ଜିଲ୍ଲାର ଆଦିବାସୀ ଲୋକ ନୃତ୍ୟ, ଢେମସା ନୃତ୍ୟରେ ଦୁଲିକିଲା ମଞ୍ଚ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲାର ପାରମ୍ପରିକ ଆଦିବାସୀ ନୃତ୍ୟ, ଢେମସା ନୃତ୍ୟ ପରିବେଷଣରେ ଦୁଲୁକି ଉଠିଥିଲା ଚଇତି ମଞ୍ଚ। ଶନିବାର ଥିଲା ଚଇତି ମହୋତ୍ସବର ଶେଷ ଦିନ।ଚଳିତ ବର୍ଷର ଚଇତିକୁ ସ୍ମରଣୀୟ ହୋଇ ରଖିବା ପାଇଁ ମଞ୍ଚରେ ଦମଦାର କଳା ପରିବେଷଣ କରିଥିଲେ କଳାକାରମାନେ। ହଜାର ହଜାର ଦର୍ଶକଙ୍କ ଗହଣରେ ଶୀତୁଆ ସନ୍ଧ୍ୟାର ସାଂସ୍କୃତିକ ଉତ୍ସବ କାର୍ଯ୍ୟକ୍ରମ ସମସ୍ତଙ୍କୁ ମଞ୍ଚ ନିକଟରେ ବାନ୍ଧି ରଖିଥିଲା।
ରାୟଗଡା ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷା ସ୍ଵଧାଦେବ ସିଂଙ୍କ ପୌରାହିତ୍ୟରେ ଓ ଶେଷ ସନ୍ଧ୍ୟା କାର୍ଯ୍ୟକ୍ରମର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତଙ୍କ ତତ୍ୱାବଧାନରେ ଆୟୋଜିତ ସାଂସ୍କୃତିକ ଉତ୍ସବରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ତଥା ସାଧାରଣ ଶିଳ୍ପ ଏବଂ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ରାଜ୍ୟର ଉପାନ୍ତ ଅଞ୍ଚଳରେ ଥିବା ରାୟଗଡା ଜିଲ୍ଲାର ଲୋକ କଳା, ସଂସ୍କୃତି,ଐତିହ୍ୟ, ପରମ୍ପରାର ଏକ ଭିନ୍ନ ପରିଚୟ ରହିଛି। ଜିଲ୍ଲାରେ କଳା, ସଂସ୍କୃତିକୁ ଉଦ୍ଜୀବିତ କରି ରଖିବାକୁ ପ୍ରଶାସନର ଚେଷ୍ଠା ରହିଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ବିଭିନ୍ନ ଯୋଜନା ତଥା ପରିଷଦ ମାଧ୍ୟମରେ ଏହାର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ। ଛତିଶଗଡ ସାଂସ୍କୃତିକ ଦଳ ତରଫରୁ ମଢ଼ାଇ ନୃତ୍ୟରୁ ଚଇତି ମହୋତ୍ସବର ଶେଷ ସାଂସ୍କୃତିକ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ବିଶିଷ୍ଠ ଅତିଥି ଭାବେ ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର ଦାସ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୋରାପୁଟ, ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ଗୁଡାରି ଏନଏସି ଅଧ୍ୟକ୍ଷା ସରମିତା ଶବର, ଗୁଡାରି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ଶବର, ମୁନିଗୁଡା ବ୍ଲକ ଅଧ୍ୟକ୍ଷା ଦୁଃଖିନୀ ନନ୍ଦ୍ରୁକା, ଉପ ଜିଲ୍ଲାପାଳ ରାୟଗଡା କଲ୍ୟାଣୀ ସଂଘମିତ୍ରା ଦେବୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର ପ୍ରମୁଖ ଉପସ୍ଥିତ ରହିଥିଲେ। ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ ମଞ୍ଚ ସଂଯୋଜନା କରିଥିବା ବେଳେ ଉପଜିଲ୍ଲାପାଳ ସଂଘମିତ୍ରା ଦେବୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଚଇତି ପଞ୍ଚମ ଦିନର ଶୀତୁଆ ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ସଂସ୍କୃତି ଦଳର ଆଦିବାସୀ ନୃତ୍ୟ, ଜିଲ୍ଲା ସଂସ୍କୃତି କେନ୍ଦ୍ର କନ୍ଧମାଳର ଆଦିବାସୀ ନୃତ୍ୟ, ସାଂସ୍କୃତିକ ଦଳ ପୁରୀର ମାଲ ଖମ୍ବ ନୃତ୍ୟ, ବ୍ଲକ କଳା ସଂସ୍କୃତି ସଂଘ କାଶୀପୁର ଙ୍କର ଲୋକ ନୃତ୍ୟ, ସୁପର ମମ ଗ୍ରୁପଙ୍କର କେରଲା ନୃତ୍ୟ, ରାୟଗଡା କଲେଜ ଛାତ୍ରୀଙ୍କର ଆମେ ରାୟଗଡ଼ିଆ ଗୀତରେ ଝୁମିଥିଲେ ଦର୍ଶକ। ସେହିପରି ସାଇପ୍ରିୟା ୱାକର୍ଷ କ୍ଲବ ପକ୍ଷରୁ କଲାଟମ ନୃତ୍ୟ, ରାୟଗଡା ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଢେମସା ନୃତ୍ୟ, ଡମ ସମାଜ ରାୟଗଡା ପକ୍ଷରୁ ଡମ ପରମ୍ପରା ନୃତ୍ୟ, କୁଇ ସମାଜ ଏବଂ ଆଦିବାସୀ ପରମ୍ପରାର ଲୋକ ନୃତ୍ୟ, ବଡ଼ ଚାନ୍ଦିଲି ରାୟଗଡା ପକ୍ଷରୁ ଅଳମତି ଫୁଲମତି ନୃତ୍ୟ, ତେନ୍ତୁଳିଖୁଣ୍ଟି ସାହି ଛାତ୍ରଙ୍କର ସମ୍ବଲପୁରୀ ନୃତ୍ୟ ଏବଂ ପ୍ରଶାନ୍ତ ଆଇ ଡଲ ଫ୍ରେମ, ଅନ୍ତର୍ଜାତୀୟ କଣ୍ଠଶିଳ୍ପୀ ସୁପ୍ରିମ ଶେଖର ନିଜର ସଂଗୀତ ପରିବେଷଣ କରିଥିଲେ।
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ କାମ କରିଥିବାରୁ ବହୁ ପ୍ରତିଭାମାନ ବ୍ୟକ୍ତି ବିଶେଷଙ୍କୁ ମଞ୍ଚରେ ଚଇତି ଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଘୋଷକ ପୁପିନ୍ଦର ସିଂ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଚଇତି ମହୋତ୍ସବ ପାଳନ କମିଟି ତରଫରୁ ସମସ୍ତଙ୍କୁ ନୂଆ ବର୍ଷ ୨୦୨୪ର ଅଭିନନ୍ଦନ ଜଣାଯାଇଥିଲା।