ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ନର୍ଲା ହାଇସ୍କୁଲ ଛାତ୍ରୀ ଶୁଭଦର୍ଶିନୀ ବେରୁକ ହେଲେ ବ୍ଲକ ଟପ୍ପର

ଶାନ୍ତପୁର ହାଇସ୍କୁଲରେ ଶତ ପ୍ରତିଶତ ପାସ ହାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୁଭଦର୍ଶିନୀ ବେରୁକ ୮୬.୫ (୫୧୯) ପ୍ରତିଶତ ମାର୍କ ରଖି ବ୍ଲକ ଟପ୍ପର ହୋଇଛନ୍ତି। ସେହିଭଳି ନର୍ଲା ହାଇସ୍କୁଲର ଛାତ୍ର ଗୋପାଳ ବେହେରା ୮୦.୧୭ (୪୮୧) ପ୍ରତିଶତ, ରାଧାକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରିତିରାଣୀ ବିଶ୍ୱାଳ ୮୦.୧୭(୪୮୧), କୁସୁମ ସା ମଧ୍ୟ ୮୦.୧୭ (୪୮୧)ପ୍ରତିଶତ ମାର୍କ ରଖି ତିନିଜଣ ବ୍ଲକରେ ଦ୍ୱିତୀୟ ସ୍ଥାନ ରଖିଥିବା ଜଣାପଡିଛି। ନର୍ଲା ବ୍ଲକରେ ଟପ୍ପର ହୋଇଥିବା ନର୍ଲା ହାଇସ୍କୁଲର ଛାତ୍ରୀ ଶୁଭଦର୍ଶିନୀ ବେରୁକ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବେହେରାପାଟି ଗ୍ରାମର ରମାବତୀ ପାତ୍ର ଓ କ୍ଷମାସାଗର ବେରୁକଙ୍କ ଝିଅ ହୋଇଥିବା ବେଳେ ବ୍ଲକରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ନର୍ଲା ହାଇସ୍କୁଲର ଛାତ୍ର ଗୋପାଳ ବେହେରା ନର୍ଲାର ନର୍ମଦା ବେହେରା ଓ ଶଙ୍କର ବେହେରାଙ୍କ ପୁଅ ବୋଲି ଜଣାପଡିଛି। ସେହିଭଳି ବ୍ଲକରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଶାନ୍ତପୁର ରାଧାକୃଷ୍ଣ ହାଇସ୍କୁଲର ଛାତ୍ରୀ କୁସୁମ ସା ଶାନ୍ତପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଖାଇଙ୍ଗ ଗ୍ରାମର ବୈଦେହୀ ସା ଓ ବେଣୁଧର ସାଙ୍କ ଝିଅ ହୋଇଥିବା ବେଳେ ଅନ୍ୟତମ ଛାତ୍ରୀ ବଡଧାରପୁର ଗ୍ରାମର ପ୍ରିତିରାଣୀ ବିଶ୍ୱାଳ ଦୀପା ବିଶ୍ୱାଳ ଓ କିଶୋର ବିଶ୍ୱାଳଙ୍କ ଝିଅ ଅଟନ୍ତି। ନର୍ଲା ବ୍ଲକରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ବାପା ମାଙ୍କୁ ଏହାର ଶ୍ରେୟ ଦେଇଛନ୍ତି। ଚଳିତ ବର୍ଷ ବ୍ଲକରେ ରହିଥିବା ୨୯ ଗୋଟି ହାଇସ୍କୁଲର ମୋଟ ୨୦୪୫ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୁରଣ କରିଥିଲେ ହେଲେ ସେମାନଙ୍କ ମଧ୍ୟରୁ ୨୦୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସମୁଦାୟ ୧୯୮୭ ଜଣ ଛାତ୍ରଛାତ୍ରୀ ପାସ କରିଥିବା ଜଣାପଡିଛି। ନର୍ଲା ହାଇସ୍କୁଲରେ ପରୀକ୍ଷା ଦେଇଥିବା ୧୫୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫୨ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ରାଧାକୃଷ୍ଣ ହାଇସ୍କୁଲ ଶାନ୍ତପୁରର ୯୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୭ ଜଣ (ଶତପ୍ରତିଶତ) ଛାତ୍ରଛାତ୍ରୀ ପାସ କରିଥିବା ଜଣାପଡିଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ନର୍ଲା ବ୍ଲକ ଅଧିନସ୍ଥ କୌଣସୀ ବି ହାଇସ୍କୁଲର ଛାତ୍ରଛାତ୍ରୀ ଏ-୧ ଗ୍ରେଡପାଇ ନଥିବା ବେଳେ ଏ-୨ ଗ୍ରେଡରେ ନର୍ଲା ହାଇସ୍କୁଲର ଦୁଇ ଜଣ ଓ ଶାନ୍ତପୁର ରାଧାକୃଷ୍ଣ ହାଇସ୍କୁଲର ଦୁଇଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ଜଣାପଡିଛି। ବ୍ଲକ ଟପ୍ପର ହୋଇଥିବା ନର୍ଲା ହାଇସ୍କୁଲର ଛାତ୍ରୀଙ୍କୁ ନେଇ ନର୍ଲା ଓ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସ ଓ ବରିଷ୍ଠ କର୍ମଚାରୀ ସୁବାଷ ପଧାନ। ଶାନ୍ତପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ସାରଙ୍ଗଧର ଠାକୁର ଦାଇତ୍ୱ ନେବା ପରଠୁଁ ଗତ ତିନିବର୍ଷ ହୋଇଗଲା ପାସହାର ଶତପ୍ରତିଶତ ରହୁଥିବାରୁ ଶାନ୍ତପୁର ଓ ବଡଧାରପୁର ଗ୍ରାମ ପଞ୍ଚାୟତ ଅଞ୍ଚଳ ବାସୀ ଖୁସିବ୍ୟକ୍ତ କରିବା ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଭୂୟସୀ ପ୍ରଶଂସା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.