ନର୍ଲା ଧାନ ମଣ୍ଡି ଉଦ୍ଘାଟିତ

ମଣ୍ଡିରେ ଚାଷୀଙ୍କ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ  ବ୍ୟବସ୍ଥା କରାଯିବ -ପ୍ୟାକ୍ସ ସଭାପତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ଶେଷ ସୁଦ୍ଧା ସମସ୍ତ ଧାନ ମଣ୍ଡି ଉଦ୍ଘାଟନ ହେବ ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ ଜିଲ୍ଲାର ଅଧିକାଂଶ ମଣ୍ଡି ଏଯାଏଁ ଉଦ୍ଘାଟିତ ହୋଇନାହିଁ। ଜିଲ୍ଲାର ନର୍ଲା ବ୍ଲକରେ ରହିଥିବା ୭ ଗୋଟି ପ୍ୟାକ୍ସ ଓ ଉକ୍ତ ପ୍ୟାକ୍ସ ଗୁଡିକ ଅଧିନରେ ଚାଲୁଥିବା ୨୫ ଗୋଟିଧାନ ମଣ୍ଡି ମଧ୍ୟରୁ ୩୦ ନଭେମ୍ବରରେ ରୁପ୍ରା ଧାନମଣ୍ଡି ଉଦ୍‌ଘାଟିତ ହୋଇ ସାରିଥିବା ବେଳେ ଜିଲ୍ଲାର ଦ୍ୱିତୀୟ ମଣ୍ଡି ଭାବରେ ନର୍ଲା ଧାନ ମଣ୍ଡି ରବିବାର ସକାଳ ୧୧ ଘଣ୍ଟା ସମୟରେ ଉଦ୍ଘାଟିତ ହୋଇଯାଇଛି। ନର୍ଲା ପ୍ୟାକ୍ସ ଅଧିନରେ ଚାଲୁଥିବା ନର୍ଲା ବସ୍ତି ଆରମ୍ଭ ମୁଣ୍ଡ ରାଜ ରାସ୍ତା କଡରେ ଏକ ଘରୋଇ ଜାଗାରେ ଅନୁଷ୍ଠିତ ହୋଇଛି ନର୍ଲା ଧାନମଣ୍ଡି। କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ପୁଷ୍ପେନ୍ଦ୍ର କୁମାର ସିଂଦେଓ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଚାଷୀଙ୍କ ଧାନ କିଣିବା ସାଙ୍ଗେ ସାଙ୍ଗେ ୨୪ ଘଣ୍ଟା ମଧ୍ୟରେ ଏକାଉଣ୍ଟରେ ଟଙ୍କା ପଡିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କଥା ତାଙ୍କ ବକ୍ତବ୍ୟରେ କହିଥିଲେ। ନର୍ଲା ପ୍ୟାକ୍ସ ସଭାପତି ମଞ୍ଜୁଲତା ଗଉଡଙ୍କ ଅଧ୍ୟକ୍ଷତାରେ ଏହି ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲା ତହସିଲଦାର ବିଶ୍ୱରଞ୍ଜନ କଅଁର, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଯୋଗାଣ ଅଧିକାରୀ ଶିବପ୍ରସାଦ ମହାନ୍ତି, ନର୍ଲା ଗ୍ରାମ୍ୟ କୃଷି କର୍ମଚାରୀ ମୀନତି ରଣା ପ୍ରମୁଖ ଯୋଗଦାନ କରି ମହାଲକ୍ଷ୍ମୀ ଫଟୋଚିତ୍ର, ଧାନବସ୍ତା ଓ ଧାନ ଓଜନ ପରିମାପକ ମେସିନରେ ସିନ୍ଦୁର, ଚନ୍ଦନ ଦେଇ ପୂଜାପାଠ କରି ନାରୀକେଳ ଭାଙ୍ଗି ଏହାର ଶୁଭ ଉଦ୍ଘାଟନ କରିଥିଲେ। ଏହାପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ନର୍ଲା ପ୍ୟାକ୍ସର ଭାରପ୍ରାପ୍ତ ସମ୍ପାଦକ ଲବକାନ୍ତ ସା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମବାୟ ସମିତି ସଦସ୍ୟ ତଥା ସର୍ଗିଗୁଡା ପଞ୍ଚାୟତର ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ ମଞ୍ଚ ସଂଯୋଜନା କରିଥିଲେ। ନିୟନ୍ତ୍ରୀତ ବଜାର କମିଟିର କର୍ମଚାରୀ ଜଗତରାମ ନାଏକ, ପ୍ୟାକ୍ସର ଡାଟାଏଣ୍ଟ୍ରି ଅପରେଟର କେତନ ବଗର୍ତ୍ତି, ଦେବେନ୍ଦ୍ର ରଣା, ରୁପ୍ରାରୋଡ ରାମାନୁଜ ମିଲ ମାଲିକ ଧିରେନ୍ଦ୍ର ଖେତାନ, ବଣ୍ଟି ଖେତାନ, ନର୍ଲାରୋଡ କହ୍ନେୟା ଏଗ୍ରୋ ରାଇସ ମିଲର ଏଜେଣ୍ଟ ନିକୁଞ୍ଜ ଓଝା, ଚକ୍ରଧର ଗଉଡ, ବରିଷ୍ଠ ଚାଷୀ କିଶୋର କୁମାର ନାଏକ, କିଶୋର ଚାନ୍ଦ, ଅନିରୁଦ୍ଧ ବିଶ୍ୱାଳ, କୁମୁଦ ଚନ୍ଦ୍ର ନାଏକ, ଚନ୍ଦ୍ର ବିଶ୍ବାଳ, ଉଦ୍ଧବ ପଧାନ, ଉମାକାନ୍ତ ନାଏକ, କୈଳାସ ବୁଦ୍ଧିଆ, ଗଜିନ୍ଦ୍ର ପଧାନ, ମନମୋହନ ନାଏକ, ପୂର୍ଣ୍ଣଚନ୍ଦ୍ର ପୁଝାରୀ, ବଡ ହଂସଙ୍କ ସମେତ ଆଖପାଖ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ୱ ଚାଷୀଙ୍କ ଉପସ୍ଥିତିରେ ଏହି ଉଦ୍ଘାଟନୀ ଉତ୍ସବ ସମ୍ପନ୍ନ ହୋଇଥିଲା। ଅନେକ ଉତ୍ସାହ ର ସହ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ମଣ୍ଡିରେ କାର୍ଯ୍ୟରତ ଶ୍ରମିକ ଗୋଷ୍ଠି। କହ୍ନେୟା ଏଗ୍ରୋ ନର୍ଲାରୋଡ ମିଲ, ରାମାନୁଜ ଏଗ୍ରୋ ଟେକ ବୁଢୀପଦର ମିଲ, ଶ୍ରୀ ଜଗନ୍ନାଥ ଫୁଡସ କେସିଙ୍ଗା. ତୁଳାପଡା କନକଦୁର୍ଗା ରାଇସ ମିଲ, ବମକେଇ ଫୁଡ କେସିଙ୍ଗା ରାଇସ ମିଲକୁ ନର୍ଲା ମଣ୍ଡିରେ ସଂଯୁକ୍ତ କରାଯାଇଥିବା ଜଣାପଡିଛି। ଉଦ୍ଘାଟନୀ ଦିବସରେ ଟୋକନ ପାଇଥିବା ୫ ଜଣ ଚାଷୀଙ୍କ ୫୨୪ ବସ୍ତା ଅର୍ଥାତ ପ୍ରାୟ ୨୫୦ କ୍ୱିଣ୍ଟାଲ ଧାନ ମଣ୍ଡିକୁ ଆସିଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ନର୍ଲା ମଣ୍ଡିରେ ୬୩,୦୦୦ କ୍ୱିଣ୍ଟାଲ ଧାନ କିଣାଯିବା ପାଇଁ ଟୋକନ କ୍ରମିକ ତାଲିକା ହୋଇସାରିଥିବା ବେଳେ ନର୍ଲା ମଣ୍ଡିରେ ୮୫,୦୦୦ କ୍ୱିଣ୍ଟାଲ ଧାନ କିଣିବାର ଲକ୍ଷ୍ୟଧାର୍ଯ୍ୟ ରହିଛି ବୋଲି ନର୍ଲା ପ୍ୟାକ୍ସର ସମ୍ପାଦକ ଲବକାନ୍ତ ସା ପ୍ରକାଶ କରିଛନ୍ତି। ନର୍ଲା ଯୋଗାଣ ଅଧିକାରୀ ଶ୍ରୀ ମହାନ୍ତି ଚଳିତ ବର୍ଷ ଧାନ କିଣିବା ସମୟରେ ଜାରି କରିଥିବା କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍କ ଚାଷୀ ମାନଙ୍କୁ କହିଥିଲେ। ଆସନ୍ତା ୫ ତାରିଖରେ ବାତ୍ୟା ଅଶଙ୍କାକୁ ନେଇ ମଣ୍ଡି ଆସନ୍ତା କାଲିଠାରୁ ୭ ତାରିଖ ଯାଏଁ ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଥିବା ସମ୍ପାଦକ ଶ୍ରୀ ସା ସୂଚନା ଦେଇଛନ୍ତି।
ଚଳିତ ବର୍ଷ ଅଞ୍ଚଳରେ ପ୍ରଚୁର ଧାନ ଉତ୍ପାଦନ ହୋଇଛି। ନର୍ଲା ଧାନ ମଣ୍ଡି ଆଗରୁ ମଧ୍ୟ ଶୃଙ୍ଖଳିତ ଭାବରେ ଚାଲି ଆସୁଥିଲା। ଏଥିରେ ଚାଷୀ, ନିୟନ୍ତ୍ରୀତ ବଜାର କମିଟି, ପ୍ୟାକ୍ସ କର୍ମଚାରୀ ଓ ମିଲର୍ସଙ୍କ ମଧ୍ୟରେ କୌଣସୀ ମତପାର୍ଥକ୍ୟ ନଥିଲା। ଚଳିତ ବର୍ଷ ମଧ୍ୟ ନର୍ଲାର ଧାନ ମଣ୍ଡି ଉତ୍ତମ ଭାବରେ ଚାଲିବ ବୋଲି ମୁଁ ଆଶା କରିବି। କାରଣ ନର୍ଲା ଅଞ୍ଚଳର ଚାଷୀ ବହୁତ ଭଲ। ମିଲର୍ସ, ପ୍ୟାକ୍ସ କର୍ମଚାରୀ ଓ ନିୟନ୍ତ୍ରୀତ ବଜାର କମିଟି ର କର୍ମଚାରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହୁଛି। ଆମ ତରଫରୁ ମଧ୍ୟ ଚାଷୀଙ୍କ ପାଇଁ ମଣ୍ଡିରେ ଯାହା କିଛି ସୁବିଧା ରହିବା କଥା ସେ ସବୁ ଯୋଗାଇ ଦିଆଯିବ। ଏହି ପରିପ୍ରେକ୍ଷୀରେ ମୁଁ ନର୍ଲା ପ୍ୟାକ୍ସ ଅଞ୍ଚଳର ଚାଷୀ ଭାଇ ମାନଙ୍କୁ ଅନୁରୋଧ କରିବି ଉତ୍ତମ ଭାବରେ, କୌଣସୀ ଝାମେଲା ନଥାଇ ମଣ୍ଡି ଚଲେଇବା ଦିଗରେ ଆମକୁ ସାହାଯ୍ୟ, ସହଯୋଗ କରିବେ ବୋଲି ନର୍ଲା ସମବାୟ ସମିତି ସଭାପତି ମଞ୍ଜୁଲତା ଗଉଡ ତାଙ୍କ ମତାମତରେ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.