‘ଏଆଇ ଫର୍ ଇଣ୍ଡିଆ ୨.୦’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନୂଆଦିଲ୍ଲୀଠାରେ ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଉପରେ ଏକ ମାଗଣା ଅନଲାଇନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ଏଆଇ ଫର୍ ଇଣ୍ଡିଆ ୨.୦’ର ଶୁଭାରମ୍ଭ କରିଛନ୍ତି।

ଏନେଇ ମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ, ସ୍ଥାନୀୟ ଭାଷାରେ ଅନଲାଇନ୍ ଟେକ୍ନୋଲୋଜି ଶିକ୍ଷା ଦେଉଥିବା ବୈଷୟିକ ପ୍ଲାଟଫର୍ମ ଗୁଭି, ରାଷ୍ଟ୍ରୀୟ ଧନ୍ଦାମୂଳକ ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ(ଏନସିଇଭିଟି) ଓ ଆଇଆଇଟି ମାଡ୍ରାସର ମିଳିତ ଉଦ୍ୟମରେ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ। ଏହି ସ୍ୱୀକୃତିପ୍ରାପ୍ତ ଅନଲାଇନ୍ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ଦକ୍ଷତା କ୍ଷେତ୍ରରେ ସଶକ୍ତ କରିବ। ଗୁଭି ଏହି କାର୍ଯ୍ୟକ୍ରମକୁ ୯ଟି ଭାରତୀୟ ଭାଷାରେ ପ୍ରସ୍ତୁତ କରିଛି। ପ୍ରଯୁକ୍ତିବିଦ୍ୟା ଶିକ୍ଷାରେ ଭାଷା ପ୍ରତିବନ୍ଧକକୁ ଦୂର କରିବା ଏବଂ ବିଶେଷ ଭାବରେ ଗ୍ରାମାଞ୍ଚଳରେ ଥିବା ଆମ ଯୁବଶକ୍ତିଙ୍କୁ ଭବିଷ୍ୟତରେ ସଶକ୍ତ କରିବା ଦିଗରେ ଏହା ଏକ ଭଲ ପଦକ୍ଷେପ। ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଗୁଭିକୁ ସମସ୍ତ ଭାରତୀୟ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଜାପାନ, ଜର୍ମାନ ଭଳି ପ୍ରଗତିଶୀଳ ରାଷ୍ଟ୍ର ଇଂରାଜୀ ଭାଷାରେ ସେତେ ସଶକ୍ତ ନୁହଁନ୍ତି। କିନ୍ତୁ ସେମାନେ ଏଆଇ କ୍ଷେତ୍ରରେ ବହୁତ ସୁଦୃଢ। ତେଣୁ ଇଂରାଜି ନୁହେଁ ବରଂ ନିଜ ଭାଷାରେ ହିଁ ସବୁ ଶିକ୍ଷା ଓ ଟେକ୍ନୋଲୋଜି କ୍ଷେତ୍ରରେ ପ୍ରାଥମିକତା ଦେବା ଦରକାର। ଏହାବ୍ୟତିତ ସେ କହିଛନ୍ତି ଯେ ଏଆଇ ବର୍ତ୍ତମାନ ସବୁସ୍ଥାନରେ। ଆଜି ଭାରତର ୟୁପିଆଇ ପେମେଣ୍ଟ ଟେକ୍ନୋଲୋଜି କ୍ଷେତ୍ରରେ ଏକ ଅଭୂତପୂର୍ବ ସଫଳତା ହାସଲ କରିଛି। ଦେଶରେ ଜିଏସଟି ଅଭିବୃଦ୍ଧି ଘଟୁଛି। ତେଣୁ ଦେଶ ଏହି କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.