ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ସ୍ଥିତ ଅଗ୍ରସେନ ଭବନ ଠାରେ “ଭଗବାନ ପର୍ଶୁରାମ ଜୟନ୍ତୀ” ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ଆୟଜିତ ନିଃଶୁଳ୍କ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମରେ ହାଇଦ୍ରାବାଦରୁ ଜଣେ, ଛତିଶଡ଼ର ଜଗଦଲପୁରରୁ ଜଣେ ଓ କଳାହାଣ୍ଡି ଜିଲ୍ଲାରୁ ୨୪ ଜଣ ବ୍ରାହ୍ମଣ ସନ୍ତାନଙ୍କ ଉପନୟନ ସଂସ୍କାର ସମ୍ପୂର୍ଣ ବୈଦିକ ରୀତିରେ ପଣ୍ଡିତ ମଙ୍ଗଳୁ ମିଶ୍ରଙ୍କ ତତ୍ତ୍ୱାବଧାନରେ ଜିଲ୍ଲାର ୨୮ ଜଣ ଆଚାର୍ଯ୍ୟଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା। ଅପରାହ୍ନ ୩ ଟାରେ ୨୬ ଜଣ ନବ ବ୍ରହ୍ମଚାରୀଙ୍କ ଜଗନ୍ନାଥ ମନ୍ଦିର ଓ ମାଣିକେଶ୍ଵରୀ ମନ୍ଦିରକୁ ରୋଷଣୀ ଶୋଭାଯାତ୍ରା ବେଶ ଆକର୍ଷଣୀୟ ଥିଲା। ୨୬ ଜଣ ନବ ବ୍ରହ୍ମଚାରୀଙ୍କୁ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସ୍ଵର୍ଣ୍ଣ ମୁଦ୍ରିକା ପ୍ରଦାନ କରାଯାଇଥିଲା। ଅକ୍ଷୟ ତୃତୀୟା ପର୍ଶୁରାମଙ୍କ ଜୟନ୍ତୀ ଉପଲକ୍ଷେ ପୂଜାର୍ଚ୍ଚନା ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥିରେ ନିରଞ୍ଜନ ଦାଶ ଆଚାର୍ଯ୍ୟ ଏବଂ ଯଜ୍ଞର କର୍ତ୍ତା ହୋଇଥିଲେ ବିଶ୍ଵଜିତ ନେଗୀ ଓ ତାଙ୍କ ପତ୍ନୀ ସ୍ମିତାରାଣି ନେଗୀ। ପର୍ଶୁରାମ ଜୟନ୍ତୀ ଉପଲକ୍ଷେ ବ୍ରାହ୍ମଣ ସମାଜ କଳାହାଣ୍ଡିର ସଭାପତି ଜଗନ୍ନାଥ ମୁଣ୍ଡଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଔପନ୍ୟାସିକ ରାହାସ ବିହାରୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଗୁରୁ ସୁଧିର ପଣ୍ଡା, ଗୁରୁ ନରେନ୍ଦ୍ର ପଣ୍ଡା, ଗୁରୁ ଚିତ୍ତ ରଞ୍ଜନ ପଣ୍ଡାଙ୍କ ସଙ୍ଗୀତ ପରିଚାଳନାରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ସସ୍ମିତା ରଥ, ନମିତା ମିଶ୍ର ଓ ରୋଜାଲିନ ତ୍ରିପାଠୀ। ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ସମାଜର ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା ସାଂଗଠାନିକ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସତ୍ୟ ନାରାୟଣ ମହାପାତ୍ରଙ୍କ ପୁସ୍ତକ ‘ବ୍ରାହ୍ମଣ ସମାଜ କଳାହାଣ୍ଡି ଏକ ବିହଙ୍ଗାବଲୋକନ’ ଓ ଶ୍ରୀମତୀ ଚାରୁଶିଳା ବାବୁଙ୍କ ଦୁଇଟି ପୁସ୍ତକ ‘ନୈବେଦ୍ୟ’ ଓ ‘ଭକ୍ତି କୁସୁମ ‘ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ପର୍ଶୁରାମ ଜୟନ୍ତୀ ଅବସରରେ ସମାଜ ପ୍ରତି ଉତ୍ସର୍ଗୀକୃତ ଅବଦାନ ନିମନ୍ତେ କଳାହାଣ୍ଡି ଜିଲ୍ଲାର ନଅ ଜଣ ବରିଷ୍ଠ ବ୍ରାହ୍ମଣ ମନୋଜ ପଣ୍ଡା, ରାଜେନ୍ଦ୍ର କୁମାର ପଟ୍ଟଯୋଷି, ମଧୁସୂଦନ ମହାପାତ୍ର, ଦୁର୍ଗା ଚରଣ ମିଶ୍ର, ପ୍ରଭାସ ଚନ୍ଦ୍ର ମିଶ୍ର, ଡ଼ା. ଭାରତ ବନ୍ଧୁ ପଣ୍ଡା, ତୁଷାର ରଞ୍ଜନ ପଟ୍ଟଯୋଷି, ପର୍ଶୁରାମ ପାଢ଼ୀ, ପ୍ରମୋଦ ଖମାରୀ ଓ ବ୍ରହ୍ମପୁରର ସିନେ ଅଭିନେତା ତଥା ପ୍ରଯୋଜକ ଧିରେନ୍ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଜିଲ୍ଲାର ସାତ ଜଣ ମହିଳା ମୀନା ମୁଣ୍ଡ, ପ୍ରିୟମ୍ବଦା ଚାନ୍ଦ, ସ୍ନେହଲତା ଷଡ଼ଙ୍ଗୀ, ମନୋରମା ପତି, ରୁବି ଚୌଧୁରୀ ଓ ଲଳିତା ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି କଳାହାଣ୍ଡିର ବିକାଶଧାରାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସାମ୍ବାଦିକ ଉମାଶଙ୍କର କର, ଶାନ୍ତନୁ ବେହେରା, ବିଜୟ ଦ୍ବିବେଦୀ, ପ୍ରଶାନ୍ତ ପଣ୍ଡା, ସନ୍ତୋଷ ସିଂହ ଦେଓ, କୈଳାସ ସାହୁ, ମନମୋହନ ପ୍ରଧାନ, ବିକାଶ ଷଡ଼ଙ୍ଗୀ, ଲକ୍ଷ୍ମୀ ବାଗ, ଅମିୟ ସାହୁ ଓ ସାମ୍ବାଦିକା ସ୍ନିଗ୍ଧାରାଣୀ ସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହ ଧର୍ମଗଡ ଉପଖଣ୍ଡ ବ୍ରାହ୍ମଣ ସମାଜ ଉପ ସଭାପତି ଓ ଜିଲ୍ଲାର ସମସ୍ତ ବ୍ଲକ ବ୍ରାହ୍ମଣ ସମାଜର ସଭାପତି ଓ ସମ୍ପାଦକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆକାଶବାଣୀ କଳାକାର ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିବାବେଳେ ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।