ଅସୁରଗଡରେ ୫୭ତମ ଶ୍ରୀରାମ ନବମୀ; ୨୬ରେ ପୂର୍ଣ୍ଣାହୂତି

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ର କିମ୍ବଦନ୍ତୀ ପର୍ଯ୍ୟଟନ ସ୍ଥଳି ଐତିହାସିକ ଅସୁରଗଡ ପୀଠ । ୧୯୬୭ ରୁ ଚାଲି ଆସୁଥିବା ମାଣ୍ଡେଲ ଗ୍ରାମ ପଞ୍ଚାୟତର ଅସୁରଗଡରେ ଏହି ଶ୍ରୀରାମ ନବମୀ ଚଳିତ ବର୍ଷ ମଧ୍ୟ ଅସୁରଗଡ ଶ୍ରୀରାମ ନବମୀ କମିଟି ପାଳନ କରୁଛି ୫୭ତମ ଶ୍ରୀରାମ ନବମୀ । ଏହି ପର୍ବ ପାଳନରେ ଲାଗି ପଡିଛନ୍ତି ସାରା ଅସୁରଗଡ ବାସୀ । ଏଥିପାଇଁ ବେଶ ଚଳଚଞ୍ଚଳ ହୋଇ ଉଠିଛି ଐତିହାସିକ ଅସୁରଗଡ । ଗତ ତା.୧୬/୪ ମଙ୍ଗଳବାର ଅପରାହ୍ନ ୩.୩୦ ରେ ଉଦୟ ସାଗରରୁ ଭବ୍ୟ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ୯ ଦିନ ଧରି ଚାଲିବାକୁ ଥିବା ବେଳେ ବୁଧବାର ଠାରୁୁ ରାମାୟଣର ଆଦ୍ୟକାଣ୍ଡ ପର୍ବ ଆରମ୍ଭ ହୋଇଛି । ପ୍ରତ୍ୟହ ସକାଳୁ ଶ୍ରୀରାମ ପୂଜନ, ରାମାୟଣ ଗାନ, ପାରାୟଣ, ଭଜନ, ସଂକୀର୍ତ୍ତନ ଓ ପ୍ରବଚନ ଭଳି କାର୍ଯ୍ୟକ୍ରମ ନଅ ଦିନ ବ୍ୟାପି ପ୍ରତ୍ୟହ ଚାଲିଥିବା ଶ୍ରୀରାମ ନବମୀ ସମିତିର ସଭାପତି ଘନଶ୍ୟାମ ପଧାନ ସୂଚନା ପ୍ରଦାନ କରିଛନ୍ତି । ପରିଚାଳନା କମିଟିର ଅନ୍ୟ ବରିଷ୍ଠ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସମ୍ପାଦକ କୌଶିକ ପୁଟେଲ ରହିଥିବା ବେଳେ ଗ୍ରାମର ବରିଷ୍ଠ ବ୍ୟକ୍ତି ଓ ଯୁବ ଗୋଷ୍ଠି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ପ୍ରତ୍ୟହ ରାତିରେ ରାମଲୀଳା ନାଟକ ଅନୁଷ୍ଠିତ ହେଉଥିବା ବେଳେ ଗ୍ରାମର ଯୁବକ ଗଗନ ପଧାନ, ଅମର୍ତ୍ତ୍ୟ ଗଉଡ, ବେଣୁପାଣି ଗଉଡ, ଥବିର ପଧାନ ପ୍ରମୁଖ ରାମ, ଲକ୍ଷ୍ମଣ, ସୀତା, ହନୁମାନ, ରାବଣ ପ୍ରଭୃତି ଭୁମିକା ନିର୍ବାହନ କରୁଛନ୍ତି । ନାଟ୍ୟ ପରିଚାଳନା କମିଟିର ମ୍ୟାନେଜର ଅଭି ଗଉଡ, ସଭାପତି ଜଗନ୍ନାଥ ଗଉଡ, ସମ୍ପାଦକ ଶଙ୍କର ବାହୁକ, ଯୁଗ୍ମ ସମ୍ପାଦକ ଦାମୋଦର ପଧାନ ଓ କୋଷାଧ୍ୟକ୍ଷ ଭାବରେ ସଦାନନ୍ଦ ସା ପ୍ରମୁଖ ରହି ନାଟ୍ୟ ପରିଚାଳନା କରୁଥିବା ବେଳେ ହାରାମଣି ପଧାନ ଓ ଘନଶ୍ୟାମ ପଧାନ ଦମ୍ପତି କର୍ତ୍ତା ଦାଇତ୍ୱ ନିର୍ବାହନ କରୁଛନ୍ତି । ଅସୁରଗଡ ଗ୍ରାମର ପଣ୍ଡିତ ପୂଜକ ଶେଷଦେବ ପାଢୀ ପୂଜନ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସେ ଦୀର୍ଘ ୩୨ ବର୍ଷ ଧରି ଅସୁରଗଡ ରାମ ମନ୍ଦିରର ପୂଜକ ଭାବରେ ଦାଇତ୍ୱ ନିର୍ବାହନ କରି ଆସୁଛନ୍ତି । ପବିତ୍ର ରାମ ନବମୀ ବୁଧବାର ସକାଳୁ ମଙ୍ଗଳ ଆଳତୀ, ବାଳଭୋଗ ଓ ଅନ୍ୟାନ୍ୟ ନୀତିକ୍ରାନ୍ତି ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ମହିଳା ଓ ପୁରୁଷ ଭକ୍ତ ନିତ୍ୟ ରାମାୟଣ ପଠନ ଶୁଣୁଥିବା ଓ ନିଷ୍ଠାରେ ରହୁଥିବା ଜଣାପଡିଛି । ଅସୁରଗଡ ରାମ ମନ୍ଦିର ପାଇଁ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ପର୍ଶୁରାମ ପଧାନ ଓ ତାଙ୍କ ସୁପୁତ୍ର ଘନଶ୍ୟାମ ପଧାନ ଭୂମିଦାନ କରିଥିଲେ । ଗ୍ରାମବାସୀ ଓ ଖୁସିରାମ ସାହୁଙ୍କ ପ୍ରଚେଷ୍ଟାରେ ଏକଭବ୍ୟ ମନ୍ଦିର ମଧ୍ୟ ନିର୍ମିତ ହୋଇଛି । ଅଦ୍ୟାବଧି କାମ ଚାଲିଛି । ଆସନ୍ତା ୨୦୨୫ ରେ ଏହାର ପ୍ରତିଷ୍ଠା କରାଯିବା ପାଇଁ ଯୋଜନା ରହିଥିବା ଶ୍ରୀରାମ ମନ୍ଦିର କମିଟି ସୂଚନା ପ୍ରଦାନ କରିଛି । ପୁରୁଣା ଶ୍ରୀରାମ ମନ୍ଦିରରେ ଏବେ ପ୍ରତ୍ୟହ ଚାଲୁଛି ପୂଜାର୍ଚ୍ଚନା । ବର୍ଷସାରା ପ୍ରତି ଶନିବାର ସଂଧ୍ୟାରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି । ବୁଧବାର ରାମ ନବମୀର ପ୍ରଥମ ଓ ଆରମ୍ଭ ଦିବସ । ଅପ୍ରେଲ ୨୬ ରେ ଏହାର ପୂର୍ଣ୍ଣାହୂତି ପଡିବ ବୋଲି ଜଣାପଡିଛି । ସେହିଭଳି ନର୍ଲା ବ୍ଲକ୍ ଅଞ୍ଚଳର ସର୍ଗିଗୁଡା ଗ୍ରାମ ପଞ୍ଚାୟତର ବେହେରାପାଟି ଗ୍ରାମରେ ସର୍ବପ୍ରଥମେ ଆରମ୍ଭ ହୋଇଥିବା ଶ୍ରୀରାମ ନବମୀ ମଧ୍ୟ ଚଳିତ ବର୍ଷ ପାଳିତ ହେଉଛି । ଅନ୍ୟ ସ୍ଥାନ ଗୁଡିକ ମଧ୍ୟରେ ନର୍ଲାର ଡାକ୍ତରଖାନା ପରିସରରେ ରହିଥିବା ରାମ ମନ୍ଦିର ରେ ମଧ୍ୟ ନର୍ଲାର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଚ୍ଛାୟତଙ୍କ ନେତୃତ୍ୱରେ ସ୍ରୀରାମ ନବମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସେହିଭଳି ନର୍ଲାର ରୁପ୍ରା, ତିତକେଲା, ବାଗପୁର, ତୁଳାପଡା ପ୍ରଭୃତି ସ୍ଥାନ ଗୁଡିକରେ ମଧ୍ୟ ଆଡମ୍ବର ସହକାରେ ପାଳିତ ହେଉଛି ଶ୍ରୀରାମ ନବମୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.