ତଥା ମ.ରାମପୁର ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କୁ କୁମାରସ୍ବାମୀ ମହୋତ୍ସବ ଅବସରରେ ଦେବଗିରି ନାଟ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ଶ୍ରୀ ଆଚାର୍ଯ୍ୟ ଓଡିଶାର ନାଟ୍ୟ ଜଗତରେ ଏକ ସୁପରିଚିତ ବ୍ୟକ୍ତିତ୍ୱ। ତାଙ୍କର ଅନେକ ନାଟକ ବିଭିନ୍ନ ମଂଚରେ ପ୍ରଦର୍ଶିତ ହୋଇ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି। ତାଙ୍କ ରଚିତ ଓ ନିର୍ଦ୍ଦେଶିତ ଅନେକ ମଂଚନାଟକ ମଧ୍ୟରୁ ‘ଭୁଲର ଶାସ୍ତି’, ‘ମାତୃ ମୁକ୍ତି’, ‘ମାନବ’, ‘ପୂଜା ଫୁଲ’, ‘ମାତୃହନ୍ତା ପର୍ଶୁରାମ’ ନାଟକ ସହ ‘ଲକ୍ଷ୍ମୀ ସୁଆଙ୍ଗ’, ‘ଦାନବୀର ହରିଶ୍ଚନ୍ଦ୍ର’, ‘ଉତ୍ତରା’ ପ୍ରଭୃତି ଉଲ୍ଲେଖନୀୟ। ମ.ରାମପୁର ରାମଜୀଉ ନାଟ୍ୟ ସଂଘ ତରଫରୁ ଓଡ଼ିଶା ପ୍ରସିଦ୍ଧ ରାମଲୀଳା (ପାଂଚ ଖଣ୍ଡ) ନିଜର ରଚନା ସହିତ ନିର୍ଦ୍ଦେଶନା ଦେବା ଆଉ ଏକ ସଫଳକୃତି। ଘୁମୁରା ଓ ଦଣ୍ଡ ନୃତ୍ୟକୁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଦର୍ଶିତ କରିବାରେ ତାଙ୍କର ବିଶେଷ ଅବଦାନ ରହିଛି। ତାଙ୍କର ଅନେକ ଗବେଷଣାମୂଳକ ଲେଖା ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଓ ଆଦୃତ। କାମନା ଦଣ୍ଡ ନୃତ୍ୟକୁ ନେଇ ପରୀକ୍ଷା ନିରୀକ୍ଷା ସହିତ ଏକ ଆଂଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ନିଜ ଉଦ୍ୟମରେ ଗଠନ କରି ଏକ ସାଂସ୍କୃତିକ ଆନ୍ଦୋଳନର ସୂତ୍ରଧର। ସେହିପରି ରାମଜୀଉ ନାଟ୍ୟ ସଂଘ, ଚନ୍ଦ୍ରମଣି ନାଟ୍ୟ ସଂଘ ପ୍ରତି ନିଜର ଦାୟିତ୍ୱ ସୁଚାରୁରୂପେ ସଂପାଦନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ଉଦଜାପନି ସନ୍ଧ୍ୟାର ମୁଖ୍ୟ ଅତିଥି ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ ସମେତ ମହୋତ୍ସବର ବିଶିଷ୍ଟ ଅତିଥି ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ ବେହେରା, ସ୍ବତନ୍ତ୍ର ଅତିଥି କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ସତପଥି, ମୁଖ୍ୟ ବକ୍ତା କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ପିଜି କାଉନସିଲ ଚେୟାରମେନ ମେଜର୍ ଡ. ଜୟଦେବ ସାହୁ, ସମ୍ମାନିତ ଅତିଥି ସମ୍ବଲପୁର ବିଶ୍ବ ବିଦ୍ୟାଳୟର ରେଜିଷ୍ଟ୍ରାର ଡ଼. ନୃପରାଜ ସାହୁ, ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଧ୍ୟାନାନନ୍ଦ ପଣ୍ଡା, ବିଶିଷ୍ଟ ଉଦ୍ୟୋଗପତି ସୁମିତ କୁମାର ଅଗ୍ରୱାଲ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ, ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ସୁଧୀର ଧଙ୍ଗଡ଼ାମାଝୀ ପ୍ରମୁଖ ଉପସ୍ଥିତ ରହି ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କୁ ଦେବଗିରି ନାଟ୍ୟ ସମ୍ମାନରେ ସମ୍ମାନୀତ କରିଥିଲେ।





