ଛତିକୁଡ଼ାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠପ୍ : କୋମାରେ ପିଡବ୍ଲୁଡି ବିଭାଗ

ଶୀଘ୍ର କାର୍ଯ୍ୟ ନହେଲେ ଆନ୍ଦୋଳନ ହେବ -ଟିକେଧର ସାହୁ, ପୂର୍ବତନ ସରପଞ୍ଚ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ର ଶାନ୍ତପୁର ଗ୍ରାମ ପଞ୍ଚାୟତରେ ରହିଥିବା ଛତିକୁଡା ଛକ ନର୍ଲାର ପ୍ରବେଶ ଦ୍ୱାର । ଗତ ଦେଢବର୍ଷ ହୋଇଗଲା ଛକର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇ କେବଳ ପୁନାଦି ଖୋଲିଦେଇ ନିଜର ଦାଇତ୍ୱ ସାରିଦେଇ ହାତ ବାନ୍ଧି ବସିଛି ପିଡବ୍ଲୁଡି ବିଭାଗ । ଦୀର୍ଘ ଦୀନରୁ ଛକରେ ପାର୍କିଂ ବ୍ୟବସ୍ଥା, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଓ ଲାଇଟର ବ୍ୟବସ୍ଥା କରିବା ପାଇଁ ଦାବୀ ହୋଇ ଆସୁଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଲଲିପପ ଦେଖାଇ ଚାଲିଛି ପିଡବ୍ଲୁଡି ବିଭାଗ । ଏହି ଛକରେ ଶହ ଶହ ଗାଡି ପାର୍କିଂ ହୋଇ ରହୁଥିବା ବେଳେ ପାର୍କିଂ ପାଇଁ ସ୍ପେସ ନାହିଁ । ଫଳରେ ଏହି ଛକରେ ଦୁର୍ଘଟଣା ଘଟିବା ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି । ଅନ୍ୟପକ୍ଷେ ସନ୍ଧ୍ୟା ହୋଇଗଲେ ଛକ ଘନ ଅନ୍ଧକାରରେ ବୁଡି ରହୁଥିବାରୁ ଚୋରୀ ଡକାୟତି ମଧ୍ୟ ବଢି ଚାଲିଛି । ସବୁ ବେଳେ ବଡ ବଡ ଟ୍ରକ ଗୁଡିକ ଏଠି ସେଠି ପାର୍କିଂ କରିବା ଫଳରେ ଛକଟି ଜାମ ହୋଇ ପଡୁଥିଲା । ଲୋକଙ୍କ ଦାବୀ ଅନୁଯାୟୀ ଗତ ଦୁଇ ବର୍ଷ ତଳେ ଛକର କେନ୍ଦ୍ର ସ୍ଥଳ ଲାଇଟ ପୋଷ୍ଟ ତଳେ ସୌନ୍ଦର୍ଯ୍ୟ କରଣ ନିମନ୍ତେ ମିନି ପାର୍କ ପାଇଁ ପିଡବ୍ଲୁଡି ବିଭାଗ ଯୋଜନା କଲା । ହେଲେ ଛକର କେନ୍ଦ୍ରସ୍ଥଳ ରେ ପାର୍କ ପାଇଁ ଅଧିକ ଯାଗା ବିଭାଗ ଅକ୍ତିଆର କରିବାରୁ ବିରୋଧ କରିଥିଲେ ଛତିକୁଡ଼ା ଛକର ବ୍ୟବସାୟୀ ଓ ସ୍ଥାନୀୟ ଜନସାଧାରଣ । ପିଡବ୍ଲୁଡି ବିଭାଗ ଓ ଜନସାଧାରଣଙ୍କ ମଧ୍ୟରେ ଏନେଇ ଟଣାଓଟରା ମଧ୍ୟ ଚାଲିଲା । ଲୋକଙ୍କ ଦାବୀ ସୌନ୍ଦର୍ଯ୍ୟ କରଣ ହେଉ ହେଲେ ପାର୍କିଂ ପାଇଁ ମଧ୍ୟ ଜାଗା ରହୁ । ଛକର କେନ୍ଦ୍ରସ୍ଥଳ ସୌନ୍ଦର୍ଯ୍ୟ କରଣ ପାଇଁ ଅଧିକ ଜାଗା ବିଭାଗ ଅକ୍ତିଆର କରିବାରୁ ଛତିକୁଡାର ସ୍ଥାନୀୟ ଲୋକେ ଆପତ୍ତି କରିବା ସହ ଶାନ୍ତପୁର ର ତତ୍କାଳୀନ ସରପଞ୍ଚ ଟିକେଧର ସାହୁଙ୍କ ନେତୃତ୍ୱରେ କଳାହାଣ୍ଡିରେ ପଞ୍ଚାୟତିରାଜ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବା ଦିନ ଫେବୃୟାରୀ ୧୭ ରେ ଛତିକୁଡାର କେନ୍ଦ୍ର ସ୍ଥଳ ଲାଇଟ ପୋଷ୍ଟ ତଳେ ୨୦୦ ରୁ ଉର୍ଦ୍ଧ୍ବ ଲୋକେ ଧାରଣା ରେ ବସିଥିଲେ । ସକାଳ ହେଲେ ଫେବୃୟାରୀ ୧୮ ନର୍ଲା ରେ ନିର୍ବାଚନ । ନର୍ଲା ପୋଲିସ୍ ର ବୁଦ୍ଧିବଣା ହେଲା । ନର୍ଲାର ତତ୍କାଳୀନ ଡିଏସପି ରେଣୁକା ସୁନାଙ୍କ ନେତୃତ୍ୱରେ ତତ୍କାଳୀନ ଏସଆଇ ବଂଶୀଧର ସାମଲ ନର୍ଲା ପୋଲିସ ଟିମ ନେଇ ଘଟଣା ସ୍ଥଳରେ ପହଞ୍ଚି ବିଡବ୍ଲୁଡି ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ମାଧ୍ୟମରେ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଲୋକଙ୍କୁ ବୁଝାସୁଝା କରି ଧାରଣାକୁ ବନ୍ଦ କରିଦେଲେ । ନିର୍ବାହୀ ଅଧିକାରୀ କଥାଦେଲେ ନିର୍ବାଚନ ସରିଯିବା ପରେ ଜନସାଧାରଣଙ୍କ ଦାବୀ ଅନୁଯାୟୀ ସୌନ୍ଦର୍ଯ୍ୟ କରଣ ହେବା ସାଙ୍ଗକୁ ପାର୍କିଂ ପାଇଁ ମଧ୍ୟ ଜାଗା ଛାଡି ଦିଆଯିବ ବୋଲି । ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅଜିତ ବାବୁ, ଏସଡ଼ିଓ, କନିଷ୍ଠ ଯନ୍ତ୍ରୀ ସୁରେନ ବାବୁ ଏବଂ ଅନ୍ୟ ଦୁଇଜଣ ସହକାରୀ କର୍ମଚାରୀଙ୍କ ସହ ଛତିକୁଡ଼ା ଆସି ଶାନ୍ତପୁର ର ପୂର୍ବତନ ସରପଞ୍ଚ ଟିକେଧର ସାହୁ, ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର, ଖୁଲୁରାମ ସାହୁ, ରଣ ମାଝୀ,ଦିଲୀପ ନାଏକ ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟ ରାସ୍ତାରୁ ୧୨ ଫୁଟ ଲେଖାଏଁ ପାର୍କିଂ ପାଇଁ ଜାଗା ଛାଡି ତିନିକୋଣିଆ ଛୋଟିଆ କାନ୍ଥ ଦେଇ ସୌନ୍ଦର୍ଯ୍ୟ କରଣ ପାଇଁ ଲେ ଆଉଟ ଦେଇ ପୁନାଦି ଖୋଳା ହେଲା । ପୁନାଦି ଖୋଳ ହୋଇ ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇପାରି ନାହିଁ । ପୁନାଦି ଏବେ ପୋତିହେବାକୁ ବସିଲାଣି । ବିଭାଗୀୟ ଅଧିକାରୀଙ୍କ ସ୍ଥାଣୁତା ଯୋଗୁଁ ଛତିକୁଡ଼ା ସୌନ୍ଦର୍ଯ୍ୟ କରଣ ଓ ପାର୍କିଂ ବ୍ୟବସ୍ଥା କାର୍ଯ୍ୟ ଠପ ହୋଇ ପଡ଼ିଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ କ୍ଷୁବ୍ଧ ହୋଇପଡିଛନ୍ତି । ନର୍ଲାର ପ୍ରବେଶ ଦ୍ୱାର