ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପ୍ରଥମ ଓଡିଆ ଭାବେ ଦକ୍ଷିଣ କୋରିଆ ମାଟିରେ ପାଟନରସିପ ତାଇକଣ୍ଡୋ ପ୍ରୋଗ୍ରାମରେ ଯୋଗଦେବେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ର ସୁନା ପୁଅ ଏହେସାସ ହୋତା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମୁଲ୍ୟମଣୀ ରାଣୀପୁର ଗାଁର ଆନ୍ତର୍ଜାତୀୟ ତାଇକଣ୍ଡୋ କ୍ରୀଡାବିତ ଏହେସାସ ହୋତାଙ୍କୁ ମିଳିଛି ଆଉ ଏକ ସଫଳତା । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ କୋରିଆ ରେ ବିଶ୍ୱ ତାଇକଣ୍ଡୋ ସଂଘ ପକ୍ଷରୁ ପାଟନରସିପ ତାଇକଣ୍ଡୋ ପ୍ରୋଗ୍ରାମ ଅନୁଷ୍ଠିତ ହେବ । ଯେଉଁଠି ବିଭିନ୍ନ ଦେଶରୁ ବଛା ବଛା ତାଇକଣ୍ଡୋ କୋଚମାନଙ୍କୁ ବିଶ୍ୱର ମାନ୍ୟତା ପ୍ରାପ୍ତ କୋଚମାନେ ଉନ୍ନତମାନର ତାଲିମ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ ଏହେସାସ ହୋତା ଓଡିଶା ମାଟିର ପ୍ରଥମ ଏବଂ ଭାରତର ଏକମାତ୍ର ସର୍ବକନିଷ୍ଠ କୋଚଭାବେ ତାଲିମ ନେବାପାଇଁ ମନୋନିତ ହୋଇଛନ୍ତି । ଏନେଇ ଏହସାସ ହୋତାଙ୍କ ପାଖକୁ ବିଶ୍ୱ ତାଇକଣ୍ଡୋ ମୁଖ୍ୟ କାର୍ଯ୍ୟାଳୟ ଦକ୍ଷିଣ କୋରିଆରୁ ପତ୍ର ମିଳିସାରିଛି । ଏହେସାସ ହୋତା ବହୁବାର ଆନ୍ତର୍ଜାତୀୟ ପ୍ରତିଯେଗିତାରେ ଅଂଶଗ୍ରହଣ କରି ଭାରତ ପାଇଁ ଗୌରବ ଆଣିସାରିଥିବାବେଳେ ପୁର୍ବରୁ ଦୁଇଥର ଦକ୍ଷିଣ କୋରିଆରେ ମାସ ମାସଧରି ତାଲିମ ମଧ୍ୟ ନେଇସାରିଛନ୍ତି । ତେବେ ଏହି ଖବର ଜଣାପଡିବା ପରେ ରାଜ୍ୟ ତାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଂଜ, ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା, ଜିଲ୍ଲା କ୍ରୀଡା ଅଧିକାରୀ ଚିତରଂଜନ ମିଶ୍ର, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଜିଲ୍ଲା ତାଇକଣ୍ଡୋ ସଂଘର ଅଇନ ପରାମର୍ଶଦାତା ରାଧାକାନ୍ତ ବାଘ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କ୍ରୀଡା ଅନୁଷ୍ଠାନ ପକ୍ଷରୁ ଏହେସାସ ହୋତାଙ୍କୁ ଶୂଭେଚ୍ଛା ଓ ଶୁଭ କାମନା ଜ୍ଞାପନ କରାଯାଇଛି ।