ନୟାଗଡ଼ ଜିଲ୍ଲା ଓଏସଇଏଫଡ଼ି ଶାଖା ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ନୟାଗଡ଼: ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ (ଓଏସଇଏଫଡ଼ି) ନୟାଗଡ଼ ଶାଖା ପକ୍ଷରୁ ରାଜସୁନାଖଳା ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି। ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କୁ ଏକତ୍ରିତ କରି ତାଙ୍କ ସହ ଓଏସଇଏଫଡ଼ି ସଂଘର କାର୍ଯ୍ୟକର୍ତ୍ତା କିଛି ସମୟ ବିତାଇବା ଦ୍ବାରା ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଖୁସି ପ୍ରକଟ କରିଥିଲେ। ଏହି ଦିବସକୁ ଓଡ଼ିଶା ସରକାର ରାଜ୍ୟସାରା ବହୁ ଆଡ଼ମ୍ବରରେ ପାଳନ କରୁଛନ୍ତି, କିନ୍ତୁ ସମସ୍ତ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନେ ଶିକ୍ଷା ଗ୍ରହଣ କରୁଥିଲେ ମଧ୍ୟ ତାଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ବାହାର କଲେ ନାହିଁ। ଏହି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲେ ସୁଦ୍ଧା,ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି। ଏହି ପରିପ୍ରେକ୍ଷୀରେ ଓଏସଇଏଫଡ଼ି ସଂଘ କ୍ଷୋଭ ପ୍ରକାଶ କରିବା ସହ ଖୁବ୍ ଶୀଘ୍ର ନିଯୁକ୍ତିର ବିଜ୍ଞାପନ ବାହାର କରିବା ପାଇଁ ସରକାରଙ୍କୁ ନିବେଦନ କରିଛି। ଶିକ୍ଷା ହେଉଛି ଏକ ଦିବ୍ୟାଲୋକ, ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରେ। ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ ଉତ୍ତମ ଶିକ୍ଷା ଓ ପ୍ରଶିକ୍ଷଣ ଦେବା ଦ୍ବାରା ସେହି ବିଦ୍ୟାର୍ଥୀମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ସଂଘର କର୍ମକର୍ତ୍ତା ମାନେ ମତ ପୋଷଣ କରିଥିଲେ। ଶାରୀରିକ ଭିନ୍ନତା ଥାଇ ବି ସାଧାରଣ ଶିଶୁ ମାନଙ୍କ ଠାରୁ କୌଣସି ଗୁଣରେ ଏମାନେ କମ୍ ନୁହନ୍ତି ତାହା ପ୍ରତିପାଦିତ କରି ଦେଖାଇଛନ୍ତି ଏହି ଶିଶୁମାନେ। ଭିନ୍ନକ୍ଷମ ଶିଶୁମାନେ ବହୁ ସୁନ୍ଦର ଓ ଆକର୍ଷଣୀୟ ଚିତ୍ରାଙ୍କନ କରି ସେମାନେ ନିଜର ପ୍ରତିଭା ଦେଖାଇ ପାରିଛନ୍ତି। ସ୍ଥାନୀୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ  ମଞ୍ଜୁବାଳା ମିଶ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ। ଏହି ଦିବସ ପାଳନରେ ଶୁଭସ୍ମିତା ମିଶ୍ର, ଶିବ ପ୍ରସାଦ ମିଶ୍ର, ତୃପ୍ତିମୟୀ ପ୍ରଧାନ, ଆର୍ଷୀ ଉପାସନା କର, ସମେତ ଅଭିଭାବକମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଉପରେ ଦୃଷ୍ଟି ଆକର୍ଷଣ କରିଲେ ଲକ୍ଷ ଲକ୍ଷ ଦିବ୍ୟାଙ୍ଗ ମାନେ ଭବିଷ୍ୟତ ଉଜ୍ବଳ ହେବା ସହ ସେମାନେ ସମାଜର ମୁଖ୍ୟସ୍ରୋତ ରେ ସାମିଲ ହୋଇ ପାରନ୍ତେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.