ହରାଲି ଉଆଁସ ପାଳନ କଲେ ମଗଧା ଯାଦବ ଗୋଷ୍ଠୀ : ପ୍ରତିଫଳିତ ହେଲା କୃଷି ଓ ବୀରତ୍ୱର ଅନନ୍ୟ ଦିଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଖ୍ରୀଷ୍ଟପୂର୍ବ ୨୬୧ରେ କଳିଙ୍ଗ ଯୁଦ୍ଧରେ ଯୋଗଦେବାକୁ ମଗଧରୁ ଚନ୍ଦ୍ରବଂଶୀ କ୍ଷେତ୍ରୀୟମାନେ ସମ୍ରାଟ ଅଶୋକଙ୍କ ସହ କଳିଙ୍ଗକୁ ଆସିଥିଲେ। କଳିଙ୍ଗ ଯୁଦ୍ଧ ପରେ ଶାନ୍ତି ସ୍ଥାପନ ହେଲା। ତେବେ ସମ୍ରାଟ ଅଶୋକ ବିଜୟୀ ମଗଧା ବାହିନୀକୁ ମଗଧ ନନେଇ କଳିଙ୍ଗର ପଡୋଶୀ ଆଟବିକ ରାଜ୍ୟରେ ଥଇଥାନ କରାଇଥିଲେ। ଏମାନେ ଲୋକମୁଖରେ ମଗଧା ଗଉଡ ବା ମଗଧା ଯାଦବ ଭାବେ କଥିତ ହେଲେ। ପରବର୍ତ୍ତୀ ସମୟରେ ମଗଧା ଯାଦବ ଗୋଷ୍ଠୀ କୃଷିଜୀବୀ ସମୁଦାୟରେ ପରିଣତ ହୋଇଥିଲେ। ତେବେ ସମ୍ରାଟ ଖାରବେଳଙ୍କ ଶାସନ କାଳରେ ଏମାନେ କୃଷିକର୍ମ ଓ କ୍ଷତ୍ରୀୟ ବୃତ୍ତି ଉଭୟ ଆଚରୁଥିଲେ। ପଶ୍ଚିମ ଓଡ଼ିଶାରେ ପାଳିତ ହେଉଥିବା କୃଷିଭିତ୍ତିକ ପର୍ବ ‘ହରାଲି ଉଆଁସ’ର ଛତ୍ରେ ଛତ୍ରେ ମଗଧା ଯାଦବଙ୍କ ଗାଥା ବାରିହୋଇ ପଡ଼ିଥାଏ। ବୁଧବାର ଦିନ ହରାଲି ଉଆଁସକୁ ନେଇ ଉତ୍ସବ ମୁଖର ହୋଇଉଠିଥିଲା କଳାହାଣ୍ଡିର ଗ୍ରାମ୍ୟ ପରିବେଶ। ବିଭିନ୍ନ ସଂପ୍ରଦାୟ ଲୋକାଚାର ଓ କୂଳାଚାର ଭିତ୍ତିରେ ଏହି ପର୍ବ ପାଳନ କରିଥିଲେ। ତେବେ ମଗଧା ଯାଦବ ଗୋଷ୍ଠୀ ହରାଲି ଉଆଁସକୁ ଭିନ୍ନ ଢ଼ଙ୍ଗରେ ପାଳନ କରିଥିବା ଦେଖାଯାଇଥିଲା। ମଗଧା ଯାଦବ ଗୃହକର୍ତ୍ତା ଓ ଗୃହିଣୀ ସକାଳୁ ଗୋବନ୍ଦାଣ କରିଥିଲେ। ଏହାପରେ ପୂଜାର୍ଚ୍ଚନା ସହ କେନ୍ଦୁ ବୃକ୍ଷର ଏକ ଶାଖା ନେଇ କ୍ଷେତରେ ସ୍ଥାପନ କରାଯାଇଥିଲା। କେନ୍ଦୁ ଶାଖାକୁ ହଳଦୀ ମିଶ୍ରିତ ଅରୁଆ ଚାଉଳ ଓ ପୁଷ୍ପ ଅର୍ପଣ କରିବା ପରେ କ୍ଷୀର ଢଳା ଯାଇଥିଲା। କୃଷି କ୍ଷେତ୍ରରେ ଚିତାଉ ପିଠା ପକାଇ ପୃଥିବୀ ମାତାଙ୍କୁ ପ୍ରଣିପାତ ପୂର୍ବକ ଉତ୍ତମ ଶସ୍ୟ ଅମଳର କାମନା କରିଥିଲେ କୃଷକ। ଏହି ଦିନ ପିଦରରେ ପିତୃପୁରୁଷଙ୍କୁ ମନସା ଆଦରା କରିବା ସହ ଅସ୍ତ୍ରଶସ୍ତ୍ର ପୂଜା କରିଥିଲେ ମଗଧା ଗୋଷ୍ଠୀ। ସନ୍ଧ୍ୟାରେ ବନ୍ଧୁବାନ୍ଧବ ଓ ହଲିଆ ତୁଲିଆଙ୍କୁ ଡାକି ଭୁରି ଭୋଜନରେ ଆପ୍ୟାୟିତ କରିବାର ବିଧି ରହିଛି। ପୂର୍ବେ ମଗଧା ଯାଦବମାନେ ଶ୍ରାବଣ କୃଷ୍ଣ ଅମାବାସ୍ୟା ଦିନ କୃଷି କ୍ଷେତ୍ରରେ କେନ୍ଦୁ ଶାଖା ସ୍ଥାପନ କରି ସମରଭ୍ଯାସ କରିବାକୁ ସୀମାକୁ କିମ୍ବା ଆଖଡାକୁ ଚାଲି ଯାଉଥିଲେ। ସେହି ସମୟରୁ ଆଜି ପର୍ଯ୍ୟନ୍ତ ଏହା ପରମ୍ପରା ହୋଇ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.