କଂସବଧ ସହ ଶେଷ ହେଲା ପୋଖରୀବନ୍ଧ ଧନୁଯାତ୍ରା ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଂସବଧ ସହ ଶେଷ ହୋଇଛି ପୋଖରୀବନ୍ଧ ଧନୁଯାତ୍ରା ମହୋତ୍ସବ। କଂସକୁ କୃଷ୍ଣ ଓ ବଳରାମଙ୍କ ମଥୁରା ନଗରୀକୁ ଆଗମନର ବାର୍ତ୍ତା ଅକ୍ରୁର ଦେଇଛନ୍ତି। ବାର୍ତ୍ତା ଶୁଣଇ କଂସ ଆନନ୍ଦିତ ହୋଇଉଠିଛନ୍ତି। କପଟତା କରି ଆୟୋଜନ କରିଥିବା ମିଛ ଧନୁଯାତ୍ରା ସଫଳ ହୋଇଥିବାରୁ ଆଶ୍ବସ୍ତ ​ହୋଇଛି। ଏବେ ପରମ ଶତ୍ରୁ କୃଷ୍ଣଙ୍କୁ ମାରିବା ସହଜ ହେବ। ତେଣୁ କୃଷ୍ଣଙ୍କୁ ହତ୍ୟା କରିବାର ଯୋଜନା ପ୍ରସ୍ତୁତ କରିଥିଲେ ମହାରାଜା କଂସ।ଅନ୍ୟପକ୍ଷରେ କୃଷ୍ଣ ଓ ବଳରାମ କଂସ ମାମୁଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ଯିବା ବାଟରେ କଂସ ଦରବାରରେ ଥିବା ଶିବଧନୁକୁ ​ଧରି କୃଷ୍ଣ ଅନାୟସରେ ଭାଙ୍ଗି ଦେଇଥିଲେ। ଏହା କଂସକୁ ବିଚଳିତ କରିବା ସହ କ୍ରୋଧକୁ ଦ୍ବିଗୁଣିତ କରିଥିଲା। ଶ୍ରୀକୃଷ୍ଣ ରଜକ ବଧ କରିବା ସହ କୁବୁଜା ଓ ସୁଦାମା ମାଳିକୁ ଉଦ୍ଧାର କଲା ପରେ ଧନୁଯାତ୍ରା ଆଡ଼କୁ ଅଗ୍ରସର ହୋଇଥିଲେ। ଦ୍ବାରବେଶରେ କୁବଳୟା ହସ୍ତୀ ଓ ଅଷ୍ଟମଲ୍ଲ ପଥରୋଧ କରି କୃଷ୍ଣଙ୍କ ହାତରେ ମୃତ୍ୟୁବରଣ କରିଥିଲେ। ଏହି ଦୃଶ୍ୟ କଂସକୁ ମର୍ମାହତ କରିଥିବାବେଳେ କୃଷ୍ଣଙ୍କୁ ସାମ୍ନା କରିବାରେ ଅସମର୍ଥ ହୋଇ ମଞ୍ଚରୁ ପଡ଼ି କଂସଙ୍କ ମୃତ୍ୟୁ ​ହୋଇଛି। ଉଗ୍ରସେନଙ୍କୁ ରାଜା ଭାବରେ ପୁନର୍ବାର ଅଭିଷିକ୍ତ କରାଯାଇଛି। ତାଙ୍କ ଆଦେଶରେ ବସୁଦେବ ଓ ଦେବକୀ କାରାମୁକ୍ତ ହୋଇଛନ୍ତି। ଶେଷ ଦିନରେ ରାଜ ଅତିଥିର ମୁଖ୍ୟ ଅତିଥି ଭାବେ ମୁଖ୍ୟ ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ, ମୁଖ୍ୟବକ୍ତା ଭାବେ ପିଇଡବ୍ଲୁ ମିଡ଼ିଆ ଏସୋସିଏସନର ବରିଷ୍ଠ ଉପଦେଷ୍ଟା ସନ୍ତୋଷ କୁମାର ତୁଳ, ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ପୁର୍ବତନ ସରପଞ୍ଚ ଟଙ୍କଧର ମାଝୀ, ଧନୁଯାତ୍ରା କମିଟିର ସଭାପତି ରମେଶ ଚନ୍ଦ୍ର ସାହୁ, କାର୍ଯ୍ୟକାରୀ ସମ୍ପାଦକ ସନାତନ ବିଶି, ପୋଖରୀବନ୍ଧ ଗ୍ରାମପଞ୍ଚାୟତ ଯୋଗାଣ ସହାୟକ କୁଳମଣି ବେହେରା ପ୍ରମୁଖ ଯୋଗଦେଇଥିଲେ। ଯୁବ ସାମ୍ବାଦିକ ଗୋପାଳଦାସ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ। ତେବେ ଦୀର୍ଘ ୭ଦିନ ଧରି ଶୀତ କାକରରେ ମଜାନେଉଥିଲେ ଲାଞ୍ଜିଗଡ଼ ଅଞ୍ଚଳବାସୀ। ମିନାବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ଖାଦ୍ୟର ମଜା ନେଇଥିଲେ ଦେଖଣାହାରି। ହେଲେ ଦେଖୁ ଦେଖୁ ୭ଦିନ ବିତିଯାଇଥିଲା। ଧନୁଯାତ୍ରା ଓ କଂସବଧ ସହ ଶେଷ ହୋଇଥିଲା ପୋଖରୀବନ୍ଧ ଧନୁଯାତ୍ରା ମହୋତ୍ସବ। ପୋଖରୀବନ୍ଧ ଠାରେ ଅନୁଷ୍ଠିତ ହୋଇଥିବା ଏହି ଧନୁଯାତ୍ରା ମହୋତ୍ସବ କଂସ ଭୂମିକାରେ ଅଭିନୟ କରିଥିବା ନରେନ୍ଦ୍ର ପ୍ରଧାନଙ୍କ ଚମତ୍କାର ଅଭିନୟ ଓ ରାଜ ନର୍ତ୍ତକିମାନଙ୍କର ମାଦକଭରା ନୃତ୍ୟ ଦେଖଣାହାରିଙ୍କର ମନମୋହିଥିବାବେଳେ ଆଜି ସପ୍ତମଦିନରେ ଅଧର୍ମ ଉପରେ ଧର୍ମର ବିଜୟ ହେବା ସହ ସତ୍ୟ ଓ ଧର୍ମ ପଥରେ ଆଗେଇ ଯିବାକୁ ସମସ୍ତ ଜଗତବାସୀଙ୍କୁ ଏହି ଧନୁଯାତ୍ରା ପ୍ରେରଣା ଦେଇଛି। ଉତ୍ସବର ଅନ୍ତିମ ଦିବସରେ କଂସବଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ ଦେଖିବାକୁ ହଜାର ହଜାର ଦର୍ଶକ ଉପସ୍ଥିତ ରହିଥିଲେ। ଏଥିରେ ଧନୁଯାତ୍ରା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିବା ବେଳେ ସୁଦୂର ବରଗଡ଼ରୁ ଆସି ଅଭିନୟ କରୁଥିବା କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଶେଷରେ ଲାଞ୍ଜିଗଡ଼ ପିଇଡବ୍ଲୁ ମିଡିଆ ଆସୋସିଏସନ ଓ ଲାଞ୍ଜିଗଡ଼ ପ୍ରେସ କ୍ଲବକୁ ମଧ୍ୟ ପୋଖରୀବନ୍ଧ ଧନୁଯାତ୍ରା ମହୋତ୍ସବ କମିଟି ତରଫରୁ ସମ୍ମାନୀତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.