ପଡୋଶୀଙ୍କ ପାଇଁ କିଛି ଭଲ କରିବା, ଅନ୍ୟ ର ଉପକାର ବା ପଡୋଶୀଙ୍କୁ ସାହାଯ୍ୟ ସହଯୋଗ କଲେ ସମସ୍ତଙ୍କ ମଙ୍ଗଳ ହେବ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶନିବାର ଦିନ ୧୦ ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରେରଣାରେ “ଆର୍ଟ ଅଫ ଗିଭିଂ” ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ସାମନ୍ତଙ୍କ ଜୀବନଦର୍ଶନକୁ ଭିତ୍ତି କରି ୨୦୧୩ ମସିହାରୁ ପାଳନ ହୋଇଆସୁଥିବା ଏହି କାର୍ଯ୍ୟକ୍ରମରେ ଏ ଅଞ୍ଚଳର ସମାଜସେବୀ, ବରିଷ୍ଠ ବ୍ୟକ୍ତି, ସଧାରଣ ଜନତା, ଏସ.ଏଚ.ଜି, ମିଶନ ଶକ୍ତିର ମହିଳା, ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅତି ଶୃଙ୍ଖଳିତ ଭାବରେ ପାଳନ ହୋଇଯାଇଛି। ପ୍ରଥମେ ଅତିଥିମାନଙ୍କୁ କିସର ଶିକ୍ଷକ, ଅଭିଭାବକ ଓ ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ କରାଯାଇ ଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯକ୍ରମର ଶୁଭାରମ୍ଭ କରାଯାଇଥିଲା। ଆଦିବାସୀ ସମାଜ ନର୍ଲା ପଞ୍ଚାୟତର ସଭାପତି ଇନ୍ଦ୍ରମଣି ଜାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ତଥା ନର୍ଲା ବ୍ଲକ ଆଦିବାସୀ ସମାଜ ସଭାପତି ହରିଶଙ୍କର ମାଝୀ, ସମ୍ମାନୀତ ଅତିଥି ଭାବେ ଆଦିବାସୀ ସଂସ୍କୃତି ଭବନର ସଭାପତି ଦୁର୍ଯ୍ୟୋଧନ ମାଝୀ, ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ସର୍ବେସାଇ ଇଡିବୁଲ ଅଏଲ କମ୍ପାନୀ ନର୍ଲାର କ୍ଷେତ୍ର ଅଧିକାରିଣୀ ପ୍ରିତିମୟୀ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ଆର୍ଟ ଅଫ ଗିଭିଙ୍ଗ କାର୍ଯକ୍ରମକୁ ମହିମାନ୍ଵୀତ କରିଥିଲେ। ଏ ବର୍ଷର ତଥ୍ୟ “ନାଇବର ଗୁଡ” ଅର୍ଥାତ ପଡୋଶୀଙ୍କ ପାଇଁ କିଛି ଭଲ କରିବା, ଅନ୍ୟର ଉପକାର ବା ପଡୋଶୀଙ୍କୁ ସାହାଯ୍ୟ ସହଯୋଗ କଲେ ସମସ୍ତଙ୍କ ମଙ୍ଗଳ ହେବ। ଅଚ୍ୟୁତସାମନ୍ତଙ୍କ ଏ ନିରବଚ୍ଛିନ୍ନ ସେବାର ବାର୍ତ୍ତା ଓ ସମାଜରେ କରାଯାଇଥିବା ଅନନ୍ୟ ସେବା କ୍ଷେତ୍ରକୁ ଅଗ୍ରସର ହେବାର ବାର୍ତ୍ତାକୁ ଅତିଥିମାନେ ବ୍ୟକ୍ତ କରିବା ସହ ଡକ୍ଟର ସାମନ୍ତଙ୍କ ଏ ମହାନ ଉଦ୍ଦେଶ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ଏହି ବାର୍ତ୍ତା ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚି ସମସ୍ତଙ୍କ ଭିତରେ ସାହାଯ୍ୟର ମନୋଭାବ ଉଦ୍ରେକ ହେଲେ ଏକ ସୁସ୍ଥ ସମାଜ ଗଢି ଉଠିବ ବୋଲି ବକ୍ତବ୍ୟ ରଖିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ କେତେ ଜଣ ପ୍ରତିଭାଶାଳୀ ଛାତ୍ରୀ ଙ୍କ ଦ୍ଵାରା ବକ୍ତବ୍ୟ, ଗୀତ ଓ ନୃତ୍ୟ ଭଳି ମନୋରଞ୍ଜନ ପରିବେଶ ସୃଷ୍ଟିକରି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ। ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି କିସ୍ ର ଆସିଷ୍ଟାଣ୍ଟ ସିଇଓ ଦୁଷ୍ମନ୍ତ କୁମାର ପାଧାନଙ୍କ ତତ୍ତ୍ଵାବଧାନରେ ଶିକ୍ଷକ ଟୁକୁଲାଲ ଶବର ଓ ସମରାଜ ମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ନର୍ଲା ବ୍ଲକର କୋର୍ ଗାର୍ଡିଆନ୍ ସମ୍ରାଜ ମାଝୀ, ଦେବକୀ ଧାରୁଆ, ମାନିନୀ ପାତ୍ର, ଅନାଦି ମାଝୀ, ଚିତ୍ତ ରଞ୍ଜନ ନାଏକ, ଜୟରାମ ମାଝୀ, ନରେନ୍ଦ୍ର ଶବର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅଭିଭାବକ, ଅଭିଭାବିକାଙ୍କ ସମେତ ଅନେକ ଜନସାଧାରଣ ଉପସ୍ଥିତ ଥିଲେ। ପରିଶେଷରେ କଳାହାଣ୍ଡି କିସ୍ ବିଦ୍ୟାଳୟର ଶିକ୍ଷକ ଟୁକୁଲାଲ ଶବର ଧନ୍ୟବାଦ ଅର୍ପଣ କରିଥିଲେ।