ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ (ରଜତ ବଂଶଲ): ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ ବିୟୋଗରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ଶୋକବାର୍ତ୍ତାରେ କହିଛନ୍ତି ଯେ, “ପ୍ରସିଦ୍ଧ ଓଡ଼ିଆ କବି, ବିଦ୍ୱାନ ଏବଂ ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ମହତ୍ତର ସଦସ୍ୟ ଶ୍ରୀ ରମାକାନ୍ତ ରଥ ଆଉ ନାହାନ୍ତି ବୋଲି ଜାଣି ଖୁବ୍ ଦୁଃଖ ଲାଗୁଛି। ତାଙ୍କ କବିତା ଅଗଣିତ ବ୍ୟକ୍ତିଙ୍କୁ ଗଭୀର ଭାବରେ ଆତ୍ମନିରୀକ୍ଷଣ କରିବାକୁ ତଥା ଭୌତିକ ଜଗତ ବାହାରେ ଜୀବନ, ମୃତ୍ୟୁ, ଅସ୍ତିତ୍ୱ ବିଷୟରେ ଜିଜ୍ଞାସା କରିବାକୁ ସାହାଯ୍ୟ କରିଥିଲା। ଏଥିସହିତ ଅନେକଙ୍କୁ ନିଜ ନିଜର ସାଂସ୍କୃତିକ ମୂଳକୁ ପୁନର୍ବାର ଖୋଜିବା ଏବଂ ପୁନଃଆବିଷ୍କାର କରିବାକୁ ଶକ୍ତି ଦେଇଥିଲା। “ଶ୍ରୀରାଧା” ଏବଂ “ସପ୍ତମ ଋତୁ” ଭଳି ତାଙ୍କର ପ୍ରସିଦ୍ଧ ଏବଂ ଅମର କୃତିଗୁଡିକ ଆତ୍ମ-ଆବିଷ୍କାରର ଯାତ୍ରାରେ ସର୍ବଦା ସାହାଯ୍ୟ କରୁଥିବେ।” ସୂଚନାଯୋଗ୍ୟ ଯେ, ରମାକାନ୍ତ ରଥ ଓଡ଼ିଆ କବିତାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ଆଧୁନିକତାବାଦୀ ଏବଂ ଦାର୍ଶନିକ ଆଭିମୁଖ୍ୟ ପାଇଁ ସେ ସର୍ବଭାରତୀୟ ସ୍ତରରେ ସୁପରିଚିତ। ତାଙ୍କର କବିତା ସଂକଳନଗୁଡ଼ିକ ମଧ୍ୟରେ ରହିଛି କେତେ ଦିନର, ସଂନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର, ଶ୍ରୀରାଧା ଏବଂ ଶ୍ରୀ ପଳାତକ ଇତ୍ୟାଦି। ମହାନ କୃତି ‘ଶ୍ରୀରାଧା’ ପାଇଁ ୧୯୯୨ ମସିହାରେ ତାଙ୍କୁ ସରସ୍ୱତୀ ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କର କୃତିଗୁଡ଼ିକ ଇଂରାଜୀ ସମେତ ଅନେକ ଭାରତୀୟ ଭାଷାରେ ଅନୂଦିତ ହୋଇଛି। ସେ ୧୯୭୭ରେ ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୪ରେ ଶାରଳା ପୁରସ୍କାର, ୧୯୯୦ରେ ବିଷୁବ ସମ୍ମାନ ଲାଭ କରିଥିଲେ ଏବଂ ୨୦୦୯ରେ ତାଙ୍କୁ ସାହିତ୍ୟ ଏକାଡେମୀର ମହତ୍ତର ସଦସ୍ୟ ଭାବରେ ସମ୍ମାନିତ କରାଯାଇଥିଲା। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସହିତ ଶ୍ରୀ ରଥ ଓଡ଼ିଶାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ବିଭିନ୍ନ ବିଭାଗରେ ସଚିବ ଏବଂ ଓଡ଼ିଶାର ମୁଖ୍ୟ ସଚିବ ଭାବରେ କାର୍ଯ୍ୟ କରିଥିଲେ। ୨୦୦୬ ମସିହାରେ ତାଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା। ଆସନ୍ତାକାଲି ସାହିତ୍ୟ ଏକାଡେମୀର ସମସ୍ତ କାର୍ଯ୍ୟାଳୟରେ ଶୋକ ସଭା ଅନୁଷ୍ଠିତ ହେବ ଏବଂ ତାଙ୍କ ସମ୍ମାନାର୍ଥେ ଦ୍ବିତୀୟାର୍ଦ୍ଧରେ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ।