କିଡିଙ୍ଗ ଛକ ଜାମୁକୋଳି ଗଛକୁ ପିଟିଲା କୋଇଲା ବୋଝେଇ ଟ୍ରକ: ଦୀର୍ଘ ୫ ଘଣ୍ଟା ପରେ ଉଦ୍ଧାର ହେଲେ ଫସିରହିଥିବା ଡ୍ରାଇଭର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜପଥ ସାଜିଛି ମରଣଯନ୍ତା। ଏହି ରାସ୍ତାରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନାଯୋଗ୍ୟ ରାୟଗଡ଼ା ପଟୁ କୋଇଲା ବୋଝେଇ କରି ଟ୍ରକଟି ବରଗଡ଼ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ କିଡିଙ୍ଗ ଛକ ନିକଟସ୍ଥ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରକଟି ଆଗପଟରୁ ପିଟି ସୋଇଯାଇଥିବା ଫଳରେ ଟ୍ରକ ଡ୍ରାଇଭର ଜଣଙ୍କର ଗୋଡ଼ ଫସି ରହିଥିବା ବେଳେ କିଡିଙ୍ଗ ଗାଁର କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚି ସିକେରକୁପା ଫାଣ୍ଡିକୁ ଖବର ଦେଇଥିଲେ। ଖବରପାଇ ସିକେରକୁପା ଫାଣ୍ଡି ଅଧିକାରୀ ମିନାରାଓ ଶବର ଏବଂ ନର୍ଲା ଏସ୍ଆଇ କୃତିବାସ ପୁଝାରୀଙ୍କ ନେତୃତ୍ବରେ ପୋଲିସ ବାହିନୀ, ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ ଓ ଗାଁର ଉଦ୍ୟମାନ ଯୁବକ ଜଗନ୍ନାଥ ଗହିର, ନିଲେଶ କୁମାର ନାଗ, କପିଳାସ ରାଉତ, ଭୃତେଶ୍ଵର ଶବର, ବିନୋଦ ଛତ୍ରିଆଙ୍କ ସହଯୋଗରେ ଫସି ରହିଥିବା ଡ୍ରାଇଭରଙ୍କୁ ଦୀର୍ଘ ୫ ଘଣ୍ଟା ପରେ ଲୁହା କାଟିବା ଯନ୍ତ୍ର ସାହାଯ୍ୟରେ ବହୁ କଷ୍ଟରେ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଦୁର୍ଘଟଣାରେ ଗୁରୁତର ଡ୍ରାଇଭରଙ୍କୁ ଆମ୍ବୁଲାନ୍ସ ଯୋଗେ ବିଶ୍ଵନାଥପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଗୋଟିଏ ଗୋଡ଼ ଭାଙ୍ଗିଯାଇଥିବା ସୂଚନା ମିଳିଛି। ତେବେ ସୋମବାର ଏହି ରାଜ୍ୟ ରାଜପଥର ଢେପଗୁଡ଼ା ଠାରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ ପୋଖରୀବନ୍ଧର ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ମଙ୍ଗଳବାର ଆଉ ଏକ ଦୁର୍ଘଟଣାକ ଦେଖିବାକୁ ମିଳିଛି। ଦିନ ପ୍ରତିଦିନ ଏହି ରାସ୍ତାରେ ଛୋଟବଡ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ତେବେ ଭାରିଯାନ ଓ ବେପରୁଆ ଗାଡ଼ି ଚଳାଚଳ ପାଇଁ ଦୁର୍ଘଟଣା ହେଉଥିବା ଚର୍ଚ୍ଚା ହେଉଥିବା ବେଳେ ଏଥିପ୍ରତି ସରକାର ତଥା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.