ଭଦ୍ରା ପଞ୍ଚାୟତରେ ପିଡ଼ିଏସ ଚାଉଳ ହଡପ ଘଟଣା: ଘେରାଉ ସହ ପ୍ରତିବାଦ ସଭା, ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା ପଞ୍ଚାୟତରେ ୫ ଖଣ୍ଡ ଗାଁର ପିଡ଼ିଏସ ଚାଉଳ ହଡପ ହୋଇଥିବା ନେଇ ଗତ ୪ ତାରିଖ ଦିନ ସଇଁତଳା ବିଡ଼ିଓଙ୍କ ଠାରେ ଅଭିଯୋଗ ହୋଇଥିଲା। ଏ ଘଟଣା ନେଇ ବାରମ୍ବାର ଖବର ପ୍ରକାଶ ପରେ ବ୍ଲକ ଯୋଗାଣ ବିଭାଗ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରୁଥିବା ପ୍ରତିବାଦରେ ଶୁକ୍ରବାର ସାମାଜିକ କର୍ମୀ ବଳଦେବ କୁମ୍ଭାରଙ୍କ ନେତୃତ୍ୱରେ ପଞ୍ଚାୟତକୁ ଘେରାଉ କରିବା ସହ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ପରେ ଅଭିଯୋଗ ହୋଇଥିବା ବିଭିନ୍ନ ଗାଁଗୁଡିକର ହିତାଧିକାରୀମାନଙ୍କୁ ଚାଉଳ ବଣ୍ଟନ କରାଯାଉ, ଯୋଗାଣ ସହାୟକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ଓ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଉ ଦାବୀକୁ ନେଇ ସରପଞ୍ଚ ରାଜେନ୍ଦ୍ର ଯାନୀଙ୍କ ଜରିଆରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ପ୍ରକାଶ ଯେ, ଏହି ପଞ୍ଚାୟତର ଯୁବମାଲ, ଚାହାରଭଟ୍ଟା, ଠୁନିକାନୀ ଗାଁରେ ୪ ମାସ ଚାଉଳ ବଣ୍ଟନ ହୋଇ ନ ଥିବା ବେଳେ ଚିତାମରା, ବରମୁଣ୍ଡା ଗାଁର ୧ ମାସର ଚାଉଳ ବାକି ଥିବା ବେଳେ ଲୁହୂରପାଲି ଓ ବରାହମାଲ ଗ୍ରାମର ୨ ମାସ ଲେଖାଏଁ ବାକି ଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାନେଇ ୩ ଥର ଲେଖାଏଁ ତଦନ୍ତ ଆରମ୍ଭ ହୋଇ ସାରିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ କୋଣସି ସମାଧାନ ହୋଇନାହିଁ। ଫଳରେ ହିତାଧିକାରୀମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି। ଏହି ଆନ୍ଦୋଳନ ସମୟରେ ହିତାଧିକାରୀ ଜିତେନ୍ଦ୍ର ବଗର୍ତି, ଚିତ୍ତରଞ୍ଜନ ସାହୁ, ବୀରେନ୍ଦ୍ର ଭୋଇ, ମଣ୍ଟୁ ସାହୁ, ସୁଜିତ ରଣା, ଅଶୋକ ଭୋଇ, ଲକ୍ଷ୍ମୀ ବଗର୍ତି, ବଢେନ ସାହୁ, ପାର୍ବତୀ ବଗର୍ତି, ଦାସରଥି ରଣା, ମନୋଜ ରଣା , ହରି ରଣା, ଅନନ୍ତ ରଣା, ପାଣ୍ଡବ ରଣା, ଧୂମା ରଣା, ହଂସରାଜ ରଣା, ଚୌଧାରୀ ସାହୁ, ତରୁଣୀ ଭୋଇଙ୍କ ସମେତ ବହୁ ମହିଳା ପୁରୁଷ ଆନ୍ଦୋଳନ ସାମିଲ ହୋଇଥିଲେ। ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ସଇଁତଲା ଆଇଆଇସି ଅବନୀ ସାହୁଙ୍କ ତତ୍ତ୍ୱବଧାନରେ ଏସଆଇ ସଂଗୀତା ବେକ ସହ ବ୍ୟାପକ ପୋଲିସ ମୁତୟନ ରହିଥିଲେ। ଯଦି ଆଗାମୀ ଦିନରେ ଚାଉଳ ବଣ୍ଟନ ବ୍ୟବସ୍ଥା କରା ନ ଗଲେ ପଞ୍ଚାୟତ କାର୍ଯାଳୟରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦେବା ପାଇଁ ହିତାଧିକାରୀ ସଜବାଜ ହେଉଛନ୍ତି ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏହି ଅଭିଯୋଗକୁ ନେଇ ବ୍ଲକ ଯୋଗାଣ ନିରୀକ୍ଷକ ପଦ୍ମଲୋଚନ ମଝୀ ଗତ ୧୧ ତାରିଖ ଦିନ ତଦନ୍ତ ପାଇଁ ୮ ନମ୍ବର ଓ ୯ ନମ୍ବର ୱାର୍ଡ ଯୁବାମାଳ ଓ ଚାହାରଭଟ୍ଟାକୁ ତଦନ୍ତ ପାଇଁ ଯାଇଥିଲେ। ସେଠାରେ ହିତାଧିକାରୀମାନଙ୍କ ସମସ୍ତ କାର୍ଡ ଯାଞ୍ଚ କରିବା ପରେ ୪ ମାସ ଚାଉଳ ନ ଦେଇ ଖାତାରେ ଯୋଗାଣ ସହାୟକ ଫଲସ ଏଣ୍ଟ୍ରି କରିଥିବା ଧରାପଡିଥିଲା। ଏହାପରେ ହିତାଧିକାରୀମାନେ ଚାଉଳ କେବେ ଦିଆଯିବ ବୋଲି ହୋ ହାଲ୍ଲା କରିବା ସହ ଯୋଗାଣ ଅଧିକାରୀଙ୍କୁ ଘେରାଓ କରି ବିଭିନ୍ନ ଦୁର୍ନୀତିକୁ ନେଇ ଅଭିଯୋଗ ଉଠାଇଥିଲେ। ପରେ ଯୋଗାଣ ଅଧିକାରୀ ହିତାଧିକାରୀମାନଙ୍କ ଠାରୁ ଲିଖିତ ଆକାରରେ ଦସ୍ତଖତ କରି ନେଇ ୪ ମାସର ଚାଉଳ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ଉତ୍ତେଜନା ଶାନ୍ତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.