ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିଆସିଛି ରାୟଗଡା ଜିଲ୍ଳାର କାଶିପୁର ବ୍ଳକ। ଚଳିତ ନୂଆ ବର୍ଷରେ କାଶିପୁର ବ୍ଳକବାସୀଙ୍କୁ ସରକାରୀ ଡିଗ୍ରୀ କଲେଜ ଭେଟି ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ଅଂଚଳବାସୀଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି। ଏ ନେଇ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ୫-ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍, ଉଚ୍ଚଶିକ୍ଷା ମନ୍ତୀ, ବିଭାଗୀୟ ଶାସନ ସଚିବଙ୍କୁ କୃତଞତା ଜଣାଇଛନ୍ତି। ଶିକ୍ଷାରେ ସମାନତା ଓ ଉତ୍କର୍ଷ ଆଣିବା ସହ ଶିକ୍ଷାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା କଲେଜ ନ ଥିବା ରାଜ୍ୟର ୧୮ଗୋଟି ବ୍ଳକରେ କଳା ବିଭାଗର ସ୍ନାତକ ସ୍ତରୀୟ (ଯୁକ୍ତ-୩) କଲେଜ ଖୋଲାଯିବାକୁ ନିଷ୍ପତି ନିଆଯାଇଛି। ୨୦୨୪-୨୫ଶିକ୍ଷା ବର୍ଷରୁ ଏହି କଲେଜ ଗୁଡିକରେ ଶିକ୍ଷାଦାନ ଆରମ୍ଭ କରାଯିବ। ରାୟଗଡା ଜିଲ୍ଳାର ରାୟଗଡା ନିର୍ବାଚନ ମଣ୍ଡଳିର କାଶିପୁର, ଗୁଣପୁର ନିର୍ବାଚନ ମଣ୍ଡଳିର ରାମନାଗୁଡା ଓ ଚନ୍ଦ୍ରପୁର ବ୍ଳକରେ ସରକାରୀ ସ୍ନାତକ କଲେଜ ଖୋଲାଯିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ କଲେଜ ଗୁଡିକ ନିମନ୍ତେ ବ୍ଳକ ହେଡ୍ କ୍ୱାଟର ଠାରୁ ୫କିମି ପରିସୀମା ଭିତରେ ୧୦ଏକର ଜମି ଯୋଗାଇ ଦେବାକୁ ଜିଲ୍ଳାପାଳଙ୍କୁ ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି। ବର୍ତମାନ କଲେଜଗୁଡିକର ନିଜସ୍ୱ ଭିତିଭୂମି ବିକାଶ ନ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଗୃହରେ ଶିକ୍ଷାଦାନ କରାଯିିବ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ ଥାଉ କି, ରାୟଗଡା୍ ଜିଲ୍ଳା କାଶିପୁର ବ୍ଳକରେ କେବଳ ଏକ ଘରୋଇ ଯୁକ୍ତ ଦୁଇ କଲେଜ ରହିଥିବା ବେଳେ କୈାଣସି ସରକାରୀ ସ୍ନାତକ କଲେଜ ସ୍ଥାପନା ହୋଇ ପାରି ନ ଥିଲା। ଫଳରେ ଅଂଚଳର ବହୁ ଶିକ୍ଷିତ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ନିମନ୍ତେ ସୁଦୂର ରାୟଗଡା ସହର ତଥା ପଡୋଶୀ ଜିଲ୍ଳା ଗୁଡିକ ଉପରେ ନିର୍ଭର କରି ଆସୁଥିଲେ। ଯାହାକୁ ନେଇ ସ୍ଥାନୀୟ ବିଧାୟକ ଶ୍ରୀ ମୁଦୁଲି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରାୟଗଡା ଗସ୍ତରେ ଆସିଥିବା ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନକୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଏପରିକି କାଶିପୁର ବ୍ଳକରେ ସରକାରୀ ସ୍ନାତକ କଲେଜ ଖୋଲିବା ପାଇଁ ବିଧାନସଭା ପ୍ରଶ୍ନକାଳରେ ବହୁବାର ଦାବି କରିଆସିଥିଲେ। ବର୍ତମାନ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସ୍ନାତକ କଲେଜ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯିବା ପରେ କାଶିପୁର ପାଇଁ ଏହା ଏକ ମାଇଲଖୁଂଟ ଏବଂ ଏହି ଅଂଚଳର ହଜାର ହଜାର ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଗରୀବ ପିଲାଙ୍କର ଉଚ୍ଚଶିକ୍ଷା ସହ ଭବିଷ୍ୟତ ଗଠନରେ ଅନେକ ସହାୟକ ହେବ ବୋଲି ବିଧାୟକ ଶ୍ରୀ ମୁଦୁଲି ପ୍ରକାଶ କରିଛନ୍ତି।