କୁହାଯାଉଥିବା ପ୍ରମୁଖ ଛକ ଛତିକୁଡା ଛକ ଭବାନୀପାଟଣାରୁ ରାୟଗଡା ଓ ଆନ୍ଧ୍ର ପ୍ରଦେଶକୁ ସଂଯୋଗ କରୁଥିବା ବେଳେ ଭବାନୀପାଟଣାରୁ ଛତିକୁଡା ଛକ ଦେଇ ନର୍ଲା ପଟେ ଭୁବନେଶ୍ୱର ଯାଇଛି ରାଜ୍ୟ ରାଜପଥ। ଛତିକୁଡା ଛକରେ ଆନ୍ଧ୍ର ପ୍ରଦେଶ ରୁ ଆସୁଥିବା ମାଲ ବୋଝେଇ ଭାରିଯାନ (ଟ୍ରକ) ସବୁ ଓ ଏପଟେ କଲିକତାରୁ ସମ୍ବଲପୁର ଦେଇ ଆନ୍ଧ୍ର ଯାଉଥିବା ଭାରିଯାନ ଗୁଡିକ ଛତିକୁଡା ଛକରେ ରହଣୀ କରି ଢାବା ଗୁଡିକରେ ଖିଆ ପିଆ କରିଥାନ୍ତି । ଫଳରେ ଶହ ଶହ ଟ୍ରକ ରହୁଥିବା ଯୋଗୁଁ ସବୁବେଳେ ଟ୍ରାଫିକ ସମସ୍ୟା ଦେଖାଦେଇଥାଏ । ଛତିକୁଡା ଛକରେ ରାସ୍ତା କାମ ବେଳେ ପିଡବ୍ଲୁଡି ବିଭାଗ ତରଫରୁ ରାସ୍ତା ପ୍ରଶସ୍ତିକରଣ କରାଗଲା । ହେଲେ ବାସ୍ତବିକ ରାସ୍ତା ଯେତେ ପ୍ରଶସ୍ତି ରହିବା କଥା ରହିଲା ନାହିଁ । ଯାହାକୁ ନେଇ ସ୍ଥାନୀୟବ୍ୟବସାୟୀ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଜମାଟ ବାନ୍ଧିଲା । ଅନ୍ୟପକ୍ଷେ ଛକର କେନ୍ଦ୍ର ସ୍ଥଳୀରେ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଛୋଟ ଛୋଟ କାନ୍ଥ ଦେଇ ସିମେଣ୍ଟ କାମ କରାଯିବା ପାଇଁ ବିଭାଗ ଉଦ୍ୟମ ଆରମ୍ଭ କଲା । ହେଲେ ଲୋକେ ଦାବୀ କଲେ ସୋନ୍ଦର୍ଯ୍ୟ କରଣ ପାଇଁ ଏତେ ଗୁଡିଏ ଜାଗା ଅକ୍ତିଆର କରାନଯାଉ । ନିଜ ଜିଦ ରେ ଅଟଳ ରହିଲା ପିଡବ୍ଲୁଡି ବିଭାଗ । ଏହାକୁ ନେଇ ଚାଲିଲା ଟଣାଓଟରା । ଓ ଲୋକେ ଛକରେ ଧାରଣା ଦେଇଥିଲେ ।ଏହାପରେ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଆରମ୍ଭ କରି ପୁନାଦୀ ଖୋଲିଦେଇ ବିଭାଗ କୋମାରେ ପଡି ରହିଛି । ଏବେ ଛତିକୁଡ଼ା ଛକରେ ଟ୍ରାଫିକ ସମସ୍ୟା ଓ ଘନ ଅନ୍ଧକାର ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ଅଧିକାରୀଙ୍କ ସ୍ଥାଣୁତା ଓ ଗାଲୁଆ ନୀତି ଯୋଗୁଁ କାମ ଠପ ହୋଇ ପଡିଛି । ବିଭାଗ ଯଦି ଆସନ୍ତା ସପ୍ତାହକ ମଧ୍ୟରେ ଛକରେ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଓ ଲାଇଟର ସୁବ୍ୟବସ୍ଥା ନକରେ ତାହେଲେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ପୂର୍ବତନ ସରପଞ୍ଚ ଟିକେଧର ସାହୁ ଚେତାବନୀ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.