ଭୂତ ଭୟ : ଲୋକେ ଛାନିଆ
କଳାହାଣ୍ଡି,୧/୭, (ହେମନ୍ତ ସାହୁ) : ଜାତୀୟ ରାଜପଥ ମରଣଯନ୍ତା ସାଜିଥିବାବେଳେ ପାଞ୍ଚ ଦିନ ପରେ(୨୪/୬ରେ ମିକ୍ସଚର ଟ୍ୟାଙ୍କର ଓଲଟିଥିଲା) ସେହି ନିର୍ଦ୍ଧିଷ୍ଠ ସ୍ଥାନରେ ରବିବାର ପ୍ରାୟ ଦୁଇଟା ସମୟରେ ପୁଣି ଏକ ତେଲ ଟ୍ୟାଙ୍କର ଓଲଟିପଡ଼ିଥିଲା, ଫଳରେ ସାଧାରଣ ଜନତାଙ୍କ ମନରେ ଛାନିଆ ପଶିଛି । ସୂଚନାମୁତାବକ ମ.ରାମପୁର ଦେଇ ଯାଇଥିବା ଗୋପାଳପୁର-ରାୟପୁର ୫୯ ନଂ ଜାତୀୟ ରାଜପଥ ମ.ରାମପୁର ପଣ୍ଡକାମାଲ ଛକ ନିକଟରେ ଗତ ଏକ ମାସ ମଧ୍ୟରେ ପାଞ୍ଚଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ଆଜିର ଦୁର୍ଘଟଣାକୁ ମିଶାଇ ୬ଟି ଦୁର୍ଘଟଣା ଘଟି ଜଣଙ୍କର ପ୍ରାଣହାନୀ ହେଇଥିବା ଜଣାଯାଇଛି । ପାଞ୍ଚଟି ଦୁର୍ଘଟଣାରେ ଜଣେ ବାଇକ ଚାଳକର ହାତ ଭାଙ୍ଗିଥିବାବେଳେ ଅନ୍ୟ ଦୁର୍ଘଟଣା ସବୁ ମଧ୍ୟ ଗୁରୁତର ରହିଥିଲା । ରବିବାର ଦିନ ପ୍ରାୟ ଦୁଇଟାବେଳେ କେସିଙ୍ଗାପଟୁ ମ.ରାମପୁର ଆଡ଼କୁ ଆସୁଥିବା ଏକ ତେଲଟ୍ୟାଙ୍କର(ଗାଡ଼ି ନଂ ଓଡ଼ି୧୭ଏନ୍,୫୧୧୧) ସେହି ଗୋଟିଏ ସ୍ଥାନରେ ଓଲଟି ପଡ଼ିଥିଲା କିନ୍ତୁ ସୌଭାଗ୍ୟବଶତଃ ଚାଳକ ଓ ଖଲାସୀଙ୍କର କିଛି କ୍ଷୟକ୍ଷତି ହେଇନଥିବା ଜଣାଯାଇଛି । ଆଜିର ଏହି ଦୁର୍ଘଟଣା ପରେ ସେହି ରାସ୍ତାଦେଇ ନିୟମିତି ଯାତାୟତ କରୁଥିବା ସାଧାରଣ ଲୋକଙ୍କ ମନରେ ଭୟ ସଂଚାର ହେବା ସହିତ ଅଲୌକିକଶକ୍ତିର ପ୍ରଭାବ ବୋଲି କେହି କେହି ଆଲୋଚନା କରୁଛନ୍ତି । କିଛି ଲୋକେ ତ ସାଇକେଲ ଦେଇ ଏହି ରାସ୍ତଦେଇ ଯିବା ଆସିବା କଲାବେଳେ ସେହି ସ୍ଥାନରେ ପଛରୁ କେହି ଭିଡ଼ିଧରୁଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଉକ୍ତ ସ୍ଥାନରେ ଏକ ମାସ ଭିତରେ ଛଅଟି ଦୁର୍ଘଟଣା ପରେ ବି ସେଠାରେ ଗାଡ଼ି ଚାଳକମାନଙ୍କ ସୂଚନା ପାଇଁ, ଆଗକୁ ବୁଲାଣି ରାସ୍ତା, ଦୁର୍ଘଟଣା ପ୍ରବଣ ଅଂଚଳ, ଗାଡ଼ିଧୀରେ ଚଲାନ୍ତୁ ଭଳି କୌଣସି ସୂଚନା ଲଗାଯାଇନଥିବା ବେଳେ ଆସନ୍ତା ରଥଯାତ୍ରା ସମୟରେ କାରୁଣ୍ଡ ଶ୍ରୀକ୍ଷେତ୍ରକୁ ହଜାର ହଜାର ଗାଡ଼ି ସେହି ରାସ୍ତାଦେଇ ଯାତାୟତ କରିଥାଏ,ଉକ୍ତ ଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ପ୍ରସ୍ତୁତ ରହିବା ସହ ଉକ୍ତ ଦୁର୍ଘଟଣା ପ୍ରବଣ ଅଂଚଳରେ ପୋଲିସ ମୁତୟନ ରହି ଗାଡ଼ି ନିୟନ୍ତ୍ରଣ କରିବାକୁ ସମାଜସେବୀ ସତ୍ୟନାରାୟଣ ସାହୁଙ୍କ ସମେତ ଅଂଚଳବାସୀ ଦାବୀ କରିଛନ୍ତି ।