ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଜଣେ ଶ୍ରମିକ ପଡୋଶୀ ରାୟଗଡ଼ା ଜିଲ୍ଲାରେ ଏକ ବ୍ରିଜ କାର୍ଯ୍ୟରେ ନିୟୋଜିତ ରହିଥିବାବେଳେ ସେଥିରୁ ଖସି ପଡ଼ି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଶ୍ରମିକ ଜଣକ କୋକସରା ଥାନା ଅଧୀନ ଖୁଣ୍ଟିଆ ଗ୍ରାମର ମାଧବ ମାଝି (୨୧) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ମାଧବ ମାସେ ତଳେ ପଡୋଶୀ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ ଅନ୍ତର୍ଗତ କୁଟରାଗଡ଼ ଠାରେ ଏକ ନିର୍ମାଣଧୀନ ବ୍ରିଜ କାମରେ ଜୈନିକ ଠିକାଦାର ଅଧୀନରେ ରହି ଶ୍ରମିକ ଭାବେ କାମ କରୁଥିଲେ। ତେବେ ଶୁକ୍ରବାର କାମ କରୁଥିବା ବେଳେ ହଠାତ୍ ମାଧବ ବ୍ରିଜରୁ ଖସି ପଡ଼ିଥିଲେ। ତାଙ୍କୁ ସାଙ୍ଗେ ସାଙ୍ଗେ ଉଦ୍ଧାର କରି ନିକଟସ୍ଥ ମୁନିଗୁଡା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭେଣ୍ଡିଆ ପୁଅର ମୃତ୍ୟୁ ଖବର ପାଇ ପୁରା ପରିବାର କାନ୍ଦ ବୋବାଳିରେ ଫାଟି ପଡୁଥିବା ଗାଁରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତେବେ ପରିବାର ଲୋକେ ଶବ ଆଣିବା ପାଇଁ ସେଠାକୁ ଯାଉଥିବା ସୂଚନା ମିଳିଛି।